Latest Odisha News

BREAKING NEWS

ଚୀନର ଉହାନରୁ ଆସିଥିବା ସମସ୍ତ ଭାରତୀୟଙ୍କ କରୋନା ଭୂତାଣୁ ପରୀକ୍ଷା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ ।

ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତନମୁନା ନେଗେଟିଭ ବାହାରିଛି । ସେମାନେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ଥିବା ସ୍ପଷ୍ଟ ହୋଇଛି । ଏହାବାଦ ୫୧୦ଟି ନମୁନା ଆଇସିଏମଆରର ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିବା ବେଳେ କେବଳ ତିନୋଟି ପଜିଟିଭକୁ ବାଦ ଦେଲେ ଅନ୍ୟସବୁ ନେଗେଟିଭ ଆସିଛି । ତିନି ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଜରିଆରେ ୬୫୫୮ ଲୋକଙ୍କର ଗୋଷ୍ଠୀ ନିରୀକ୍ଷଣ ଓ ଯାଂଚ କରାଯାଇଛି । ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୬ ଫେବୃଆରୀ, ୨୦୨୦ରେ ଯୁଗ୍ମ ଅନୁଧ୍ୟାନ ଗୋଷ୍ଠୀ (ଜେଏମଜି)ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆବଶ୍ୟକ ଯାଂଚ ଅବଧି ବୃଦ୍ଧି ଆଦି ସମେତ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ୟ କେନ୍ଦ୍ର ମନ୍ତ୍ରଣାଳୟ ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ଭାରତରେ ନୋଭେଲ କରୋନା ଭୂତାଣୁ ନିରାକରଣ ଦିଗରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିଛି । ଜ୍ୱର, କଫ ଓ ନିମୋନିଆର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି ।

ନୋଭେଲ କରୋନା ଭୂତାଣୁ ୨୦୧୯ ସମ୍ପର୍କରେ ଅନ୍ୟ କୌଣସି ବୈଷୟିକ ସୂଚନା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ +୯୧-୧୧-୨୩୯୭୮୦୪୬  ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.