Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହେଲେ କୋଭିଡ୍‌-୧୯ ସନ୍ଦିଗ୍ଧ ଇଞ୍ଜିନିୟରିଂ ଛାତ୍ର, ବୟସ୍କ ମହିଳା

ବ୍ରହ୍ମପୁର: ବ୍ରହ୍ମପୁରରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଏବଂ ଜଣେ ଇଞ୍ଜିନିୟରିଂ ଛାତ୍ର କରୋନା ଭାଇରସ୍ ସଂଦିଗ୍ଧ ବୋଲି ଜଣାପଡ଼ିଛି । ସୋମବାର ଦିନ ଏହି ଦୁଇଜଣଙ୍କୁ ସ୍ଥାନୀୟ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଳୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଫେବୃଆରୀରେ ଜଣେ ୭୦ ବର୍ଷ ବୟସ୍କା ମହିଳା ମାଉଣ୍ଟଆବୁ ପରିଭ୍ରମଣରେ ଯାଇଥିଲେ ଏବଂ ସେ ଗତ ପାଞ୍ଚଦିନ ପୂର୍ବରୁ ତାଙ୍କ ଗାଁକୁ ଫେରିଥିଲେ । ତାଙ୍କୁ ଅତ୍ୟଧିକ କାଶ ହେବା ଯୋଗୁଁ ସେ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ଯାଇଥିଲେ । ତାଙ୍କୁ ଆଇସୋଲେସନ୍ ୱାର୍ଡ଼କୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା ବୋଲି ହସ୍ପିଟାଲ୍ ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ମିଶ୍ର କହିଛନ୍ତି । ସେ ସୂଚନାଦେଇ ଆହୁରି କହିଛନ୍ତି ଯେ, ମହିଳା ଜଣକଙ୍କର ଲାଳ ଓ ରକ୍ତ ନମୂନା ପରୀକ୍ଷା ନିମନ୍ତେ ରିଜିଓନାଲ୍ ମେଡ଼ିକାଲ୍ ରିସର୍ଚ୍ଚ ସେଣ୍ଟରକୁ ପଠାଇଦିଆଯାଇଛି ।

ସେହିପରି ଭାବେ ଯୁବକ ଜଣକ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବାଲାଗି କାଜାକାସ୍ଥାନ ଯାଇଥିଲେ । ସେ ଫେରିବା ପରଠାରୁ କାଶ ଓ ସର୍ଦ୍ଦିଜନିତ ରୋଗରେ ପୀଡ଼ିତ ରହିଛନ୍ତି । ତାଙ୍କର ଲାଳ ଓ ରକ୍ତ ନମୂନା ଆରଏମଆରସିକୁ ପରୀକ୍ଷା ନିମନ୍ତେ ପଠାଇଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଆବୁଧାବୀରୁ ଫେରିବା ପରେ ଚିକିଟି ଗ୍ରାମର ଏକ ଦମ୍ପତ୍ତିଙ୍କୁ ଏମକେସିଜିର ଆଇସୋଲେସନ୍ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା । ଏହି ଦମ୍ପତ୍ତିଙ୍କ ନମୂନା ପରୀକ୍ଷା ନେଗେଟିଭ୍ ଆସିଥିଲେ ମଧ୍ୟ ଆଇସୋଲେସନ ୱାର୍ଡ଼ରେ ରହିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.