Latest Odisha News

BREAKING NEWS

କରୋନା ଆତଙ୍କ: ଫେସବୁକରେ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ

ଅନୁଗୁଳ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତ ହୋଇ ଚାଲିଥିବା ବେଳେ ଏବେ ଓଡ଼ିଶାରେ ଏହି ଘାତକ କୋଭିଡ୍‌-୧୯ଭାଇରସକୁ ରୋକିବାକୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । କରୋନା ଭୂତାଣୁ ନେଇ ଗୁଜବ ଅପପ୍ରଚାର ନକରିବା ନେଇ ସରକାର ପୂର୍ବରୁ ଜନସାଧାରଣଙ୍କୁ ପରାମର୍ଶ ଦେଇ ଚାଲିଥିଲେ ମଧ୍ୟ କେତେକ ଗୁଜବକାରୀ ସୋସିଆଲ୍ ମିଡିଆରେ କରୋନାକୁ ନେଇ ଅପପ୍ରଚାର କରି ଜନସାଧାରଣଙ୍କ ମନରେ ଭୟ ସଞ୍ଚାର ସୃଷ୍ଟି କରି ଚାଲିଛନ୍ତି । ଅନୁଗୁଳରେ ଜଣେ ଯୁବକ କରୋନା ସମ୍ପର୍କରେ ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରଚାର କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳ ଅନ୍ତର୍ଗତ ସିଂଗଡ଼ା ଗ୍ରାମର ଜୟକୃଷ୍ଣ ସାହୁ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅନୁଗୁଳ ଜିଲ୍ଲାର ଜଣେ ଯୁବକ କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ବୋଲି ମିଛ ପ୍ରଚାର କରିଥିଲେ । ସୋସିଆଲ୍ ମିଡ଼ିଆରେ ଏହି ଅପପ୍ରଚାର ଯୋଗୁଁ ଚାଞ୍ଚଲ୍ୟ ସୃଷ୍ଟି ହେବା ସହିତ ଜିଲ୍ଲାରେ ଆତଙ୍କ ସୃଷ୍ଟି ହୋଇଥିଲା ।

ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଅନୁଗୁଳ ପୋଲିସ ଜୟକୃଷ୍ଣଙ୍କ ଘରେ ପହଞ୍ଚି ସମସ୍ତ କଥା ପଚାରିଥିଲେ । ମାତ୍ର ଜୟକୃଷ୍ଣ ସଠିକ୍ ଉତ୍ତର ଦେଇପାରିନଥିବାରୁ ଏହା ଏକ ଗୁଜବ ବୋଲି ଜାଣି ଜୟକୃଷ୍ଣଙ୍କୁ ଗିରଫ କରିଥିଲେ ।

କରୋନା ଭୂତାଣୁ ସଂକ୍ରମିତ ନହେବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିନରାତି ସଚେତନତା ସୃଷ୍ଟି ଲାଗି ଉଦ୍ୟମ ଜାରି ରହିଛି । କରୋନା ଭୂତାଣୁ ସମ୍ପର୍କରେ କୌଣସି ଗୁଜବ ନ କରିବାକୁ ରାଜ୍ୟ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇ ଚାଲିଛନ୍ତି । କରୋନା ଭୂତାଣୁ ସଂକ୍ରମଣର ଅପପ୍ରଚାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ମଧ୍ୟ ପୂର୍ବରୁ ସୂଚନା ଜାରି ହୋଇଛି ।

Leave A Reply

Your email address will not be published.