ସମ୍ବଲପୁର:ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ । ଗତ ରାତିରେ ରେଙ୍ଗାଲି ଥାନା ଅଞ୍ଚଳରେ ଚୋରା କଫ୍ ସିରପ ଚାଲାଣ ବେଳେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ଜଣେ ନିଶା ମାଫିଆ ଆହତ ହୋଇଥିବାବେଳେ ପୋଲିସ ବିପୁଳ ପରିମାଣର କୋଡିନ୍ ଯୁକ୍ତ କଫ ସିରପ୍, ମାରଣାସ୍ତ୍ର ଜବତ କରିଛି । ଏଥିସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ରେଙ୍ଗାଲି ଜଙ୍ଗଲା–ପାଣ୍ଡୋଲୋଇ ରାସ୍ତାରେ ଏନକାଉଣ୍ଟର ହୋଇଛି। ଆହତ ଅଭିଯୁକ୍ତର ନାମ ପ୍ରିତମ ବିଶ୍ବାଳ।
ରେଙ୍ଗାଲି ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂଚନା ପାଇଥିଲା ଯେ, କଟକ ପଟରୁ ଦୁଇଟି କାର୍ରେ ବିପୁଳ ପରିମାଣର କୋଡିନ୍ ଯୁକ୍ତ କଫ୍ ସିରପ୍ ଜଙ୍ଗଲା ଜଙ୍ଗଲ ରାସ୍ତା ଦେଇ କାତରବଗା-ଠେଲକୋଲୋଇ ଅଞ୍ଚଳକୁ ଚାଲାଣ ହେଉଛି । ଏହାପରେ ପୋଲିସ୍ ଟିମ୍ ଜଙ୍ଗଲା-ପଣ୍ଡଲୋଇ ରାସ୍ତାରେ ନାକାବନ୍ଦୀ ଓ ଯାଞ୍ଚ ଆରମ୍ଭ କରିଥିଲା।
ସକାଳ ପ୍ରାୟ ସାଢ଼େ ୬ଟା ବେଳେ ପ୍ରଥମ କାର (ଓଡି-୧୫-ଏଚ୍-୧୪୩୨)କୁ ସନ୍ଦେହରେ ଅଟକାଇ ପୋଲିସ ଚାଳକ ଆଶୁତୋଷ ମେଣ୍ଡଳୀଙ୍କୁ କାବୁ କରିଥିଲା। ତେବେ ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଇଥିଲେ। ଏହି ସମୟରେ କାର ପଛରେ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ନମ୍ବରବିହୀନ ଏର୍ଟିଗା କାର ନିୟନ୍ତ୍ରଣ ହରାଇ ଗଛରେ ଧକ୍କା ହୋଇଥିଲା।
ଗାଡ଼ିରୁ ବାହାରି ଖସି ପଳାଇବାକୁ ଉଦ୍ୟମ କରୁଥିବା ଚାଳକ ପ୍ରୀତମ ବିଶ୍ୱାଳ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ୩ ରାଉଣ୍ଡ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ପ୍ରୀତମଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ରେଙ୍ଗାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଉକ୍ତ ଦୁଇଟି କାରରୁ ମୋଟ ୨୪ କାର୍ଟୁନ ନିଷିଦ୍ଧ କୋଡିନ୍ଯୁକ୍ତ ନିଶା କଫ୍ସିରପ୍ ଜବତ କରାଯାଇଛି। ଏଥିସହ ଘଟଣାସ୍ଥଳରୁ ଗୋଟିଏ ଦେଶୀ ୯ ଏମ୍ଏମ୍ ପିସ୍ତଲ ଓ ୭ଟି ଫୁଟା ଗୁଳି ଖୋକା ମଧ୍ୟ ଜବତ କରାଯାଇଛି ।
ସମ୍ବଲପୁର ପୋଲିସ୍ ଅତିରିକ୍ତ ଏସପି ଶଶାଙ୍କ ଶେଖର ବେଉରାଙ୍କ ସୂଚନା ଅନୁଯାୟୀ, ‘ଜବତ ହୋଇଥିବା କଫ୍ ସିରପ୍ର ସମ୍ପୂର୍ଣ୍ଣ ବୋତଲ ସଂଖ୍ୟା, ପରିମାଣ ଓ ପ୍ରକୃତିର ଯାଞ୍ଚ ଚାଲିଛି। ଏହି ବେଆଇନ କାରବାରର ମୁଖ୍ୟ ଉତ୍ସ, ଯୋଗାଣ ଶୃଙ୍ଖଳ ଏବଂ ଫେରାର୍ ହୋଇଯାଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।

