Ajit Doval Career: ‘ଶେଷ ହୋଇଗଲା କ୍ୟାରିୟର୍…’, ଅଜିତ ଡୋଭାଲଙ୍କ ବଡ ଖୁଲାସା! ଯେତେବେଳେ ଭାରତୀୟ ଏଜେଣ୍ଟକୁ ଧରି ପକାଇଥିଲା ଚୀନ୍…
ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା (NSA) ଅଜିତ ଡୋଭାଲ ତାଙ୍କ ଗୁଇନ୍ଦା ଜୀବନର ଏକ ଅତ୍ୟନ୍ତ ଚାପପୂର୍ଣ୍ଣ ଘଟଣା ବିଷୟ ମନେପକାଇଛନ୍ତି । IIT ରୁର୍କିର ସମାବର୍ତ୍ତନ ସମାରୋହରେ ଯୋଗଦେଇ ସେ କହିଛନ୍ତି, ଯୁବାବସ୍ଥାରେ ସିକ୍କିମ୍ରେ ଦାୟିତ୍ୱରେ ଥିବା ସମୟରେ ଏକ ଗୁପ୍ତ ମିଶନ୍ ପ୍ରାୟ ତାଙ୍କ କ୍ୟାରିୟର ଶେଷ କରିଦେଇଥାନ୍ତା।
ଡୋଭାଲଙ୍କ କହିବା ଅନୁସାରେ, ସେତେବେଳେ ସେ ୨୦ ବର୍ଷ ବୟସରେ ଥିଲେ ଏବଂ ସିକ୍କିମ୍ରେ ଗୁଇନ୍ଦା ଦାୟିତ୍ୱରେ ଥିଲେ। ସୀମାନ୍ତ ଅଞ୍ଚଳରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ଗତିବିଧି ଉପରେ ନଜର ରଖିବା ଓ ଗୁପ୍ତ ତଥ୍ୟ ସଂଗ୍ରହ କରିବା ତାଙ୍କ ଦାୟିତ୍ୱ ଥିଲା। ସିକ୍କିମ୍ ଭାରତରେ ମିଶିବା ପ୍ରକ୍ରିୟା ଚାଲିଥିବା ସମୟରେ ସେ ସେଠାରେ କାମ କରୁଥିଲେ।
ଏହି ସମୟରେ ଡୋଭାଲ ଏକ ଦଳକୁ ଚୀନ୍ ସୀମା ନିକଟକୁ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ ପଠାଇଥିଲେ। ଦଳଟି ୮ ଦିନ ମଧ୍ୟରେ ଫେରିବାର ଥିଲା। କିନ୍ତୁ ୧୫ ଦିନ ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ମିଳିଲା ନାହିଁ। ଦୁର୍ଘଟଣା କିମ୍ବା ହିମସ୍ଖଳନର ଖବର ମଧ୍ୟ ନଥିଲା। ଏହାପରେ ମୁଖ୍ୟାଳୟରୁ ଫୋନ୍ ଆସିବା ପରେ ଡୋଭାଲଙ୍କୁ ଜଣାପଡ଼ିଲା ଯେ, ତାଙ୍କ ଟିମ୍କୁ ଚୀନ୍ ସେନା ଧରିନେଇଛି ଏବଂ ପଚରାଉଚରା କରିଛି।
କିଛି ଦିନ ପରେ ଭାରତୀୟ ଏଜେଣ୍ଟମାନେ ମୁକ୍ତ ହୋଇ ଫେରିଥିଲେ। ଡୋଭାଲଙ୍କ କହିବା ଅନୁସାରେ, ସମ୍ଭବତଃ କୌଣସି ବୁଝାମଣା ପରେ ସେମାନଙ୍କୁ ଛଡ଼ାଯାଇଥିଲା। ଫେରିବା ବେଳେ ସେମାନଙ୍କ ଅବସ୍ଥା ମଧ୍ୟ ଖୁବ ଖରାପ ଥିଲା। ଘଟଣାର ତଦନ୍ତ ଆରମ୍ଭ ହେବା ପରେ ଡୋଭାଲ ଭାବିଥିଲେ ତାଙ୍କ କ୍ୟାରିୟର ଶେଷ। କିନ୍ତୁ ତଦନ୍ତରେ ଜଣାପଡ଼ିଲା ଯେ, ମୁଖ୍ୟାଳୟରୁ ଦିଆଯାଇଥିବା ମାନଚିତ୍ର ଓ ସ୍କେଚ୍ରେ ତ୍ରୁଟି ଥିଲା। ତେଣୁ ତାଙ୍କୁ ଦାୟୀ କରାଯାଇନଥିଲା ଏବଂ ସେ କ୍ଲିନ୍ଚିଟ୍ ପାଇଥିଲେ।
ତଥାପି ଏହି ଘଟଣା ତାଙ୍କୁ ଭିତରୁ ଦୋହଲାଇ ଦେଇଥିଲା। ସେତେବେଳେ ଇଣ୍ଟେଲିଜେନ୍ସ ବ୍ୟୁରୋରେ କାମ କରୁଥିବା ଜଣେ ତିବ୍ବତୀୟ ଶେର୍ପା ତାଙ୍କୁ ତିନୋଟି କଥା କହିଥିଲେ, “ତୁମେ କେଉଁଠି ଅଛ, ତାହା ଜାଣ; କେଉଁଠି ପହଞ୍ଚିବାକୁ ଚାହୁଁଛ, ତାହା ଜାଣ; ଏବଂ ସେଠାକୁ ଯିବାର ରାସ୍ତା ଜାଣ।” ଡୋଭାଲ କହିଛନ୍ତି, ଏହି ତିନିଟି କଥା ପରେ ତାଙ୍କ ଜୀବନର ଏକ ମାର୍ଗଦର୍ଶକ ସିଦ୍ଧାନ୍ତ ପାଲଟିଗଲା।
୨୦୧୪ରୁ NSA ଭାବେ ଦାୟିତ୍ୱ ତୁଲୁଥିବା ଡୋଭାଲ ପରବର୍ତ୍ତୀ ସମୟରେ ଭାରତର ଅନେକ ପ୍ରମୁଖ ଜାତୀୟ ସୁରକ୍ଷା ଅଭିଯାନ ସହ ଜଡ଼ିତ ରହିଛନ୍ତି। ଆଉ ତାଙ୍କ ମାର୍ଗଦର୍ଶନରେ ଭାରତ ବଡ ବଡ ବାଧାକୁ ଚୁଟକିରେ ମାତ୍ ଦେଇଛି ।

