ବାଲେଶ୍ୱର: ଆକ୍ସନମୋଡରେ ବାଲେଶ୍ୱର ଅବକାରୀ ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବିୟର ଜବତ କରିଛି । ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ମଧ୍ୟ ରହିଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅନ୍ତର୍ଗତ ଦରଡ଼ା, ଦାଣ୍ଡି ଓ ସିଂଲା ଥାନା ଅନ୍ତର୍ଗତ ମାଛରଙ୍କା, ଗିଲାଯୋଡ଼ି, ନାରକୁଦା ଓ ନାରାୟଣପାଟଣା ଏବଂ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ ଗ୍ରାମରେ ଅତର୍କିତ ଚଢ଼ାଉ କରାଯାଇଥିଲା ।
ଏହି ସମୟରେ ମୋଟ ୧୧୩୦ ଲିଟର ଦେଶୀ ମଦ ଓ ୪୦.୨୫୦ ଲିଟର ବିଅର ଜବତ କରାଯାଇଛି । ଜବତ ଦେଶୀ ଓ ବିଅରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ଘଟଣାରେ ମୋଟ ୧୦ ଜଣ ମଦ ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଛରଙ୍କା ଗ୍ରାମର ସପନ କୁମାର ବେହେରା, ନାରାୟଣପାଟଣା ଗ୍ରାମର ବିକର୍ତ୍ତନ ପାତ୍ର, ଦରଡ଼ା ଗ୍ରାମର ରେଢ଼ା ମୁର୍ମୁ ଓ ତୁଳସୀମଣି ଗୋଛାୟତ, ଦାଣ୍ଡି ଗ୍ରାମର ସରସ୍ବତୀ ପଣ୍ଡା, ଗିଲାଯୋଡ଼ି ଗ୍ରାମର ବିବେକାନନ୍ଦ ଜେନା, ନାରକୁଦା ଗ୍ରାମର ଅମରେନ୍ଦ୍ର ଦାସ, ବାଲିଆପାଳ ଗ୍ରାମର ସପନ କୁମାର ମଣ୍ଡଳ, ମିଲନ କୁମାର ମଣ୍ଡଳ ଓ ନିରୁପମା ମଣ୍ଡଳ ।