ନୂଆଦିଲ୍ଲୀ: ନଜର ପକାଇବା ଅର୍ଥନୀତି ଜଗତର ଏକ ବଡ଼ ଖବର ଉପରେ। ଇରାନ-ଆମେରିକା ମଧ୍ୟରେ ଚାଲିଥିବା ତିକ୍ତତା ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ସଙ୍କଟ ମଧ୍ୟରେ ଲାଭବାନ ହୋଇଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, IOCL। କମ୍ପାନୀର ଶୁଦ୍ଧ ମୁନାଫାରେ ୮୧ ପ୍ରତିଶତର ବମ୍ପର ଉନ୍ନତି ହୋଇଛି ।
ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ତିକ୍ତତା ଯୋଗୁଁ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ସମୁଦ୍ର ମାର୍ଗ ‘ହର୍ମୁଜ ରୁଟ୍’ ଏବେ ବନ୍ଦ ରହିଛି। ଯାହାଫଳରେ ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ ବା ଅଶୋଧିତ ତୈଳର ବଡ଼ ସଙ୍କଟ ଦେଖାଦେଇଛି। ଏହି ରୁଟ୍ ବନ୍ଦ ହେବା ଦ୍ୱାରା ଭାରତର ୫୦ ପ୍ରତିଶତ ଶକ୍ତି ସପ୍ଲାଇ ଏବଂ ଗଲ୍ଫ ଦେଶଗୁଡ଼ିକରୁ ଆସୁଥିବା ୯୦ ପ୍ରତିଶତ ଏଲପିଜି (LPG) ଯୋଗାଣ ପ୍ରଭାବିତ ହୋଇଛି। କିନ୍ତୁ ଏଭଳି ସଙ୍କଟ ସମୟରେ ମଧ୍ୟ ଦେଶର ସବୁଠାରୁ ବଡ଼ ସରକାରୀ ତୈଳ କମ୍ପାନୀ ‘ଇଣ୍ଡିଆନ୍ ଅଏଲ୍’ ଦେଶବାସୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। କମ୍ପାନୀ ପାଖରେ ଏବେ ମଧ୍ୟ ଏକ ମାସରୁ ଅଧିକ ସମୟର କ୍ରୁଡ୍ ଅଏଲ୍ ଷ୍ଟକ୍ ସୁରକ୍ଷିତ ରହିଛି। ଏହା ସହିତ ଗ୍ୟାସର ଅଭାବକୁ ଦୂର କରିବା ପାଇଁ IOCL ପକ୍ଷରୁ ଇଣ୍ଡୋନେସିଆ, ନାଇଜେରିଆ, ଆଙ୍ଗୋଲା ଏବଂ ଓମାନ ଭଳି ଦେଶରୁ ତୁରନ୍ତ ଏଲପିଜି କିଣିବା ଆରମ୍ଭ ହୋଇଯାଇଛି, ଯାହାଦ୍ୱାରା ଘରୋଇ ବଜାରରେ ଗ୍ୟାସର କୌଣସି ଅଭାବ ହେବ ନାହିଁ।
ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ର ଚତୁର୍ଥ ତ୍ରୈମାସିକରେ IOCLର ଶୁଦ୍ଧ ମୁନାଫା ୮୧% ବୃଦ୍ଧି ପାଇ ୧୫ ହଜାର ୧୭୬ କୋଟିରେ ପହଞ୍ଚିଛି, ଯାହା ଗତବର୍ଷ ଏହି ସମୟରେ ୮ ହଜାର ୩୬୭ କୋଟି ଥିଲା।
ଭବିଷ୍ୟତର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ଏବଂ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରେ ୩୨ ହଜାର ୭୦୦ କୋଟିର ଏକ ମେଗା କ୍ୟାପେକ୍ସ ବା ପୁଞ୍ଜିଗତ ଖର୍ଚ୍ଚ କରିବାକୁ ଯାଉଛି। ଏହି ଯୋଜନା ଅଧୀନରେ କମ୍ପାନୀ ନିଜର ପ୍ରମୁଖ ରିଫାଇନେରୀଗୁଡ଼ିକର କ୍ଷମତା ବୃଦ୍ଧି କରୁଛି।
ପାନିପଥ ରିଫାଇନେରୀ କ୍ଷମତା ୧୫ MMTPAରୁ ବଢ଼ି ୨୫ MMTPA ହେବ। ଗୁଜରାଟ ରିଫାଇନେରୀର କ୍ଷମତା ୧୩.୭ MMTPAରୁ ବଢ଼ି ୧୮ MMTPA କରାଯିବ। ସେହିପରି ବରୌନୀ ରିଫାଇନେରୀର କ୍ଷମତା ୬ MMTPAରୁ ବଢ଼ାଇ ୯ MMTPA କରାଯିବ।
କମ୍ପାନୀ ପକ୍ଷରୁ ଏହି ସମସ୍ତ ସମ୍ପ୍ରସାରଣ ପ୍ରକଳ୍ପକୁ ଆସନ୍ତା ଡିସେମ୍ବର ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଅନ୍ତର୍ଜାତୀୟ ସ୍ତରରେ ସଙ୍କଟ ଯୋଗୁଁ ସାଧାରଣ ଲୋକେ କିଛିଟା ହଇରାଣ ହେଲେ ସତ, ହେଲେ ଭାରତର ସବୁଠାରୁ ବଡ଼ ତୈଳ କମ୍ପାନୀ ନିଜର ରଣନୀତି କାରଣରୁ ଦେଶର ଶକ୍ତି ସୁରକ୍ଷାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାରେ ସଫଳ ହୋଇଛି।