Latest Odisha News

ଘର ଭିତରେ ଦମ୍ପତ୍ତି କରୁଥିଲେ ଗଞ୍ଜେଇ ଚାଷ: ପୋଲିସକୁ ଠକିବା ଉଦ୍ୟମ କରି ନିଜେ ଧରାପଡ଼ିଗଲେ

ଲଣ୍ଡନ: କଥାରେ ଅଛି, ଅପରାଧ ଛୋଟ ହେଉ କିମ୍ବା ବଡ, ଯିଏ କୌଣସି ଅପରାଧ କରେ, ସେ ଦିନେ ନା ଦିନେ ଧରାପଡ଼େ । ଏହାକୁ ଯେତେ ଲୁଚାଇବାକୁ ଉଦ୍ୟମ କଲେ ବି ଏହା ନିଶ୍ଚୟ ସାମ୍ନାକୁ ଆସିଥାଏ । ଏବେ ସେପରି ଏକ ଅପରାଧର ଖୁଲାସା ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲଣ୍ଡନର ଜଣେ ବ୍ୟକ୍ତି ଚାଲାକର ସହ ଦୀର୍ଘ ବର୍ଷ ଧରି ନିଜ ଘର ଭିତରେ ଗଞ୍ଜେଇ ଚାଷ କରି ଆସୁଥିଲେ । ତାଙ୍କର ଧାରଣା ଥିଲା ଏହାର କେହି ସୁରାକ ବି ପାଇବେ ନାହିଁ । ଶେଷରେ ଭୁଲବଶତଃ ସେ ନିଜେ ଏହି କଥାକୁ ପୋଲିସ ଆଗରେ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି ।

ବ୍ରିଟେନର ଲଙ୍କାଶାୟର ବାସିନ୍ଦା ଜେସନ ଲଜ୍ ଓ କାର୍ମାନ ଲଜ୍ । ଏହି ଦମ୍ପତ୍ତି ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏମାନେ ଘରେ କରୁଥିଲେ ଗଞ୍ଜେଇ ଚାଷ । ଘରର ଅଗଣାଠାରୁ ଆରମ୍ଭ କରି ଗ୍ୟାରେଜ୍‌ରେ ପୁରା ଗଞ୍ଜେଇ ଗଛରେ ଭର୍ତ୍ତି । ସେମାନେ ଭାବୁଥିଲେ ଘରେ ଚାଷ କଲେ ପୋଲିସ ପାଖରେ ସୁରାକ ମିଳିବନି । ସେହିକାରଣରୁ ସେମାନେ ଦୀର୍ଘ ବର୍ଷ ହେଲା ଏହି ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଆସୁଥିଲେ । ଦିନେ ପତ୍ନୀ କାର୍ମାନ ତାଙ୍କ ସ୍ୱାମୀ ଜେସନ୍ କେଉଁଆଡ଼େ ଚାଲିଯାଇଛନ୍ତି ବୋଲି ଥାନାରେ ମିଥ୍ୟା ଅଭିଯୋଗ କଲେ । ଅଭିଯୋଗରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀଙ୍କ ମାନସିକ ସ୍ଥିତି ଭଲ ନାହିଁ । ତେଣୁ ସେ କେଉଁଆଡ଼େ ଚାଲିଯାଇଛନ୍ତି । କିନ୍ତୁ କାର୍ମାନଙ୍କ ଧାରଣା ନ ଥିଲା ଯେ, ପଚରାଉଚରା କରିବାକୁ ପୋଲିସ ତାଙ୍କ ଘରକୁ ଆସିବ । ଦିନେ ପୋଲିସ କାର୍ମାନଙ୍କୁ ଫୋନ କରି ପଚରାଉଚରା କରିବାକୁ ଘରକୁ ଯିବ ବୋଲି କହିଲା । ହେଲେ କାର୍ମାନ ପୋଲିସକୁ ଘରକୁ ଆସିବାକୁ ରୋକଠୋକ୍ ମନା କଲେ । ଏହାକୁ ନେଇ ପୋଲିସର ସନ୍ଦେହ ବଢିଲା । ଯେତେବେଳେ ପୋଲିସ ସିଧା ଯାଇ ତାଙ୍କ ଘରେ ପହଞ୍ôଚଲା, ଆଉ ଯାହା ଦେଖିଲା ନିଜେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଗଲା । ଘର ଖାନ୍‌ତଲାସ ପରେ ଜାଣିବାକୁ ପାଇଲା ଯେ, ଜେସନ୍ କେଉଁଆଡ଼େ ଯାଇନାହାନ୍ତ ଘରେ ଅଛନ୍ତି । ଘରେ ରହି ଗଞ୍ଜେଇ ବ୍ୟବସାୟ କରୁଛନ୍ତି । ତା ପୁଣି ଘର ଅଗଣାଠାରୁ ଗ୍ୟାରେଜ ପର୍ଯ୍ୟନ୍ତ ସବୁଠି ଗଞ୍ଜେଇ ଚାଷ କରୁଛନ୍ତି । ପୋଲିସକୁ ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରିଥିଲା ଗ୍ୟାରେଜ୍‌ରେ ଗଞ୍ଜେଇ ଚାଷ ଦେଖି । ପୋଲିସ ତୁରନ୍ତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜେସନ୍ ଜଜ୍‌ଙ୍କୁ କହିଥିଲେ ଯେ, ତାଙ୍କ ପତ୍ନୀ ତାଙ୍କୁ ଚାଷ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ । ହେଲେ ଜଜ୍ ତାଙ୍କ କଥାକୁ ନ ଶୁଣି ଉଭୟଙ୍କୁ ଜେଲ ପଠାଇ ଦେଇଛନ୍ତି ।

Leave A Reply

Your email address will not be published.