Latest Odisha News

BREAKING NEWS

ହଜାର ବର୍ଷର ପୁରୁଣା କୂଅ ଠାବ, ଏବେ ବି ଲୋକଙ୍କ ଶୋଷ ମେଣ୍ଟାଉଛି

ଯାଜପୁର : ହଜାର ବର୍ଷ ପୁରୁଣା କୂଅ । ଦେଖିଲେ କେହି କହିବେନି ଏତେ ପୁରୁଣା ବୋଲି । କେଉଁଠି ଗୋଟିଏ ହେଲେ ପଥର ଖସିନି କି ମାଟି ବି ଧସିନି । ଯେମିତି ଶକ୍ତ, ସେମିତି ସୁରକ୍ଷିତ । ଏବେ ବି ତାର ପାଣି ସ୍ୱଚ୍ଛ, ପାନୀୟ ଉପଯୋଗୀ । ମାଙ୍କଡା ପଥରରେ ତିଆରି ଏହି ପୁରୁଣା କୂଅ   ଏବେ ବି ଏଠିକା ଲୋକଙ୍କ ଆବଶ୍ୟକତା ପୂରଣ କରୁଛି ।

BjdElectrycity

କିଏ ଏହି  କୂଅ ବସାଇଥିଲା, କେବେ ବସାଇଥିଲା ତାହା କେହି ଜାଣନ୍ତିନି । ତେବେ ଆଖପଖ ଅଞ୍ଚଳରେ ଏହା ଦେଢଶୂର ଭାଇବୋହୂ ନାମରେ ବେଶ ଜଣାଶୁଣା ।  ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ଗ୍ରାମରୁ ଠାବ ହୋଇଛି ଏହି ପୁରାତନ କୂଅ । ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ୍ (ଇନଟାକ୍)ର ସଦସ୍ୟମାନେ ଏହି ପୁରାତନ କୂଅଟିକୁ ଠାବ କରିଛନ୍ତି । କୂଅଟିର ଗଠନ ଶୈଳୀକୁ ଦେଖି ଇନଟାକ ସଦସ୍ୟମାନେ ବି ଚକିତ ।  ଏତେ ପୁରୁଣା କୂଅ ଏମିତି ଅବସ୍ଥାରେ ମିଳିବା ଏକ ବିରଳ ଘଟଣା ବୋଲି କହିଛନ୍ତି । ତଥାପି ଏହି  ପ୍ରାଚୀନ ଐତିହ୍ୟର ରକ୍ଷଣାବେକ୍ଷଣ ସହ ପୁନରୁଦ୍ଧାରର କିଛିଟା ଆବଶ୍ୟକତା ରହିଛି ।

ଆମ ଓଡ଼ିଆ ପରମ୍ପରା ଅନୁଯାୟୀ, ଭାଇବୋହୂ ଉପରେ ଦେଢଶୂରର ଛାଇ ପଡେନାହିଁ । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚଳି ଆସୁଛି । ଚଣ୍ଡିତଳ ଗାଁ ଶିଖରଚଣ୍ଡି ପାହାଡ ପାଦଦେଶରେ ଅବସ୍ଥିତ ଏହି ପୂରୁଣା କୂଅର ନାଁ ମଧ୍ୟ  ଦେଢଶୂର ଭାଇବୋହୂ କୂଅ ।

ଏହି ପ୍ରାଚୀନ କୂଅଟି ପ୍ରାୟ ୧୨୦ଫୁଟ ଦୈର୍ଘ୍ୟ ଓ ୩୫ଫୁଟ ପ୍ରସ୍ଥ ଆୟତକାର ଭୂମି ଉପରେ ଅବସ୍ଥିତ ।  ମାଙ୍କଡା ପଥରରେ ପୂରା କୂଅଟି ତିଆରି ହୋଇଛି । ପୁରାତନ ନିର୍ମାଣ ଶୈଳୀରେ ମାଙ୍କଡା ପଥର ଦ୍ୱାରା ନିର୍ମିତ ଏହି କୂଅଟି ଏକ ଷ୍ଟେପ୍ ୱେଲ ବା ପାହାଚ ଆକାରରେ ରହିଛି । ଓଡିଶାର ଅନେକ ସ୍ଥାନରେ ପୁରାତନ କୂଅ ଠାବ କରାଯରାଇଛି । ହେଲେ  ଚଣ୍ଡିତଳର ଏହି କୂଅଟି ସମସ୍ତ କୂଅଠାରୁ ବୃହତର ବୋଲି ଇନଟାକ ସଦସ୍ୟମାନେ କହିଛନ୍ତି ।

ପ୍ରାୟ ୮୦ଫୁଟ ତଳକୁ ପାହାଚରେ ଓହ୍ଲାଇ ଜଳ ସଂଗ୍ରହ କରିହୁଏ । ଆଜି ମଧ୍ୟ ଗ୍ରାମବାସୀ ଏହି କୂଅର ଜଳକୁ ବ୍ୟବହାର କରୁଛନ୍ତି । ତେବେ ପ୍ରାଚୀନ ଐତିହ୍ୟ ଉପରେ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଥିବା ବେଳେ ଏହାର ସୁରକ୍ଷା, ରକ୍ଷଣାବେକ୍ଷଣ ସହ ପୁନରୁଦ୍ଧାର ପାଇଁ ଦାବି ଉଠିଛି ।

 

Leave A Reply

Your email address will not be published.