Latest Odisha News

BREAKING NEWS

କରୋନାର ଏବେ ଅନ୍ତ ନାହିଁ, ଚେତେଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ମହାମାରୀର ଏବେ ଅନ୍ତ ନାହିଁ । ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଅଧାନୋମ୍ ଘେବ୍ରିୟସସ୍ । ଅର୍ଥାତ୍ କେବେ କରୋନା ମରିବ କହିବା ମୁସ୍କିଲ । ସେହିପରି ଓମିକ୍ରନ୍ ଭାରିଆଣ୍ଟକୁ ହାଲୁକା ଭାବରେ ନନେବା ପାଇଁ ସାରା ବିଶ୍ୱକୁ ଚେତେଇ ବି ଦେଇଛନ୍ତି । WHO ମହାନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନ ଓମିକ୍ରନ୍ କେସ୍ ଅବିଶ୍ୱସନୀୟ ଭାବରେ ବଢୁଛି । ଏଥିରୁ ନୂଆ ଭାରିଆଣ୍ଟ ବି ଜନ୍ମ ନେଇପାରେ ।

ସେହିପରି ଟିକାକରଣ କମ୍ ହୋଇଥିବା ଦେଶଗୁଡ଼ିକ ପ୍ରତି ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କାରଣ ଟିକାକରଣ କମ୍ ହୋଇଥିବା ଦେଶରେ ଲୋକ କରୋନାରେ ଗୁରୁତର ହେବା ସହ ମୃତ୍ୟୁବରଣ ଆଶଙ୍କା ଅଧିକ ରହିଛି । ଓମିକ୍ରନ୍ କମ୍ ଗୁରୁତର କରୁଥିଲେ ବି ଏହାକୁ ହାଲୁକା ଭାବରେ ନେଇ ହେବନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ କହିଛନ୍ତି, ବିଶ୍ୱର କିଛି ଦେଶରେ ହସ୍ପିଟାଲାଇଜେସନ୍ ବଢୁଛି । ଆଗାମୀ ସପ୍ତାହ ବହୁ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ । କୌଣସି ତ୍ରୁଟି ନକରିବାକୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନହେଲେ ଓମିକ୍ରନ୍ ସାରା ବିଶ୍ୱ ଉପରେ ଭାରି ପଡ଼ିପାରେ ବୋଲି ଚେତେଇ ଦେଇଛି ।

Comments are closed, but trackbacks and pingbacks are open.