Latest Odisha News

BREAKING NEWS

ମହିଳା କୋଭିଡ୍‌-୧୯ ରୋଗୀଙ୍କ କୌଣସି ଯାତ୍ରା ଇତିହାସ ନାହିଁ: ଢେଙ୍କାନାଳ ଜିଲ୍ଲାପାଳ

ଢେଙ୍କାନାଳ: ଢେଙ୍କାନାଳର ୫୧ ବର୍ଷୀୟା ମହିଳା କୋଭିଡ୍‌-୧୯ ଆକ୍ରାନ୍ତଙ୍କର କୌଣସି ଯାତ୍ରା ଇତିହାସ ନଥିବା କଥା ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା କହିଛନ୍ତି, ମାର୍ଚ୍ଚ ୧୦ ତାରିଖ ଦିନ ୧୦ ଜଣ ଧର୍ମ ପ୍ରଚାରକ (୫ଜଣ ମହିଳା ଓ ୫ ଜଣ ପୁରୁଷ) ଏହି ମହିଳାଙ୍କ ଘରେ ରହିଥିଲେ ।

ଦୀର୍ଘ ଏକ ସପ୍ତାହ ଧରି ରହିବା ପରେ ସେମାନେ ଅନୁଗୁଳ ଓ ସମ୍ବଲପୁର ଦେଇ ମାର୍ଚ୍ଚ ୧୭ ତାରିଖରେ କଲିକତା ଯାଇଥିଲେ ।

ମହିଳାଙ୍କଠାରୁ ଜିଲ୍ଲା ପ୍ରଶାସନ ଏସମ୍ପର୍କରେ ଜାଣିବାପରେ କୋଲକାତାରେ ଥିବା ଏହି ୧୦ ଜଣ ଧର୍ମ ପ୍ରଚାରକମାନଙ୍କୁ ଠାବ କରାଯାଇଥିଲା । ଏମାନଙ୍କ ସହିତ ସେହି ମହିଳା ଏବଂ ଅନ୍ୟ ଏକ ପରିବାରର ୨ଜଣ ସଦସ୍ୟଙ୍କୁ ଏପ୍ରିଲ୍ ୩ ତାରିଖଠାରୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିବା କଥା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

“କ୍ୱାରେଣ୍ଟାଇନରେ ରହିଥିବା ସମୟରେ ସମସ୍ତଙ୍କ ନିକଟରୁ ରକ୍ତ ଓ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ କେବଳ ସେହି ମହିଳା ଜଣକଙ୍କ କରୋନା ପଜିଟିଭ୍‌୍ ଚିହ୍ନଟ ହୋଇଛି ।” ଏହା କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

କରୋନା ପଜିଟିଭ୍‌୍ ଚିହ୍ନଟ ହୋଇଥିବା ମହିଳା ଜଣକଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲ୍ ପଠାଇ ଦିଆଯିବାର ବ୍ୟବସ୍ଥା ହେଉଛି । ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଅନ୍ୟ ୧୪ ଜଣ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏହି ୧୪ ଜଣ ବ୍ୟକ୍ତିଙ୍କର ରକ୍ତ ଓ ସ୍ୱାବ ପୁନର୍ବାର ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯିବାର ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଏହି ଧର୍ମ ପ୍ରଚାରକମାନଙ୍କ ସହିତ ସଂସ୍ପର୍ଶରେ ଆସିଥିବା ଅନ୍ୟ ଦୁଇଟି ପରିବାରର ୧୫ ଜଣ ସଦସ୍ୟ, ପିଲାମାନଙ୍କ ସହିତ ୫ଜଣ ପୁରୁଷ ଓ ୫ ଜଣ ମହିଳା ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସମସ୍ତଙ୍କର ରକ୍ତ ଓ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.