Latest Odisha News

BREAKING NEWS

ହସ୍ପିଟାଲରୁ କୋଭିଡ୍ ରୋଗୀ ଗାୟବ !

ଅନୁଗୁଳ: ଲକ୍ଷଣ ଦେଖାଦେବାରୁ କୋଭିଡ୍ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ଟେଷ୍ଟ ରିପୋର୍ଟ । ପରେ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଥିଲେ । ହେଲେ ଆରୋଗ୍ୟ ହେବା ପରେ ସେହି ରୋଗୀ ଜଣକ ଏବେ ନିଖୋଜ ଥିବା ଜଣାପଡିଛି । ଏ ନେଇ ପରିବାର ଲୋକେ ଚିନ୍ତାରେ ପଡିଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ କିଛି ଜାଣିନଥିବା କହିଛନ୍ତି ।

ଅନୁଗୁଳ ତାଳଚେରସ୍ଥିତ କୋଭିଡ ହସ୍ପିଟାଲର ଗଟଣା । ଡାକ୍ତରଖାନାରୁ ଗାୟବ ହୋଇଥିଲେ କୋଭିଡ ରୋଗୀ । ଅଥଚ ହସ୍ପିଟାଲ କର୍ମଚାରୀ ଟେର୍ ପାଇନଥିଲେ । ଏ ନେଇ ଉକ୍ତ ରୋଗୀଙ୍କ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ତାଳଚେର ଘଣ୍ଟପଡାର ମହରଗା ନାଏକ ନାମକ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ହସ୍ପିଟାଲରୁ ତାଙ୍କ ପୁଅ ନିକଟକୁ ଫୋନ ଯାଇଥିଲା । ଫୋନରେ ଶୁଭିଥିଲା “ତୁମ ବାପା ସୁସ୍ଥ ହୋଇଗଲେଣି, ତାଙ୍କୁ ଘରକୁ ନେଇଯାଅ”

ଖବର ପାଇ ହସ୍ପିଟାଲରେ ପହଂଚିଥିଲେ ମହରଗା ନାଏକଙ୍କ ପୁଅ । ହାତରେ ତାଙ୍କୁ ଡିସଚାର୍ଜ କାଗଜପତ୍ର ଧରାଇ ଅପେକ୍ଷା କରିବାକୁ କୁହାଯାଇଥିଲା । ତେବେ ସଂଧ୍ୟାରୁ ରାତି ହୋଇଥିଲେ ହେଁ, ତାଙ୍କ ବାପା ବାହାରକୁ ଆସିନଥିଲେ । କିଛି ବୁଝି ନପାରି ଗୁରୁବାର ସକାଳୁ ପୁଣିଥରେ ହସ୍ପିଟାଲ ଯାଇ ତାଙ୍କ ବାପାଙ୍କ ବିଷୟରେ ପଚାରିଥିଲେ । ହେଲେ ଡାକ୍ତରଖାନାରେ ତାଙ୍କ ବାପା ନଥିବା ଜାଣିବାକୁ ପାଇଥିଲେ ।

ଘଟଣା ବିଷୟରେ ରୋଗୀଙ୍କ ଗାଁ ଲୋକେ ଜାଣିବା ପରେ ବହୁ ସଂଖ୍ୟାରେ ଡାକ୍ତରଖାନା ସାମ୍ନାରେ ଜମା ହୋଇଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ଘଟଣାସ୍ଥଳରେ ପୋଲିସ ଓ ଉପ-ଜିଲ୍ଲାପାଳ ବି ପହଂଚିଥିଲେ । ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ତେବେ ଏଠି ପ୍ରଶ୍ନ ଉଠୁଛି, ପୋଲିସ ପ୍ରଶାସନର କଡା ନଜର ମଧ୍ୟରେ ଏପରି ଘଟିଲା କିପରି ? ଏହି ଘଟଣାକୁ ଉଭୟ ଡାକ୍ତରଖାନା କର୍ମଚାରୀ ଓ ପୋଲିସ ବେଶ ହାଲୁକା ଭାବେ ଗ୍ରହଣ କରିଛି କି ? ଏପରିକି ରୋଗୀ ଜଣକ କୌଣସି ବନ୍ଧୁବାନ୍ଧବ ଘରକୁ ଯାଇଥିବେ ବୋଲି ପୋଲିସ କହୁଛି । ଅନ୍ୟପଟେ ଏ ପର୍ଯ୍ୟନ୍ତ ମହରଗା ନାଏକଙ୍କୁ ନ ପାଇଁ ଚିନ୍ତାରେ ପଡିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.