Latest Odisha News

BREAKING NEWS

କୋଭିଡ୍ ସାମଗ୍ରୀ କିଣା ନେଇ କଂଗ୍ରେସର ନୂଆ ଅଭିଯୋଗ

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟ ସରକାର କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣା ନେଇ ଆଜି ନୂଆ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି ଯେ, ଶ୍ରମିକଙ୍କୁ ଉପକରଣ ଓ ଜୋତା ଦେବାରେ ରାଜ୍ୟବ୍ୟାପୀ ୩ଶହ କୋଟି ଟଙ୍କାର ଦୁର୍ନୀତି ହୋଇଛି ।

ମାଲକାନଗିରି, କଟକ ଓ ଅନଗୁଳ ଜିଲ୍ଲାର ଉଦାହରଣ ଦେଇ ତଥ୍ୟ ରଖିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ଏହି ତିନି ଜିଲ୍ଲାପାଳଙ୍କ ସହ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରକୁ ଆଣିବା ପାଇଁ ଦାବି ହୋଇଛି । କଂଗ୍ରେସ ଅଭିଯୋଗ କରିଛି ଯେ, ୧୨ ଟଙ୍କାର ଚଷମାକୁ ୬୦ ଟଙ୍କା, ୧୮୫ ଟଙ୍କାର ଜୋତାକୁ ୪୧୩ ଟଙ୍କା, ୧୦ ଟଙ୍କାର ଗ୍ଲୋଭ୍‌ସକୁ ୯୦ ଟଙ୍କା ଏବଂ ୪୫ ଟଙ୍କାର ହେଲମେଟକୁ ୧୧୦ ଟଙ୍କାରେ କିଣାଯାଇଛି ।

କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଅଭିଯୋଗର ଜବାବ ରଖି ବିଜେଡି ନେତ୍ରୀ ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, କୌଣସି ପ୍ରକାରର ଦୁର୍ନୀତି ହୋଇନି । ଶ୍ରମିକଙ୍କୁ ଠିକ୍ ରେଟ୍‌ରେ ଜିନିଷ କିଣାଯାଇ ଦିଆଯାଇଛି । କଂଗ୍ରେସ ମିଥ୍ୟା ଅଭିଯୋଗ ଆଣିଥିବା ବିଜେଡି କହିଛି ।

Leave A Reply

Your email address will not be published.