ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ଉତ୍ତୋଳନ ପାଇଁ ଦିଆଯାଉଥିବା କ୍ୱାରି ପରମିଟ୍କୁ ନେଇ ଏବେ ପ୍ରଶାସନିକ ସ୍ତରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପରମିଟ୍ ପ୍ରଦାନରେ କୌଣସି ପ୍ରକାରର ଅନିୟମିତତା କିମ୍ବା ମନମାନିକୁ ଆଉ ବରଦାସ୍ତ କରାଯିବ ନାହିଁ। କେବଳ ସରକାରୀ ଏବଂ ଜନସ୍ୱାର୍ଥମୂଳକ ପ୍ରକଳ୍ପକୁ ଛାଡ଼ିଦେଲେ ଅନ୍ୟ କୌଣସି ବେସରକାରୀ ପ୍ରକଳ୍ପ ପାଇଁ କ୍ୱାରି ପରମିଟ୍ ଜାରି କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ ବିଭାଗ ପକ୍ଷରୁ ଜରୁରୀ ନିର୍ଦ୍ଦେଶନାମା ଜାରି ହୋଇଛି।
ଜାତୀୟ ତଥା ରାଜ୍ୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଯେପରି ଠିକ୍ ସମୟରେ ଲଘୁ ଖଣିଜ ଉପଲବ୍ଧ ହୋଇପାରିବ ଏବଂ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହେବ, ସେହି ଲକ୍ଷ୍ୟ ରଖି ସରକାର ଏହି ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି।
୨୦୨୫ର ସଂଶୋଧିତ ଓଡ଼ିଶା ଲଘୁ ଖଣିଜ କନ୍ସେସନ୍ ନିୟମାବଳୀର ଧାରା-୩୫ ଅନୁଯାୟୀ, କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରକଳ୍ପ ପାଇଁ ଏହି ପରମିଟ୍ ମିଳିବ। ବେସରକାରୀ ପ୍ରକଳ୍ପ ପାଇଁ ଅନୁମତି ଦେବାକୁ ଆଇନରେ ବାରଣ କରାଯାଇଛି।
କ୍ୱାରି ପରମିଟ୍ ପ୍ରଦାନ କରିବା ପୂର୍ବରୁ ସରଫେସ୍ ରେଣ୍ଟ୍, ରୟାଲଟି, ଅତିରିକ୍ତ ଖଣିଜ ଶୁଳ୍କ, ଡିଏମ୍ଏଫ୍ ଅବଦାନ ଏବଂ ପରିବେଶ ପରିଚାଳନା ପାଣ୍ଠି ସମେତ ସମସ୍ତ ପ୍ରଯୁଜ୍ୟ ଦେୟ ଅଗ୍ରୀମ ଆକାରରେ ଆଦାୟ କରାଯିବ।
ଗ୍ରାମାଞ୍ଚଳର ଅଣଜଙ୍ଗଲ ଜମିରେ ଥିବା କ୍ଷେତ୍ର ପାଇଁ କେବଳ ସମ୍ପୃକ୍ତ ଖଣି ଅଧିକାରୀ ଏବଂ ଜଙ୍ଗଲ ଅଞ୍ଚଳ ପାଇଁ ଡିଭିଜନାଲ୍ ଫରେଷ୍ଟ ଅଫିସର ପରମିଟ୍ ଦେବାକୁ କ୍ଷମତାପ୍ରାପ୍ତ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ ବା ସଂସ୍ଥା ଏହି ଅନୁମତି ଦେଇପାରିବେ ନାହିଁ।
ନୂଆ ବ୍ୟବସ୍ଥା ଅନୁସାରେ ପରମିଟ୍ର ବୈଧତା ସର୍ବାଧିକ ଦୁଇ ବର୍ଷ କିମ୍ବା ପ୍ରକଳ୍ପ ସମାପ୍ତି (ଯେଉଁଠି ଆଗ ସରିବ) ପର୍ଯ୍ୟନ୍ତ ବଳବତ୍ତର ରହିବ। କେବଳ ସ୍ୱତନ୍ତ୍ର ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଅବଧି ବୃଦ୍ଧି କରାଯାଇପାରିବ।
ନିକଟ ଅତୀତରେ କେତେକ ଅସାଧୁ ବ୍ୟକ୍ତି ସରକାରୀ ପ୍ରକଳ୍ପର ନାଁ ନେଇ ତଥା ନିଜକୁ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଦର୍ଶାଇ ବେଆଇନ ଭାବେ ପରମିଟ୍ ହାତେଇବାକୁ ଉଦ୍ୟମ କରୁଥିବା ଇସ୍ପାତ ଓ ଖଣି ବିଭାଗର ନଜରକୁ ଆସିଥିଲା। ଏଭଳି ଆବେଦନକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ଖାରଜ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶାବଳୀକୁ “ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ଭାବେ ବିବେଚନା କରିବାକୁ କୁହାଯାଇଛି। ଯଦି କୌଣସି ଅଧିକାରୀ ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ କ୍ୱାରି ପରମିଟ୍ ପ୍ରଦାନ କରନ୍ତି, ତେବେ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମେତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି ସରକାର କଡ଼ା ଚେତାବନୀ ଦେଇଛନ୍ତି।