Latest Odisha News

BREAKING NEWS

ପୋକ୍ସୋ ମାମଲା ତଦନ୍ତରେ ଗୁରୁତର ଅବହେଳା: ରାଇରଙ୍ଗପୁର ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିସ

ଭୁବନେଶ୍ୱର: ଏକ ସମ୍ବେଦନଶୀଳ ପୋକ୍ସୋ ମାମଲାର ତଦନ୍ତରେ ଗୁରୁତର ଖାମଖିଆଲି ମନୋଭାବ ପ୍ରଦର୍ଶନ କରିବା ବର୍ତ୍ତମାନ ରାଇରଙ୍ଗପୁରରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ମମତା ସାହୁଙ୍କ ପାଇଁ ମହଙ୍ଗା ପଡ଼ିଛି। ନିର୍ଦ୍ଧାରିତ ୧୨୦ ଦିନ ମଧ୍ୟରେ ସେ ଚାର୍ଜସିଟ୍ ଦାଖଲ କରିନପାରିବାରୁ ଅଭିଯୁକ୍ତ ଜଣକ ସହଜରେ ‘ଜାମିନ’ ପାଇ ଖସିଯିବାରେ ସକ୍ଷମ ହୋଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଓଡ଼ିଶା ପୁଲିସ ପକ୍ଷରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସୁପାରିସ କରାଯାଇଛି। ଏ ନେଇ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଏକ ଡ୍ରାଫ୍ଟ ମେମୋରାଣ୍ଡମ୍, ଆର୍ଟିକିଲ୍‌ ଅଫ୍‌ ଚାର୍ଜ ଓ ମେମୋ ଅଫ୍‌ ଏଭିଡେନ୍ସ ଗୃହ ବିଭାଗ ତଥା ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିକଟକୁ ପଠାଇଛନ୍ତି।

ସୂଚନା ଅନୁଯାୟୀ, ମମତା ସାହୁ ଯେତେବେଳେ ଯାଜପୁର ଆଇୟୁସିଏଡବ୍ଲୁ ଡିଏସ୍‌ପି ଭାବେ ଅବସ୍ଥାପିତ ଥିଲେ, ସେହି ସମୟରେ ଯାଜପୁର ସଦର ଥାନା ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ପୋକ୍ସୋ ମାମଲାର ତଦନ୍ତ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲା। ଏହି ମାମଲାରେ ସେ ୨୦୨୩ ମସିହା ଡିସେମ୍ବର ୧୬ ତାରିଖରେ ଅଭିଯୁକ୍ତଙ୍କୁ ଗିରଫ କରି ସେହିଦିନ ହିଁ କୋର୍ଟଚାଲାଣ କରିଥିଲେ। ତେବେ ନିୟମ ଅନୁଯାୟୀ ଅଭିଯୁକ୍ତ ଗିରଫ ହେବାର ୧୨୦ ଦିନ ମଧ୍ୟରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିବାର ଥିଲେ ମଧ୍ୟ, ତଦନ୍ତକାରୀ ଅଧିକାରୀ ମମତା ସାହୁ ଏଥିରେ ବିଫଳ ହୋଇଥିଲେ। ତାଙ୍କର ଏହି ଅବହେଳା ଯୋଗୁଁ ଅଭିଯୁକ୍ତ ଆଇନଗତ ଫାଇଦା ଉଠାଇ ଡିଫଲ୍ଟ ଜାମିନରେ ମୁକୁଳି ଯାଇଥିଲା। ଏହାକୁ ସରକାରୀ କର୍ମଚାରୀଙ୍କ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ବୋଲି ବିବେଚନା କରାଯାଇଛି।

ହି ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ତୀବ୍ର ଉଦବେଗ ପ୍ରକାଶ କରିଥିଲେ। ଗିରଫଦାରୀର ୧୨୦ ଦିନ ପରେ ବି ଚାର୍ଜସିଟ୍ ଦାଖଲ ନହେବା ତଦନ୍ତ ପ୍ରକ୍ରିୟାର ଏକ ଗୁରୁତର ତ୍ରୁଟି ବୋଲି କୋର୍ଟ ଦର୍ଶାଇଥିଲେ। ସମୟାନୁବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନହେବାରୁ ଜାମିନ ପାଇବା ଅଭିଯୁକ୍ତର ଆଇନଗତ ଅଧିକାର ପାଲଟିଗଲା ବୋଲି ଅଦାଲତ କଠୋର ମନ୍ତବ୍ୟ ଦେବା ସହ ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଦାଲତଙ୍କ ନିର୍ଦ୍ଦେଶ ପରେ କ୍ରାଇମ୍ ବ୍ରାଞ୍ଚର ଅପରାଧ ମହିଳା ଓ ଶିଶୁ ଶାଖା, ଯାଜପୁର ଏସ୍‌ପି ଏବଂ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସ୍ତରରେ ଘଟଣାର ଟିକିନିଖି ଯାଞ୍ଚ କରାଯାଇଥିଲା। ସମସ୍ତ ତଥ୍ୟ ଓ ପ୍ରମାଣକୁ ଆଧାର କରି ଓଡ଼ିଶା ସିଭିଲ ସର୍ଭିସ (ବର୍ଗୀକରଣ, ନିୟନ୍ତ୍ରଣ ଓ ଅପିଲ) ନିୟମ-୧୯୬୨ ଅନୁଯାୟୀ ଶ୍ରୀମତୀ ମମତା ସାହୁଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ମେମୋରାଣ୍ଡମ୍ ଅନୁସାରେ, ଏହି ଘଟଣାରେ ନିଜର ପକ୍ଷ ରଖିବା ପାଇଁ ମମତା ସାହୁଙ୍କୁ ୩୦ ଦିନର ମହଲତ ଦିଆଯାଇଛି। ସେ ଚାହିଁଲେ ଗୃହ ବିଭାଗ ନିକଟରେ ଲିଖିତ ସଫେଇ ଦେବା ସହ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ଯୁକ୍ତି ରଖିପାରିବେ । ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସେ କୌଣସି ଉତ୍ତର ନରଖନ୍ତି, ତେବେ ତାଙ୍କ ବିରୋଧରେ ଏକତରଫା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ମେମୋରାଣ୍ଡମ୍‌ରେ ସ୍ପଷ୍ଟ କରିଦିଆଯାଇଛି।

Leave A Reply

Your email address will not be published.