Latest Odisha News

BREAKING NEWS

ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ

ଭୁବନେଶ୍ୱର: ଚିତ୍ରକୋଣ୍ଡାରେ ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । ବିରୋଧୀଙ୍କ ହୋ-ହଲ୍ଲା ପରେ ମନ୍ତ୍ରୀ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବା କଥା କହିଛନ୍ତି ।

ଉଚ୍ଚସ୍ତରୀୟ ତଦନ୍ତ ଭାବେ କ୍ରାଇମବ୍ରାଞ୍ଚ ଅଥବା ବିଚାର ବିଭାଗୀୟ ତଦନ୍ତ କରିବାକୁ ବିରୋଧୀ ଦାବି କରିଥିଲେ । ବିଧାନସଭାରେ ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନାରାବାଜି କରିଥିଲେ। କ୍ରାଇମବ୍ରାଞ୍ଚ ଆଇଜି ଏହି ଘଟଣାର ତଦନ୍ତ କରିବେ ବୋଲି ମନ୍ତ୍ରୀ ତୁଷାକାନ୍ତି ସୂଚନା ଦେଇଛନ୍ତି ।

ବୁଧବାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ଉଭୟ ବିରୋଧୀ ଦଳ ବିଧାନସଭାକୁ ୪ ଥର ମୁଲତବୀ କରିବାକୁ ବାଧ୍ୟ କରିଦେଇଥିଲେ । ବିରୋଧୀ ଏକ ଗୃହ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ମଧ୍ୟ ଦାବି କରିଥିଲେ ।

ପ୍ରଥମେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ । ପରେ ତାଙ୍କ ସହ ବିଧାୟକ ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା ଏବଂ ବିଜେପିର ମୋହନ ମାଝୀ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ ।

ତାରା ବାହିନୀପତି ଘଟଣା ବିଷୟରେ କହିବାକୁ ଯାଇ, ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ବର୍ବରତା ବିଷୟରେ କହିଥିଲେ । ଗତ ଜୁନ୍ ୭ ତାରିଖରେ ଚିତ୍ରକୋଣ୍ଡା ବ୍ଲକର ଆରଏସି ଗ୍ରାମ-୧୩ରେ ଭୁଲ୍ ସୂଚନା ମୁତାବକ ଜଣେ ମହିଳାଙ୍କ ଘରେ ରାତି ଅଧରେ ପଶିଥିଲେ । ସେଠାରେ ଗଞ୍ଜେଇ ବିକ୍ରି ହେଉଥିବା ଅଭିଯୋଗରେ ମହିଳା ପୋଲିସଙ୍କ ବିନା ଯାଞ୍ଚ କରିବାକୁ ଘର ଭିତରେ ପଶିଯାଇଥିଲେ ।

ଜଣେ ଗର୍ଭବତୀ ମହିଳାଙ୍କ ସହ ଆଉ ଜଣେ ୮୦ ବର୍ଷୀୟା ବୃଦ୍ଧା ଏବଂ ଜଣେ ନାବାଳିକାଙ୍କୁ ଏସଡିପିଓ ନୃଶଂସ ଭାବେ ମାଡ଼ ମାରିଥିଲେ । ଏଥିରେ ଆହତ ହୋଇ ଚାରି ଜଣ ମହିଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏବଂ ପୋଲିସ ଚାପରେ ଡାକ୍ତର ମଧ୍ୟ ଭୁଲ ରିପୋର୍ଟ ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲେ । ଯେଉଁଥିରେ କେହି ଆହତ ହୋଇନଥିବା ଦର୍ଶାଯାଇଥିଲା ।

ତାରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମା’କୁ ସମ୍ମାନ ଦେବା କଥା କହୁଛନ୍ତି । ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଆହ୍ଵାନ ଦେଉଛନ୍ତି । କିନ୍ତୁ ଆଦିବାସୀ ମହିଳାଙ୍କୁ ଆକ୍ରମଣ କରୁଥିବ ଅଫିସର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି । ଆକ୍ରମଣରେ ଆହତ ହୋଇଥିବା ମହିଳାଙ୍କ ଫଟୋ ଦେଖାଇ ତାରା ଦାବିତ କରିଥିଲେ ଯେ, ରିପୋର୍ଟ ତିଆରି କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭା ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ସମସ୍ତ ଦଳ ଏବଂ ବିଧାୟକ ଏକାଠି ବୈଠକ କରି କିଛି ନିଷ୍ପତ୍ତି ନେବାକୁ ନରସିଂହ ପ୍ରସ୍ତାବ ଦେଇଥିଲେ ।

ବାରମ୍ବାର ଗୃହ ମୁଲତବୀ ହେବା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ।

Leave A Reply

Your email address will not be published.