Latest Odisha News

BREAKING NEWS

IPS ଦୟାଲ ଗଙ୍ଗୱାରଙ୍କ ନାଁରେ କ୍ରାଇମବ୍ରାଞ୍ଚର ସାଂଘାତିକ ରିପୋର୍ଟ, ଘରୋଇ କାମରେ ନିୟୋଜିତ ଥିଲେ ୮ ପୋଲିସ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗର ଉଚ୍ଚ ପଦବୀରେ ଥାଇ ସରକାରୀ କ୍ଷମତାର ଅପବ୍ୟବହାର କରିବା ବରିଷ୍ଠ ଅଫିସରଙ୍କୁ ମହଙ୍ଗା ପଡ଼ିଛି। ପୋଲିସ କର୍ମଚାରୀଙ୍କୁ ନିଜ ବାସଭବନରେ ଚାକର ଭଳି ଖଟାଇବା ଅଭିଯୋଗରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ତୁରନ୍ତ ଚାକିରିରୁ ନିଲମ୍ବିତ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏହି ସାକାର୍ଯ୍ୟାନୁଷ୍ଠାନ ପଛରେ ପୋଲିସ ମହାନିର୍ଦ୍ଦେଶକ ବା ଡିଜିପିଙ୍କ ଏକ ଗୋପନୀୟ ତଦନ୍ତ ରିପୋର୍ଟ ରହିଛି। ବାଲିଅନ୍ତ ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ଗଙ୍ଗୱାର ରେଳବାଇ ଏବଂ ଉପକୂଳ ସୁରକ୍ଷା ବିଭାଗର ଏଡିଜିପି ପଦବୀରେ ଥିବା ସମୟରେ କୌଣସି ସରକାରୀ ଅନୁମତି ନନେଇ ସରକାରୀ ରେଳବାଇ ପୋଲିସ ବା ଜିଆରପିର ୮ ଜଣ କର୍ମଚାରୀଙ୍କୁ ନିଜ ଘର କାମରେ ଲଗାଇଥିଲେ। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସରକାରୀ ବଳକୁ ବ୍ୟବହାର କରିଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ତାର ରିପୋର୍ଟରେ ଦର୍ଶାଇଥିଲା। ଏହି ପ୍ରମାଣ ସାମ୍ନାକୁ ଆସିବା ପରେ ସରକାର ଏହାକୁ କାର୍ଯ୍ୟାନୁଷ୍ଠାନ ଭାବେ ଗ୍ରହଣ କରିଛନ୍ତି। ସର୍ବଭାରତୀୟ ସେବା ଆଚରଣ ବିଧି ଅନୁଯାୟୀ ତାଙ୍କ ବିରୋଧରେ ଏହି ତତ୍କାଳ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି।

ନିଲମ୍ବନ ପରେ ଦୟାଲ ଗଙ୍ଗୱାରଙ୍କ ପାଇଁ କିଛି କଠୋର ନିୟମ ମଧ୍ୟ ଲାଗୁ କରାଯାଇଛି। ସସ୍ପେନ୍ସନ ଅବଧି ମଧ୍ୟରେ ତାଙ୍କର ମୁଖ୍ୟାଳୟ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ରହିବ ଏବଂ ଡିଜିପିଙ୍କ ସ୍ୱତନ୍ତ୍ର ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି ବାହାରକୁ ଯାଇପାରିବେ ନାହିଁ। ଏହି ସମୟରେ ସେ କେବଳ ସରକାରୀ ନିୟମ ମୁତାବକ ଜୀବନ ନିର୍ବାହ ଭତ୍ତା ପାଇବାକୁ ଯୋଗ୍ୟ ହେବେ।

ଉଲ୍ଲେଖଯୋଗ୍ୟ, ଗଙ୍ଗଓ୍ୱାରଙ୍କ ଏକ ଜିମ୍ କଟକ ଅଡସପୁରରେ ଥିଲା। ଏହି ଜିମରୁ ବିବାଦ ଆରମ୍ଭ ହୋଇଥିଲା। ସୌମ୍ୟଙ୍କ ମୃତ୍ୟୁ ପରେ ଏନଏଚଆରସି ଓ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିବା ସହିତ ଗଙ୍ଗଓ୍ୱାରଙ୍କୁ ପଚରାଉଚରା କରିଥିଲେ। ପରେ ଏହି କାର୍ଯ୍ୟାନୁଷ୍ଠାନୁଷ୍ଠାନ ଗ୍ରହଣ କରାଯାଇଛି। କ୍ରାଇମବ୍ରାଞ୍ଚ ରିପୋର୍ଟ ଦାଖଲ କରିବା ପରେ ଗୃହ ବିଭାଗର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସସପେଣ୍ଡ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.