Latest Odisha News

BREAKING NEWS

କ୍ରସ୍-ଭୋଟିଂ ବିବାଦ: ନିଲମ୍ବିତ ବିଧାୟକଙ୍କୁ ଦିଲ୍ଲୀପ ରାୟଙ୍କ ଭେଟଘାଟ ପରେ ବଢ଼ିଲା ରାଜନୈତିକ ଉଷ୍ମତା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ ଓଡ଼ିଶା ରାଜନୀତିରେ କ୍ରସ୍-ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବେ ସେହିସବୁ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଛନ୍ତି, ଯେଉଁମାନେ ନିର୍ବାଚନରେ କ୍ରସ୍-ଭୋଟିଂ କରିଥିଲେ। ଏହି ଘଟଣା ଏବେ ବିଜୁ ଜନତା ଦଳ କ୍ୟାମ୍ପରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ଶନିବାର ଦିଲ୍ଲୀପ ରାୟ ହଠାତ୍ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେ ସୌଭିକ ଏବଂ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନରେ ସୌଭିକ ଦଳୀୟ ହ୍ୱିପ୍ ଉଲ୍ଲଂଘନ କରି ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେଇଥିଲେ, ଯେଉଁଥିପାଇଁ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କରିସାରିଛି। ନିର୍ବାଚନ ପରେ କ୍ରସ୍-ଭୋଟିଂ କରିଥିବା ଜଣେ ନିଲମ୍ବିତ ବିଧାୟକଙ୍କୁ ଦିଲ୍ଲୀପଙ୍କର ଏହି ସାକ୍ଷାତ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଦିଲ୍ଲୀପ ରାୟଙ୍କ ଏହି ଭେଟଘାଟକୁ ନେଇ ବିଜେଡି ବିଧାୟକ ସାରଦା ଜେନା ଏକ ସାଂଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେଡି ପୂର୍ବରୁ ଯେଉଁ ଘୋଡ଼ା ବେପାରର ଅଭିଯୋଗ ଆଣିଥିଲା, ତାହା ଏବେ ସମ୍ପୂର୍ଣ୍ଣ ସତ ପ୍ରମାଣିତ ହେଉଛି।

ଦିଲ୍ଲୀପଙ୍କୁ ସିଧାସଳଖ ଟାର୍ଗେଟ୍ କରି ସାରଦା ଜେନା କହିଛନ୍ତି, “ନିର୍ବାଚନ ଜିତିବା ପରେ ସେ ଏବେ କୃତଜ୍ଞତା ଜଣାଇବାକୁ ଯାଉଛନ୍ତି। ଘରକୁ ଯାଇ ଘୋଡ଼ାମାନଙ୍କୁ ଭେଟୁଛନ୍ତି ଏବଂ ମଝିରେ ମଝିରେ ସେମାନଙ୍କୁ ଦାନା ବି ଦେଉଛନ୍ତି।” ବିଜେଡିରୁ ବିଦ୍ରୋହ କରିଥିବା ବିଧାୟକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେପି ଏବଂ ଦିଲ୍ଲୀପ ରାୟ ଉଦ୍ୟମ ଜାରି ରଖିଥିବା ସାରଦା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧୬ ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ଜଣ ଏବଂ କଂଗ୍ରେସର ୩ ଜଣ ବିଧାୟକ କ୍ରସ୍-ଭୋଟିଂ କରି ଦିଲ୍ଲୀପ ରାୟଙ୍କୁ ବିଜୟୀ କରାଇଥିଲେ। ଏହାପରେ ଉଭୟ ଦଳ ନିଜର ବିଦ୍ରୋହୀ ବିଧାୟକମାନଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ରଖିଛନ୍ତି। ତେବେ ବର୍ତ୍ତମାନର ଏହି ଘଟଣାକ୍ରମ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ କେଉଁ ନୂଆ ସମୀକରଣ ସୃଷ୍ଟି କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.