Latest Odisha News

BREAKING NEWS

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର! ଆସନ୍ତା ୪ରେ ବାଦ୍ ପଡ଼ିଥିବା ଆଉ ୧.୨୩ ଲକ୍ଷ ମହିଳାଙ୍କୁ ମିଳିବ ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଛି ଏକ ବଡ଼ ଖବର। ଯେଉଁ ଯୋଗ୍ୟ ହିତାଧିକାରୀମାନେ କୌଣସି କାରଣବଶତଃ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଆସନ୍ତା ମେ’ ୪ ତାରିଖରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏ ନେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର ଦିନ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଥିଲା। ସେହି ଦିନ ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଡିବିଟି (DBT) ମାଧ୍ୟମରେ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ଅନେକ ଯୋଗ୍ୟ ମହିଳା ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ଅଭିଯୋଗ ଆସିଥିଲା।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ଚିହ୍ନଟ କରି ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ଯେପରି କୌଣସି ଜଣେ ବି ଯୋଗ୍ୟ ମହିଳା ଏହି ଯୋଜନାରୁ ବଞ୍ଚିତ ନହୁଅନ୍ତି ଏବଂ ସମସ୍ତଙ୍କୁ ସମାନ ସୁବିଧା ମିଳିପାରିବ।

ଉପମୁଖ୍ୟମନ୍ତ୍ରୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ, ଏବେ ସୁଦ୍ଧା ସମୁଦାୟ ୧,୨୩,୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଆସନ୍ତା ମେ’ ୪ ତାରିଖରେ ଏହି ସମସ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଅର୍ଥ ପଠାଯିବ। ଏହି ଘୋଷଣା ପରେ ଟଙ୍କା ପାଇନଥିବା ଲକ୍ଷାଧିକ ମହିଳାଙ୍କ ମଧ୍ୟରେ ଏବେ ଖୁସିର ଲହରୀ ଖେଳିଯାଇଛି। ମହିଳା ସଶକ୍ତୀକରଣ ଏବଂ ଆର୍ଥିକ ସ୍ୱାଧୀନତା ଦିଗରେ ସରକାରଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.