Latest Odisha News

ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଦୋହଲିଲା ବିମାନ

ଚେନ୍ନାଇ: ବାତ୍ଯା ଫେଙ୍ଗଲ୍ ଯୋଗୁ ଚେନ୍ନାଇ ଏବଂ ପଣ୍ଡିଚେରୀରେ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାରେ ସମୁଦ୍ର ପାଖାପାଖି ରାସ୍ତା ମାନଙ୍କରେ ଯାତାୟାତ ଠପ ହୋଇଯାଇଥିବା ବେଳେ ଅନ୍ୟପଟେ ଚେନ୍ନାଇ ବିମାନବନ୍ଦରକୁ ଶନିବାର ବନ୍ଦ କରାଯାଇ ପ୍ରାୟ ୨୮ଟି ବିମାନକୁ ବାତିଲ କରାଯାଇଥିଲା। ସେହିପରି ଅନ୍ୟ କିଛି ବିମାନ ଗୁଡିକର ମାର୍ଗକୁ ପରିବର୍ତ୍ତନ କରାଯାଇଥିଲା।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ଏହା ପରେ ମଧ୍ୟ ବିମାନବନ୍ଦରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ​​ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଏକ ବିମାନ ଚେନ୍ନାଇ ବିମାନ ବନ୍ଦରରେ ଅବତରଣ କରୁଥିବା ଦେଖିବାକୁ ମିଳିଛି। ଯେତେବେଳେ ବିମାନ ରନୱେ ନିକଟରେ ପହଞ୍ଚେ ସେତେବେଳେ ବାତ୍ୟାର ପବନ କାରଣରୁ ଅବତରଣ ସମୟରେ ସମସ୍ୟା ଉପୁଜିଥିଲା। ହଠାତ୍ ବିମାନର ଉପର ଅଂଶ ଉପରକୁ ଉଠି ଯାଇଥିଲା ଓ ପବନ ଯୋଗୁଁ ବିମାନଟି ସନ୍ତୁଳନ ହରାଇଥିଲା। ଫଳରେ ବିମାନଟି ଅବତରଣ କରିବା ପରିବର୍ତ୍ତେ ଉପରକୁ ଗତି କରିଥିଲା। ତେବେ ପାଇଲଟଙ୍କର ବହୁ ଚେଷ୍ଟା ପରେ ମଧ୍ଯ ସେ ସଫଳ ହୋଇପାରିନଥିଲେ।

ଅପରପକ୍ଷରେ ପାଇଲଟ୍ ତାଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି  ବିମାନକୁ ସୁରକ୍ଷିତ କରିପାରିଥିଲେ। ତେବେ ସାଇକ୍ଲୋନ ଫେଙ୍ଗଲ  ପାଇଁ କିଛି ବିମାନ ଗୁଡିକର ଅବତରଣ ଅଟକାଇବାକୁ ମଧ୍ଯ ପଡିଥିଲା।

ତାମିଲନାଡୁ ଏବଂ ପଣ୍ଡିଚେରିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଚେନ୍ନାଇ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଏପରିକି ଶନିବାର ସକାଳୁ ୨୨ଟି ବିମାନକୁ ବାତିଲ କରାଯିବା ସହ  ତିନିଟିର ମାର୍ଗ ପରିବର୍ତ୍ତନ କରାଯାଇଥିଲା।

 

Comments are closed.