Latest Odisha News

BREAKING NEWS

ସଙ୍କୁଚିତ ହେଉଛି ବାଲୁଖଣ୍ଡ ଅଭୟାରଣ୍ୟ, କୋଷ୍ଟାଲ ରେଗୁଲେସନ୍ ଜୋନ୍ ନିୟମର ହେଉଛି ଉଲ୍ଲଂଘନ

ପୁରୀ: ଉଚ୍ଚ ଜୁଆର ଆସୁଥିବା ସମୁଦ୍ରର ୫୦୦ ମିଟର ଦୂରରେ ସ୍ଥାୟୀ ନିର୍ମାଣର ନିୟମ ରହିଥିବା ବେଳେ ପୁରୀରେ ଉଲ୍ଲଂଘନ ହେଉଛି । ବାଲୁଖଣ୍ଡ ଅଭୟାରଣ୍ୟର ଅତି ନିକଟରେ ସ୍ଥାୟୀ ଜନବସତି ଗଢ଼ି ଉଠିଥିବା ବେଳେ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (PKDA), ବନ ବିଭାଗ ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ହାତ ବାନ୍ଧି ବସିଥିବା ଅଭିଯୋଗ ହେଉଛି । ଫଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଜବର ଦଖଲ ।

ଏଭଳିକି ବାଙ୍ଗର ଗାଁରେ ନିର୍ମିତ ଜିଲ୍ଲା କାରାଗାର ମଧ୍ୟ CRZ ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି । ଫଳରେ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ଚଳ ପ୍ରଚଳରେ ବାଧାସୃଷ୍ଟି ହେବା ସହ ଅଲିଭ୍ ରିଡଲେ କଇଁଚ୍ଛଙ୍କ ଅଣ୍ଡା ଦେବା ସ୍ଥଳ ପ୍ରଭାବିତ ହୋଇଛି । ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ CRZ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଅଭୟାରଣ୍ୟରେ ଜନ ବସତି ଓ ଜବରଦଖଲକାରୀଙ୍କ ଯୋଗୁଁ ହରିଣ ମାନେ ସହରମୁହାଁ ହୋଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି । ନିୟନ୍ତ୍ରିତ ଅଞ୍ଚଳରେ ସାଧାରଣତଃ ତିନି ପ୍ରକାର ଆଇନ୍ ଉଲ୍ଲଂଘନ ହୋଇଥାଏ । ପ୍ରଥମତଃ ଜନବସତି ନିର୍ମାଣ ଉଦ୍ଦେଶ୍ୟରେ ସମୁଦ୍ରକୁ ପୋତା ଯାଇ କୋଠାବାଡ଼ି ନିର୍ମାଣ । ଦ୍ୱିତୀୟରେ ସମୁଦ୍ରର ୫୦୦ ମିଟର ଦୂରତା ମଧ୍ୟରେ କୋଠାବାଡ଼ା ନିର୍ମାଣ ଓ ତୃତୀୟରେ ସମୁଦ୍ରକୁ ଯାତାୟତ କରିବା ପାଇଁ ଥିବା ରାସ୍ତା ଅବରୋଧ କରିବା CRZ ଆଇନ୍ ଉଲ୍ଲଂଘନ ।

ଆଉ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଏ ସମସ୍ତ ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । CRZ ଆଇନର କୌଣସି ଉଲ୍ଲଂଘନ ହେଉ ନଥିବା ବନ ବିଭାଗ କହିଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପୁରୀ ବେଳାଭୂମି ସଂଲଗ୍ନ ୮୭ ବର୍ଗ କିଲୋମିଟର ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ଜୈବ ବିବିଧତାରେ ପରିପୂର୍ଣ୍ଣ । କିନ୍ତୁ ଜବର ଦଖଲ ପାଇଁ ସଙ୍କୁଚିତ ହେବାରେ ଲାଗିଛି । ପ୍ରଶାସନ କେବେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରୁଛି ।

Leave A Reply

Your email address will not be published.