Latest Odisha News

BREAKING NEWS

ପାକିସ୍ତାନ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ: ଆରବସାଗରରେ ଶକ୍ତିଶାଳୀ ହୋଇ ବାତ୍ୟା ‘ବିପର୍ଯ୍ୟୟ’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର ଦିଗକୁ ଗତି କରୁଛି । ଏବେ ବାତ୍ୟା ‘ବିପର୍ଯ୍ୟୟ’ ମୁମ୍ବାଇ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୬୨୦ କିଲୋମିଟର ଦୂରରେ ରହିଥିବା ବେଳେ ପୋରବନ୍ଦର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫୬୦ କିଲୋମିଟର ଏବଂ କରାଚି ଠାରୁ ଦକ୍ଷିଣରେ ୮୭୦ କିଲୋମିଟର ଦୂରରେ ରହିଛି ।

ଭାରତୀୟ ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ, ବାତ୍ୟା ‘ବିପର୍ଯ୍ୟୟ’ ଆଗାମୀ ୧୨ ଘଣ୍ଟାରେ ଆହୁରି ଶକ୍ତିଶାଳୀ ହୋଇ ଉତ୍ତର ଦିଗରେ ଗତି କରିବ । ୧୫ ତାରିଖ ସନ୍ଧ୍ୟାରେ ଅତି ଭୀଷଣ ବାତ୍ୟା ଭାବେ ‘ବିପର୍ଯ୍ୟୟ’ ପାକିସ୍ତାନ ଉପକୂଳ ପହଞ୍ଚି ପାରେ ।

ତେବେ ବାତ୍ୟା ପାକିସ୍ତାନ ଉପକୂଳ ଛୁଇଁବା ନେଇ ପାକିସ୍ତାନ ପାଣିପାଗ ବିଭାଗ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ । ତଥାପି ୧୧ ତାରିଖ ଠାରୁ ପାକିସ୍ତା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରିଥିବା ବେଳେ ସିନ୍ଧ-ମାକ୍ରନ ଉପକୂଳରେ ୧୩ ତାରିଖରୁ ପ୍ରବଳ ବର୍ଷା ଓ ପବନ ହେବା ଆକଳନ କରିଛି ।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ ଆଜି ସନ୍ଧ୍ୟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଏବେ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

 

Leave A Reply

Your email address will not be published.