Latest Odisha News

BREAKING NEWS

ଧାମରାରୁ ୭୦ କିମି ଦୂରରେ ଅତି ଭୀଷଣ ବାତ୍ୟା ‘ୟାସ୍’, ଦିନ ୧୦ରୁ ୧୧ଟା ମଧ୍ୟରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ୟାସ୍’ । ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏବେ ବାତ୍ୟା ‘ୟାସ୍’ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୧୫୫ କିଲୋମିଟର ରହିଛି ।

ବାତ୍ୟା ‘ୟାସ୍’ ପୂର୍ବ-ଦକ୍ଷିଣପୂର୍ବରେ ଧାମରା ଠାରୁ ୭୦ କିଲୋମିଟର ଦୂରରେ ଥିବା ବେଳେ ପୂର୍ବ-ଉତ୍ତରପୂର୍ବ ଦିଗରେ ପାରାଦୀପ ଠାରୁ ୯୦ କିଲୋମିଟର ଏବଂ ବାଲେଶ୍ୱର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୩୦ କିଲୋମିଟର ଦୂରରେ ରହିଛି । ଏସଆରସ୍ ପ୍ରଦୀପ ଜେନା ଦେଇଥିବା ସୂଚନା ଅନୁସାରେ, ‘ୟାସ୍’ର ପବନର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ରହିଛି । ଭୋରରୁ ବାତ୍ୟା ସ୍ଥଳଭାଗ ଛୁଇଁବା କୁହାଯାଉଥିଲେ ହେଁ ଏହା ବିଳମ୍ବ ହେବ ବୋଲି ଜଣାପଡ଼ିଛି । ଦିନ ପ୍ରାୟ ୧୦ରୁ ୧୧ଟା ସମୟ ମଧ୍ୟରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ବାସୁଦେବପୁର-ବାହାନଗା ଅଞ୍ଚଳର (ଟିକିଏ ଉତ୍ତର/ଦକ୍ଷିଣ ପଟ)ରେ ଅତି ଭୀଷଣ ବାତ୍ୟା ‘ୟାସ୍’ ମାଡ଼ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଏବେ ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ଜୋରରେ ପବନ ବହୁଛି । ୫ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଶାସନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି ।

ବାତ୍ୟା ‘ୟାସ୍’ ପ୍ରଭାବରେ ପାରାଦୀପରେ ଘଣ୍ଟାପ୍ରତି ପବନ ୪୧ କିଲୋମିଟର ବେଗରେ ବହୁଥିବା ବେଳେ ଭୁବନେଶ୍ୱରରେ ୨୬, ବାଲେଶ୍ୱରରେ ୪୧, ଗୋପାଳପୁରରେ ୧୧, ଚାନ୍ଦବାଲିରେ ୨୨, ଦୀଘାରେ ୪୧ କିଲୋମିଟର ବେଗରେ ପବନ ବହୁଥିବା ବେଳେ ବର୍ଷା ଲାଗି ରହିଛି ।

Leave A Reply

Your email address will not be published.