Latest Odisha News

ଡହରା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ସେତେବେଳେ ଆମ ଗାଁରେ ବିଜୁଳି ସଂଯୋଗ ନଥିଲା। ପାଖାପାଖି ୪୫ ବର୍ଷ ତଳର କଥା। ଗାଁକୁ ଯେତେବେଳେ ବିଜୁଳି ସଂଯୋଗ କଥା ଚିନ୍ତା କରାଗଲା, ତାହା କେବଳ କୃଷକମାନଙ୍କୁ ଆଖି ଆଗରେ ରଖି। କାରଣ, ଯେଉଁମାନଙ୍କ ଜମିରେ କୂଅ କିମ୍ବା ମୋଟର ଲାଗିବା ପାଇଁ ବ୍ୟବସ୍ଥା ଥିଲା, ସେମାନଙ୍କ ପାଇଁ ବିଜୁଳି ନିହାତି ଦରକାର ଥିଲା। ସେଥିପାଇଁ ତ ସରକାର ନିଜ ଆଡୁ ପଦକ୍ଷେପ ନେଲେ, ଆଉ ଗାଁକୁ ବିଦ୍ୟୁତ୍ ସଂଯୋଗ ହେଲା। ହେଲେ ଦିନରେ ଦୁଇ ତିନି ଘଣ୍ଟା ବିଜୁଳି ରହିଲେ ବଡ଼କଥା। ନହେଲେ ଅବସ୍ଥା ଯେଉଁ ତିମିରେ କୁ ସେଇ ତିମିରେ।

ଖରାଦିନରେ ତ ଗାଁର ସିଂହଭାଗ ଲୋକ ଅଗଣା କିମ୍ବା ବାରଣ୍ଡାରେ ଖୋଲା ଆକାଶ ତଳେ ମଶିଣା ପାରି ଶୁଅନ୍ତି। କେହି କେହି ତ ଗାଁ କୂଅର ଗୋବାରଣ ଚାରିପଟେ ଥିବା ଚାନ୍ଦିନୀ ଉପରେ ଶୋଇପଡ଼ନ୍ତି। ଏମିତି ହିଁ ଦିନେ ଆମେ ସମସ୍ତେ ସନ୍ଧ୍ୟାରୁ ହିଁ ଅଗଣାରେ ମଶିଣା (ହେଁସ) ପାରି ପବନ ଖାଉଥିଲୁ। ଏତିକି ବେଳେ ସଦାନନ୍ଦ ମାମୁଁ କୁଆଡ଼େ ଥିଲେ କେଜାଣି ସାଇକଲଟା ଗଡ଼େଇ ଗଡ଼େଇ ଆସି ଆମ ଘରେ ପହଞ୍ଚିଲେ। ସେ ମୋ ମାଆ କିମ୍ବା ବଡ଼ମାଆର ଭାଇ ନୁହନ୍ତି। ଆମ ପାଖ ଗାଁର ଲୋକ ସିଏ। ଆମ ଗାଁରେ ବାହା ହୋଇଥିଲେ। ହେଲେ କେବେ ବି ନିଜ ଶ୍ୱଶୁର ଘରକୁ ଯାଆନ୍ତି ନାହିଁ ସେ। ଯେବେ ଆମ ଗାଁକୁ ଆସନ୍ତି, ଆମ ଘରକୁ ଆସିଯାଆନ୍ତି। ତେଣୁ ପିଲାଦିନୁ ଆମେ ତାଙ୍କୁ ମାମୁଁ ବୋଲି ଡାକୁ। ସିଏ ଗାଁରୁ ଧାନ, ମାଣ୍ଡିଆ, ମକା ଏବଂ କେବେ କେବେ ପନିପରିବା ନେଇ ବଜାରରେ ବିକନ୍ତି। ସେଥିରୁ ତାଙ୍କ ରୋଜଗାର। ହେଲେ ଯେବେ ବି ଆମ ଘରକୁ ଆସନ୍ତି, କେବେ ହେଲେ ସାଙ୍ଗରେ କିଛି ନେଇ ଆସନ୍ତିନି। ଆମେ କାହିଁକି ଜାଣିବୁ ତାଙ୍କ ଅବସ୍ଥା କଣ। ଆମେ ଭାଇ ଭଉଣୀ ମିଶି ସେତେବେଳକୁ ଛଅ ଜଣ ଥିଲୁ । କେବେ କାହା ପାଇଁ କମଳାକୋଳଟିଏ କି ନଳାଖଜା କି ଟଙ୍କାକର ଗୁଲୁଗୁଲା ଆଣିନାହାନ୍ତି ସେ। ତେଣୁ ମଜାରେ କେବେ କେମିତି ବଡ଼ବାପା କହି ଦିଅନ୍ତି, ଆରେ ସଦାନନ୍ଦ .. ପଇସା ସବୁ କ’ଣ କରୁଛ? ଥରେ ଅଧେ କାହାକୁ ଚାହା କପେ ତ ପିଆଅ। ତା’ ପରେ ଉଭୟେ ବଡ଼ ଜୋରରେ ହସି ଦିଅନ୍ତି।

ସେଦିନ ସଦାମାମୁଁ ଆମ ଘରେ ପହଞ୍ଚିଲା ବେଳକୁ ଆମେ ସବୁ ପିଲାମାନେ ଖିଆ ପିଆ ସାରି ଦେଇଥିଲୁ। କେବଳ ବଡ଼ମାନେ ବାକିଥିଲେ। ସଦାମାମୁଁ ଆସିବା ଦେଖି, ବଡ଼ମାଆ କହିଲେ, ଆରେ ସଦା, ତୁ ଠିକ୍ ସମୟରେ ଆସିଲୁ। ଆସ ଆଗ କ’ଣ ଦିଟା ଖାଇଦେ, ତା ପରେ ଯାହା କଥାବାର୍ତ୍ତା। କିନ୍ତୁ ସଦାମାମୁଁ ସେଦିନ ଖାଇବା କଥାଟାକୁ ଏଡ଼ାଇ ଗଲେ। ଏକ ନାଟକୀୟ ଶୈଳୀରେ ଧଇଁ ସଇଁ ହେଲା ଭଳି କହିଲେ, ମୋର ସତାବନ ହଜାର ଟଙ୍କା ପକେଟ ମାର ହୋଇଗଲା। କିଏ କିଛି କହିବା ଆଗରୁ ଆମେ ସବୁ ପିଲାମାନେ ଏକା ସାଙ୍ଗରେ ଠୋ ଠୋ ହୋଇ ହସିବାରେ ଲାଗିଲୁ। ମୋ ଭାଇନା କହିଲା, ସଦାମାମୁଁ, ଗପ କହିବ ଯଦି ବାଘ ଭାଲୁ ହାତୀ ଘୋଡ଼ା ଗପ କୁହ। ନହେଲେ ଡାଆଣୀ ଚିରୁଗୁଣୀ ଗପ କୁହ। ଏ ଡହରା ଗପ କାହିଁକି କହୁଛ। ଭାଇନା ଏତକ କଥା କହିଲା ପରେ, ଆମେ ସମସ୍ତେ ପୁଣି ଥରେ ଜୋରରେ ହସି ଉଠିଲୁ। ବଡ଼ମାଆ କହିଲେ, ସଦା, ତୋ କଥାକୁ ପିଲାମାନେ ଯେତେବେଳେ ମଜାରେ ଉଡ଼େଇ ସାରିଲେଣି, ବଡ଼ମାନେ କୁଆଡ଼େ ବିଶ୍ୱାସ କରିବେ କହିଲୁ? ତା ପରେ କହିଲେ, ତୁ ଜାଣିଛୁ ତ .. ସତାବନ ହଜାର ମାନେ କେତେ ଟଙ୍କା ? ହଇରେ, ୟାଙ୍କର ପରା ମାସକ ଦରମା ବାରଶ ଟଙ୍କା। ଚାକିରି ବାକିରି କରି, ଏ ଯାଏଁ ଆମେ କେବେ ଆମ ପାଖରେ ଟଙ୍କା ଦଶ ହଜାର ଦେଖିନୁ। ତୁ ଏମିତି କଣ କଲୁ ଯେ, ତୋ ପାଖରେ ସତାବନ ହଜାର ଟଙ୍କା ଆସିଗଲା। ଆଉ ତୁ ତାକୁ ତୋ ପକେଟରେ ଧରିକି ବୁଲୁଥିଲୁ। ତାହା ପୁଣି ଚୋରି ହୋଇଗଲା? ଅନ୍ତତଃ ଏମିତି କିଛି କହ, ଯାହାକି ବିଶ୍ୱାସଯୋଗ୍ୟ। ମୁଁ ବୁଝି ପାରୁଛି, ତୁ ଭାଇଙ୍କଠୁ ନେଇଥିବା ତିନିଶହ ଟଙ୍କା ଆଜି ଫେରେଇବୁ ବୋଲି କହିଥିଲୁ। ସେ କଥା ଠିକ୍ ଅଛି। ଯଦି ତୋ ପାଖରେ ପଇସା ନାହିଁ, ତାକୁ ତୁ ପରେ କେବେ ସୁବିଧା ଦେଖି ଦେଇଦେବୁ। କିନ୍ତୁ ସେ କଥାରୁ ନଜର ହଟାଇବାକୁ ଯାଇ ତୁ ଏତେ ବଡ଼ ଗୋଟେ ମିଛ କଥା କହୁଛୁ? ଏଇଟାକୁ କଣ କୁହାଯିବ କହିଲୁ?

ସଦାମାମୁଁ କିଛି କହିବା ପୂର୍ବରୁ, ଦୂରରେ ବସି ଏ ସବୁ କଥା ଶୁଣୁଥିବା ବଡ଼ବାପା ହସି ହସି ଆସି କହିଲେ, ଆରେ କାହିଁକି ତା ପଛରେ ପଡ଼ିଛ କହିଲ? ସେ ଆଗରୁ କେବେ ସତ କହିଥିଲା ଯେ, ଏବେ ତମକୁ କହିବ? ଆମେ ତ ତାକୁ ଏତେ ବର୍ଷ ହେଲା ଦେଖିକି ଆସୁଛନ୍ତି, ଆମେ କଣ ଜାଣି ନାହାନ୍ତି ଯେ, ସେ ଡହରାଟେ ବୋଲି। ବଡ଼ବାପାଙ୍କ କଥା ଶୁଣିବା ପରେ ସଦାମାମୁଁ ଫେଁ କିନା ହସିଦେଲେ। କହିଲେ, ମୁଁ ଯେତେ କହିଲେ ବି ମୋ କଥା କେହି ବିଶ୍ୱାସ କରୁନାହାନ୍ତି। ଏଇ ଦେଖୁନାହାନ୍ତି, ମୋ ଗୋଡ଼, ମୋ ଆଣ୍ଠୁରେ କେତେ ମାଡ଼ ବାଜିଛି। ଯେଉଁମାନେ ମୋଠୁ ଟଙ୍କା ମାରିନେଲେ, ସେମାନଙ୍କ ଆକ୍ରମଣରେ ମୋର ଏ ଅବସ୍ଥା। ବଡ଼ବାପା କହିଲେ, ଏ କଥାଟା ଆମର ଏ ପିଲାମାନେ ହୁଏ ତ ବିଶ୍ୱାସ କରିପାରନ୍ତି, ହେଲେ ଆମେ କ’ଣ ବିଶ୍ୱାସ କରିପାରିବୁ? ତମେ ସାଇକଲରୁ ପଡ଼ି ଆଣ୍ଠୁ ଗଣ୍ଠି ଛିଣ୍ଡେଇ କି ଆସିଛ। ଆଉ କହୁଛ, କିଏ ପକେଟ କାଟି ଚୋରି କରିଦେଲା? ତା ଆକ୍ରମଣରେ ତମର ଏ ଅବସ୍ଥା? ସଦାମାମୁଁ ନିଜ ଡହରାମିକୁ ବଳବତ୍ତର ରଖିବା ଉଦ୍ଦେଶ୍ୟରେ ସେଠାରୁ ବଡ଼ ବଡ଼ ପାହୁଣ୍ଡ ପକାଇ ଚାଲିଗଲେ ସିଧା ପୋଖରୀ ଆଡ଼େ।

ଗାଧୁଆ ପାଧୁଆ ସାରି ସଦାମାମୁ ଯେତେବେଳେ ଆମ ଆଡ଼କୁ ଆସିଲେ, ଆମେ ଭାବିଲୁ ସେ ଖାଇବା ପିଇବା କଥା କହିବେ। ହେଲେ ପୁଣି ଆରମ୍ଭ କରିଦେଲେ ସେଇ ପକେଟମାର କଥା। ସେଇ ଚୋରି କଥା ନୁହେଁ, ବରଂ ତା ପୂର୍ବରୁ ଏମିତି ଶତାଧିକ ଥର ତାଙ୍କ ପକେଟମାର ହୋଇଛି ବୋଲି ସେ ବଡ଼ ଦୃଢ଼କଣ୍ଠରେ କହିଲେ। ହେଲେ ଏଥର ବଡ଼ବାପା ଟିକିଏ ବିରକ୍ତି ପ୍ରକାଶ କରିବାରୁ, ସେ ଚୁପ୍ ହୋଇଗଲେ ଏବଂ ଚୁପଚାପ୍ ଖାଇ ଦେଇ, ସେହି ରାତିରେ ହିଁ ନିଜ ଗାଁକୁ ଚାଲିଗଲେ। ତା ପରେ ସେ ଏମିତି ଅନେକ ଥର ଘରକୁ ଆସିଛନ୍ତି, ହେଲେ ଆମ ଆଗରେ ଆଉ କେବେ ଚୋରି କଥା କହିନାହାନ୍ତି।

ଆମେ ସମସ୍ତେ ଏ କଥାକୁ ପ୍ରାୟ ଭୁଲି ଯାଇଥିଲୁ ବୋଲି କହିଲେ ଚଳେ। ହେଲେ ସେହି ଘଟଣାର ପ୍ରାୟ ପନ୍ଦର ବର୍ଷ ପରେ, ସଦାମାମୁଁଙ୍କ ପୁଅ ସମର ଆମ ଗାଁକୁ ଆସିଲା। ଗାଁରେ ଥିବା ତା ଅଜା ଘରେ ରହି ସେ ପାଖ କଲେଜକୁ ଯିବାକୁ ସ୍ଥିର ହେଲା। ସେ ଅଜାଘରେ ସିନା ରହୁଥିଲା, ହେଲେ ଅଧିକାଂଶ ସମୟରେ ସେ ପହଞ୍ଚି ଯାଉଥିଲା ଆମ ଘରେ। ମୋଠୁ ଢେର ସାନ ସିଏ । କିନ୍ତୁ ତା ହାବଭାବ ସବୁ, ଅନେକ ସମୟରେ ସନ୍ଦେହଜନକ ଲାଗେ। ଦିନେ ସେ କଲେଜରୁ ଦ୍ୱିପ୍ରହରରେ ଫେରିଲା ପରେ, ତା ପଛେ ପଛେ ଆସି ପହଞ୍ଚିଲା ପୋଲିସ । ତା ଅଜା ଆଈ ଆଉ ମାମୁଁ ମାଈଁ କିଛି କହିବା ପୂର୍ବରୁ, ପୋଲିସ ତାକୁ ପଚାର ଉଚରା କରିବା ସହ ଗାଡ଼ିରେ ବସାଇ ଥାନାକୁ ଚାଲିଗଲା। ବୁଝୁ ବୁଝୁ ଜଣା ପଡ଼ିଲା, ସଦାମାମୁଙ୍କ ପୁଅ, ତାଙ୍କ ଗାଁର ତିନିଜଣ ବୁଢ଼ୀଙ୍କ ନିରକ୍ଷରତା ଓ ଅସହାୟତାର ଫାଇବା ନେଇ ସେମାନଙ୍କ ପାଖରେ ଥିବା ଟଙ୍କା ପଇସା ସବୁ ହଡ଼ପେଇ ଦେଇଛି। ଖାଲି ସେତିକି ନୁହେଁ, ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ନିରକ୍ଷର ମହିଳାମାନଙ୍କ ଫାଇଦା ଉଠାଇ, ସେମାନଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ନେଇ ଯାଇଛି। ହେଲେ ଅତ୍ୟନ୍ତ ନୀରିହ ଭଳି ସେ ପୋଲିସ ଆଗରେ କହୁଥିଲା, ଆଜ୍ଞା .. ମୁଁ କିଛି ନେଇନି। ମୋ ପାଖରୁ ସବୁ ଟଙ୍କା ପକେଟ୍ ମାର ହୋଇଯାଇଛି। ତା କଥା ଶୁଣି ମତେ ବଡ଼ ହସ ଲାଗିଲା। ମନେ ପଡ଼ିଗଲା ପିଲାଦିନେ ସଦାମାମୁଁଙ୍କ ସେ ପକେଟମାର କାହାଣୀ। ପୋଲିସ ତାକୁ କହୁଥିଲା, ହଇରେ .. ଏବେ କଲେଜରେ ପାଦ ଦେଉ ଦେଉ ତ ତୁ ଏଭଳି ଡହରାମି କଲୁଣି, ଆଗକୁ ଆଉ କଣ ନ କରିବୁ ତୁ? ଏତିକିବେଳେ ଏକଥାଟା ଶୁଣି ବଡ଼ମାଆ କହିଲେ, ହଇରେ ବାବୁ .. ବାପାର ସବୁ ଗୁଣ ଛଡ଼େଇ ଦେଇଛୁ କିରେ? ଗାଁର ନୀରିହ ନିରକ୍ଷର ଲୋକଙ୍କୁ ଠକି ତୁ କଣ ବଡ଼ ମଣିଷ ହୋଇଯିବୁ? ବଡ଼ମାଆ କଥା ଶୁଣି ସେ କେବଳ ମୁଣ୍ଡ ନୁଆଁଇ ଠିଆ ହୋଇଥିଲା। ଏତିକି ବେଳେ ତା ଅଜା କହିଲେ, ତୋ ବାପାର ଏଇ ବୁଦ୍ଧି ପାଇଁ ଥରେ କହି ଦେଇଥିଲି ବୋଲି, ସେ କେବେ ମୋ ଦୁଆର ମାଡ଼ିଲେନି । ଶେଷରେ ତୁ ପାଠ ପଢ଼ିବୁ ବୋଲି ଆସିଥିଲୁ ଯେ, ମୁଁ କେତେ ଖୁସି ହୋଇଥିଲି। ଆଉ ଶେଷରେ ତୁ ବି ସେଇ ଛାଞ୍ଚର ବାହାରିଲୁ? ତା ପାଖରେ କୌଣସି ଉତ୍ତର ନଥିଲା। ପୋଲିସ ତାକୁ ଗାଡ଼ିରେ ବସାଇ ଥାନାକୁ ନେଲା ବେଳକୁ ପୋଲିସ ଗାଡ଼ି ପଛରେ ଦୌଡୁଥିବା ଗାଁର ଛୋଟ ଛୋଟ ପିଲାମାନେ ଏକ ସ୍ୱରରେ କହୁଥିଲେ, ହଇରେ ଡହରା …… ।

 

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.