ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ଦଳ ଅଦଳ ବଦଳ ମିଶ୍ରଣ ପର୍ବ ଆରମ୍ଭ ହେବାରେ ଲାଗିଛି । ଏହି ପ୍ରକ୍ରିୟାରେ ସତେଯେପରି ଶାସକ ବିଜେଡ଼ି ଓ ବିରୋଧି ବିଜେପି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହେବାରେ ଲାଗିଛି ।
ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ହେଭିୱେଟ୍ ନେତା ବୈଜୟନ୍ତ ପଣ୍ଡା, ଦଳବିରୋଧି କାର୍ଯ୍ୟ ଅଭିଯୋଗରେ ବିଜେଡ଼ିରୁ ବିଦା ହୋଇଥିବା ବୈଜୟନ୍ତ ନୂଆଦିଲ୍ଲୀରେ ବିଜେପିର ହାତ ଧରିଛନ୍ତି । ପଦ୍ମ ଧରୁଧରୁ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଓ ପ୍ରବକ୍ତା ପଦବୀ ବି ମିଳିସାରିଛି ।
ତେବେ ବୈଜୟନ୍ତଙ୍କ ପରେ ବିଜେଡ଼ିରୁ ବିଦା ହୋଇଥିବା ଅସନ୍ତୁଷ୍ଟ ଥିବା କିମ୍ବା ଦଳ ଛାଡ଼ିଥିବା ଆଉକିଛି ନେତା ଏବେ ପଦ୍ମ ପୋଖରୀରେ ଲମ୍ଫ ପ୍ରଦାନ କରିବାର ଚର୍ଚ୍ଚା ହେଉଛି ।
ବିଜେପିର ଅନ୍ଦରମହଲର ଖବର ଅନୁଯାୟୀ, ବିଜେଡ଼ିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ନିଲମ୍ବିତ ପୂର୍ବତନ ଗଁଦିଆ ବିଧାୟକ ନବୀନ ନନ୍ଦ, ଦଳରୁ ଇସ୍ତଫା ଦେଇଥିବା ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂ ଏବଂ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଖୁବ୍ ଶିଘ୍ର ବିଜେପିରେ ଯୋଗଦେବେ । ଏପରିକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ତଥା ସମତାକ୍ରାନ୍ତି ଦଳର ନେତା ବ୍ରଜ ତ୍ରିପାଠୀ ଏବଂ ରାଜନୀତିରୁ ସନ୍ୟାସ ନେଇ ସାମ୍ବାଦିକତା ଆଡ଼କୁ ମୁହାଁଇବା ପାଇଁ ଇଚ୍ଛୁକ ଥିବାର ଘୋଷଣା କରିଥିବା ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ମଧ୍ୟ ଖୁବ୍ ଶିଘ୍ର ବିଜେଡ଼ି ଛାଡ଼ି ବିଜେପିର ହାତ ଧରିବେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ତଥାଗତ ଏହିଳି ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ।
କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥାଗତଙ୍କ ଘରକୁ ଯାଇ ସାକ୍ଷାତ କରିବା ଘଟଣା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ଶନିବାର ଦାମୋଦର ରାଉତଙ୍କ ଦିଲ୍ଲୀ ଯାଇଛନ୍ତି । ଚର୍ଚ୍ଚା ହେଉଛି ସେ ସେଠାରେ ବିଜେପି ନେତାଙ୍କୁ ଭେଟି ଆଲୋଚନା କରିବେ, ସେପଟେ ଦାମଙ୍କ ସହିତ ଯୋଡ଼ି ହୋଇଥିବା ସମତାକ୍ରାନ୍ତି ଦଳ ନେତା ବ୍ରଜ ତ୍ରିପାଠୀ ମଧ୍ୟ ଦାମଙ୍କ ସହ ବିଜେପିରେ ସାମିଲ ହେବା ଲାଗି ଇଚ୍ଛୁକ ।
ସେହିପରି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ବିଜେଡ଼ିରେ ଯୋଗ ଦେବାପରେ ଦଳ ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି, ଏବଂ ସେହି କାରଣରୁ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଅସନ୍ତୁଷ୍ଟ ଥିବା ବେଳେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସେପଟେ ବୈଜୟନ୍ତଙ୍କ ଏକାନ୍ତ ଅନୁଗତ ନବୀନ ନନ୍ଦ କୋଲକାତା ସେକ୍ସ ର୍ୟାକେଟ ଘଟଣାରେ ବିଜେଡ଼ିରୁ ନିଲମ୍ବିତ ହୋଇଥିବା ବେଳେ ସେ ଏବେ ବିଜେପି ମୁହାଁ ।
ଶନିବାର ବିଜେଡ଼ି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂ ଦଳରୁ ଇସ୍ତଫା ଦେଇଛନ୍ତି । ସେ’ବି ପଦ୍ମ ପୋଖରୀ ଡ଼େଇଁବାକୁ ଯୋଜନାରେ ରହିଛନ୍ତି ।