Latest Odisha News

BREAKING NEWS

ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ

ଭୁବନେଶ୍ୱର: ପାଲା ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ । ପୁରୀ ଜିଲ୍ଲା କୋଣାର୍କ ନିକଟବର୍ତୀ ବାଙ୍ଗୋର ବରପଦା ଗ୍ରାମରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର । ୧୯୫୫ ମସିହା ଆଷାଢ ଶୁକ୍ଳ ଦ୍ୱିତୀୟା ଶ୍ରୀଗୁଣ୍ଡିଚା ତିଥିରେ ସେ ବାପା ଗୋବିନ୍ଦ ଚନ୍ଦ୍ର ଦାଶ ଓ ମାଆ ଶଶିମଣିଙ୍କ କୋଳ ମଣ୍ଡନ କରିଥିଲେ । ପିତୃ ପିତାମହ ଅତ୍ୟନ୍ତ ଧର୍ମପରାୟଣ ତଥା ଯାଜ୍ଞିକ ବ୍ରାହ୍ମଣ ଥିଲେ । ପରିବାରରେ ବେଦ, ବେଦାନ୍ତ, ସାଂଖ୍ୟ, ଦର୍ଶନ, ପୁରାଣ ଶାସ୍ତ୍ର ଆଦିର ନିୟମିତ ଆଲୋଚନା ହେଉଥିଲା, ଯାହାର ପ୍ରଭାବ ପିଲାଟି ଦିନରୁ ପଡିଥିଲା ଲକ୍ଷ୍ମୀଧରଙ୍କ ଉପରେ ।ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ଲକ୍ଷ୍ମୀଧରଙ୍କ ସ୍ୱାଭାବ ବାରି ହୋଇପଡିଥିଲା । ଚାଟଶାଳୀରେ ପଢିବା ସମୟରେ ସେ ଦେବଦେବୀଙ୍କ ସ୍ତୁତି, ଶ୍ଲୋକ ଆଦି ମୁଖସ୍ତ କରିସାରିଥିଲେ । ପରେ ପରେ ଉଚ୍ଚ ଶିକ୍ଷା ଗ୍ରହଣ କଲେ, ହେଲେ ଆଧ୍ୟାତ୍ମିକ ଦିଗ ପ୍ରତି ଆକୃଷ୍ଠ ହୋଇପଡିଲେ । ସାହିତ୍ୟ, ସଂସ୍କୃତ ପ୍ରତି ପୁଅର ଆଗ୍ରହ ଦେଖି ବାପା ତାଙ୍କୁ ପୁରୀ ପଠାଇଦେଲେ । ସେଠାରେ ଏକ ସଂସ୍କୃତ ଟୋଲରେ ପ୍ରାକ୍ ଶାସ୍ତ୍ରୀ ପାଠ୍ୟକ୍ରମ ଶେଷ କଲେ । ଏହି ସମୟ ମଧ୍ୟରେ ସେ ନୈଷଧ, କୁମାର ସମ୍ଭବ, କିରାତାର୍ଜୁନୀୟମ, ଭଟ୍ଟୀ କାବ୍ୟ ସହ ସଂସ୍କୃତ ମହାଭାରତ ଓ ରାମାୟଣ ଆଦି ଅଧ୍ୟୟନ କରିଥିଲେ । ପାରିବାରିକ ସମସ୍ୟା ଓ ଆର୍ଥିକ ଅନଟନ ହେତୁ ମାଧ୍ୟମିକ ଶିକ୍ଷାଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଘୋର ପ୍ରତିବନ୍ଧକର ସାମ୍ନା କରିଥିଲେ । ସମୟ ସ୍ରୋତରେ ଅର୍ଥ ଉପାର୍ଜନ କରିବା ଚିନ୍ତା ବଢିଲା । ଶେଷରେ ୧୮ ବର୍ଷ ବୟସ ବେଳେ ପରିବାର ଲୋକଙ୍କ ଅଗୋଚରରେ କୁଶଭଦ୍ରା ତଟସ୍ଥ ବାବା ପିଙ୍ଗଳେଶ୍ୱରଙ୍କ ପବିତ୍ର ପୀଠରେ ତ୍ରାହି ପଡିଲେ । ଦୀର୍ଘ ଏକ ମାସ ନିରାହାରରେ ରହିବା ପରେ ଆଶୁତୋଷ ସନ୍ତୋଷ ହେଲେ, ନିସ୍ତବ୍ଧ ରାତିରେ ଏକ ଦିବ୍ୟ ଆଲୋକ ମନ୍ଦିର ଗର୍ଭରୁ ଆସି ଲକ୍ଷ୍ମୀଧରଙ୍କ ହୃଦୟ ସ୍ପର୍ଶ କରି ଚାଲିଗଲା ।

ପରେ ପରେ ନିର୍ଦ୍ଦେଶ ମିଳିଲା ସେ ହାତରେ ଧରିବେ ସତ୍ୟନାରାୟଣଙ୍କ ଚାମର ଆଉ ଗିନି । ଗାୟନ କରିବେ ସତ୍ୟନାରାୟଣ ପାଲା, ତାହା ହିଁ ହେବ ଜୀବିକା ନିର୍ବାହର ପନ୍ଥା ।

ବାବା ପିଙ୍ଗଳେଶ୍ୱରଙ୍କ କୃପାରୁ ଲକ୍ଷ୍ମୀଧରଙ୍କର ଅଦ୍ଭୁତ ସ୍ମରଣଶକ୍ତି ବୃଦ୍ଧି ପାଇଲା । ଏପଟେ ପାଲା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ପ୍ରାଥମିକ ଭାବେ କୃଷ୍ଣଚନ୍ଦ୍ର ମିଶ୍ରଙ୍କୁ ଗୁରୁ କରି ତାଙ୍କଠାରୁ ଚାମର ଗ୍ରହଣ କଲେ । ପରେ ଭୁବନେଶ୍ୱର ନୂଆଗାଁର ଗାୟକ ବାଣୀକଣ୍ଠ ବିଶ୍ୱନାଥ ସାହୁଙ୍କୁ ଗ୍ରହଣ କଲେ ଗୁରୁଭାବେ । ଧୀରେ ଧୀରେ ସାରା ରାଜ୍ୟରେ ପାଲା ପରିବେଷଣ କରିବା ସହ ଜଣେ ଆଗଧାଡିର ଗାୟକ ଭାବେ ଘରେ ଘରେ ପରିଚିତ ହେଲେ ଲକ୍ଷ୍ମୀଧର । ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଲକ୍ଷ୍ମୀଧରଙ୍କୁ ସାରା ରାଜ୍ୟରୁ ମିଳିଲା ସମ୍ବର୍ଦ୍ଧନା ଆଉ ସମ୍ମାନ । ପୁରୀ ଦୋଳବେଦୀରେ ଏକାଦିକ୍ରମେ ୪ ଥର ୧୬ ରାତି ଲେଖାଏଁ ମୋଟ୍ ୬୪ ରାତି ପାଲା ପରିବେଷଣ କରି ଗାୟକ ବ୍ୟାସ ଉପାଧିରେ ସମ୍ମାନିତ ହେଲେ । ସେହିପରି ଗାୟକ ଯୁବ ସମ୍ରାଟ୍, ଗାୟକ କେଶରୀ ଆଦି ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି ଲକ୍ଷ୍ମୀଧର ଦାଶ ।

ପାଲା ଗାୟକ ଭାବେ ଲକ୍ଷ୍ମୀଧର ଦାଶ ଯେତିକି ପ୍ରସିଦ୍ଧ, ଜଣେ ପାଲାଗୁରୁ, ପାଲା ସଂଗଠନ ଓ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ସାରା ରାଜ୍ୟରେ ପରିଚିତ । ଏବେ ସୁଦ୍ଧା ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେ ପାଲା ପ୍ରଶିକ୍ଷଣ ଦେଇସାରିଲେଣି । ଶ୍ରୀ ନୀଳାଚଳ ନିଖିଳୋକ୍ରଳ ପାଲା ଗାୟକ ପରିଷଦର ପୁରୀ ଜିଲ୍ଲା ଶାଖା ଅର୍କମଣ୍ଡଳର ସଭାପତି ଭାବେ ଦୀର୍ଘ ୯ ବର୍ଷ କାର୍ଯ୍ୟକରିବା ପରେ ଏବେ ସେ ଅଖଣ୍ଡ ପୁରୀ ଜିଲ୍ଲା ସଭାପତି ଦାୟିତ୍ୱରେ ରହିଛନ୍ତି । ସେହିପରି ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ବାଙ୍ଗୋର ବରପଦାଠାରେ ଏକ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ସ୍ଥାପନ କରିଛନ୍ତି ବିଶ୍ୱଶାନ୍ତି ସେବାଶ୍ରମ ।

ଏହି ଦିବ୍ୟ ପୁରୁଷଙ୍କ ଉପସ୍ଥିତିରେ ପୂରା ପରିବେଶ ଆଧ୍ୟାତ୍ମିକ ବାତାବରଣରେ ପରିଣତ ହୋଇଛି । ପ୍ରତିବର୍ଷ ଏଠାରେ ୫ ଦିନ ବ୍ୟାପୀ ଯଜ୍ଞ ମହୋତ୍ସବ ଆୟୋଜିତ ହୋଇଥାଏ । ଏହାସହ ବର୍ଷସାରା ବିଭିନ୍ନ ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ବିିଶେଷ କରି ସମାଜକୁ ସୁସ୍ଥ, ସୁନ୍ଦର, ଦୁର୍ନୀତିମୁକ୍ତ, ସଚେତନ କରିବା ପାଇଁ ଅନବରତ ଉଦ୍ୟମ ଚଳାଇଛନ୍ତି ଲକ୍ଷ୍ମୀଧର ଦାଶ ।

Leave A Reply

Your email address will not be published.