Latest Odisha News

BREAKING NEWS

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି

ପୁରୀ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ଜଗନ୍ନାଥ ବଲ୍ଲଭ ମଠ ପରିସର ଓ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏହି ନୀତି । ଇନ୍ଦ୍ରଦେବଙ୍କ ଉଦ୍ୟାନ ମାଳି କନ୍ଦର୍ପଙ୍କୁ ବାନ୍ଧି ଦୟଣା ଗଛ ଚୋରି କରିଥିବେ ଶ୍ରୀରାମକୃଷ୍ଣ । ପରେ ସୁବାସିତ ଦୟଣା ଗଛ ଚୋରି କରିବା ଅଭିଯୋଗରେ ଠାକୁରେ ବନ୍ଧା ହେବେ । ଶ୍ରୀମନ୍ଦିର ଭୋଗମଣ୍ଡପ ଘରେ ବନ୍ଧନ ଅବସ୍ଥାରେ ଠାକୁରଙ୍କୁ ରାତି ବିତାଇବାକୁ ହେବ । ତେବେ ଚଳିତ ବର୍ଷ ବାଙ୍ଗାଲୋରରୁ ଆସିଛି ମହାପ୍ରଭୁଙ୍କ ଦୟଣା ।

ତେବେ ଗତକାଲି ଦ୍ୱାଦଶୀ ତିଥିରେ ବଡ଼ଦେଉଳରେ କନ୍ଦର୍ପାଧିବାସ ନୀତି ସମ୍ପନ୍ନ ହୋଇଛି । ଠାକୁରଙ୍କ ଚନ୍ଦନଲାଗି ନୀତି ବଢ଼ିବା ପରେ ଦକ୍ଷିଣୀ ଘରେ କନ୍ଦର୍ପ ପଟି ଅଧିବାସ ହୋଇଥିଲା । କନ୍ଦର୍ପ ପଟିଙ୍କୁ ମହାସ୍ନାନ କରାଯାଇ ଭୋଗ ଅର୍ପଣ କରାଯାଇଥିଲା । ଏହାପରେ ବନ୍ଦାପନା ସମ୍ପନ୍ନ ହୋଇଥିଲା । ଜଗନ୍ନାଥ ବଲ୍ଲଭକୁ ଠାକୁରଙ୍କ ସହ କନ୍ଦର୍ପପଟି ବିଜେ ହେବେ । ପରେ ଦୟଣା ଚୋରି କରି ଠାକୁରେ ବନ୍ଧା ହେବେ ।

ପୁରାଣରେ ବର୍ଣ୍ଣିତ ଅଛି ଯେ , ପୂର୍ବେ ଦମନକ ନାମରେ ଗୋଟିଏ ଅସୁର ଥିଲା। ସେ ସମୁଦ୍ର ଜଳରେ ବାସ କରୁଥିଲା। ଦୈତ୍ୟର ଅତ୍ୟାଚାର ବଢିବାରୁ ପୃଥିବୀକୁ ଏହାର ଦାଉରୁ ରକ୍ଷା କରିବାକୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭଗବାନ ମୀନ ଅବତାର ଧାରଣ କରି ସମୁଦ୍ର ମଧ୍ୟରେ ପ୍ରବେଶ କରି ସେହି ଅସୁରକୁ ବଧ କରିଥିଲେ। ଏହି ଦିନ ଚୈତ୍ର ଶୁକ୍ଳ ଚତୁର୍ଦଶୀ ଥିଲା। ହେଲେ ମୃତ୍ୟୁ ପରେ ଉକ୍ତ ଦାନବର ଦେହ ଭୂମିରେ ପଡି ଏକ ସୁଗନ୍ଧିତ ତୃଣରେ ପରିଣତ ହୋଇଥିଲା। ଏହା ଦେଖି ଭଗବାନ ଚକିତ ହେଲେ। ଏହି ସୁଗନ୍ଧିତ ତୃଣ ଦୟାଣାର ସୁଗନ୍ଧରେ ତୃପ୍ତ ହୋଇ ତାକୁ ନିଜର ବନମାଳାରେ ସ୍ଥାନ ଦେଇ ନିଜ ଗଳାରେ ଧାରଣ କରିଥିଲେ। ଏହି ସ୍ମୃତିକୁ ମନେ ରଖିବାକୁ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ପାଳିତ ହୁଏ ।

Leave A Reply

Your email address will not be published.