Latest Odisha News

BREAKING NEWS

ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ୧୯୮୭ ମସିହା ଆଜିର ଦିନରେ ପ୍ରାଣତ୍ୟାଗ କରିଥିଲେ ।

ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ ଜନ୍ମନେଇଥିଲେ । ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢା ଛାଡି ସ୍ୱାଧିନତା ଆନ୍ଦୋଳନରେ ଭାଗ ନେଇଥିଲେ ।

ସେ ୨ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬- ୫୦ ଓ ୧୯୫୬- ୬୧ ଯାଏଁ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।

ସେଥିଲେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଓ ପ୍ରଥମ ଓଡିଆ ରାଜ୍ୟପାଳ । ୧୯୫୫-୫୬ ମଧ୍ୟରେ ସେ ବମ୍ବେର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ ।

ସାମାଜିକ ଓ ରାଜନୈତିକ ଜୀବନ:

ରାଜନୀତି, ସାହିତ୍ୟ ,ସାମ୍ବାଦିକତା ଓ ସର୍ବୋପରୀ ଆଧୁନିକ ଓଡ଼ିଶାର ନିର୍ମାଣରେ ଆଦି କ୍ଷେତ୍ରରେ ମହତାବ ନିଜର ଅବଦାନ ରଖିଯାଇଛନ୍ତି । ସେ, ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଶାର ରାଜନୀତିକୁ ପ୍ରଭାବିତ କରିଥିଲେ ।

୧୯୧୯ରୁ ୧୯୨୧ ମସିହା ଯାଏ ତିନିବର୍ଷ କାଳ ଓଡ଼ିଶା କଂଗ୍ରେସର ଅଗ୍ରଗଣ୍ୟ ପ୍ରତିଷ୍ଠାତାମାନଙ୍କ ଭିତରେ ସେ ଥିଲେ ଅନ୍ୟତମ । ୧୯୨୩-୨୪ରେ ସେ ଓଡ଼ିଶା ପ୍ରଜା ଅାନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ ।

୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ ।

୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଅାଇନ ଅମାନ୍ୟ ଅାନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ ।

୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ ।

୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ ।

୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡିଥିଲେ ।

୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧା ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି ।

ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ “ବିଷୁବ ମିଳନ” ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି ।

Leave A Reply

Your email address will not be published.