Latest Odisha News

BREAKING NEWS

ମୃତ ହିତାଧିକାରୀଙ୍କ ନାଁ ରେ କିଏ ନେଉଛି ଭତ୍ତା ଟଙ୍କା ?

ଯାଜପୁର: ଭତ୍ତା କେଳେଙ୍କାରୀକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଜୀବିତ ହିତାଧିକାରୀଙ୍କ ଭତ୍ତା ଟଙ୍କା ଗାଏବ। ଭୂତ ଉଠାଉଛନ୍ତି ଭତ୍ତା ଟଙ୍କା। ବର୍ଷ ବର୍ଷ ଧରି ଚାଲିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା। ଏଠି ସତସତିକା ଭୁତ ଆସି ଭତା ଟଙ୍କା ହଡ଼ପ କରୁନାହାନ୍ତି ବରଂ କେତେକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ କାରନାମା ପାଇଁ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୂଚନା ଅଧିକାର ଆଇନରୁ ଏଭଳି କେଳେଙ୍କାରୀ ଘଟଣା ସାମ୍ନାକୁ ଆସିଛି।ବଡ଼ କୁଆଁଲ ଗାଁ ର ଦୃଷ୍ଟି ହୀନ ସଞ୍ଜୟ ଜେନା ୨୦୦୯ରେ ଭତ୍ତା ପାଇଁ ଆବେଦନ କରିଥିଲେ।

କିନ୍ତୁ ସଞ୍ଜୟ ଜେନାଙ୍କ ନାଁରେ ଆସୁଥିବା ଭତ୍ତା ସଞ୍ଜୟ ଜେନା ପାଉନଥିଲେ।  ଭତ୍ତା ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ଏହି ଟଙ୍କା ଉଠାଉଥିବା ଜଣାପଡିଥିଲା। ତଦନ୍ତ ହେବା ପରେ କେତେକ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ଯୋଗୁଁ ଏଭଳି ଭତ୍ତା ଟଙ୍କା ହଡପ ହୋଇଥିବା ଘଟଣା ସାମ୍ନାକୁ ଆସିଛି।କେବଳ ଏହି ଗୋଟିଏ ଘଟଣା ନୁହେଁ ପଞ୍ଚାୟତର ଶତାଧିକ ହିତାଧିକାରୀଙ୍କ କ୍ଷେତ୍ରରେ ହୋଇଛି ଏଭଳି କଳା କାରନାମା। ପଞ୍ଚାୟତର ଅନେକ ମୃତ ହିତାଧିକାରୀଙ୍କ ନାଁ ରେ ମଧ୍ୟ ଉଠୁଛି ଭତ୍ତା ଟଙ୍କା। ଦୁର୍ନୀତି ଗ୍ରସ୍ତ ସରକାରୀ ବାବୁଙ୍କ ସହାୟତାରେ ପ୍ରତି ମାସ ଭୂତ ହିତାଧିକାରୀଙ୍କ ନାଁ ରେ ଉଠୁଛି ଟଙ୍କା। ମାତ୍ର ପଞ୍ଚାୟତରେ ଭତ୍ତା ପାଇବାରୁ ବଂଚିତ ଅଛନ୍ତି ପ୍ରକୃତ ହିତାଧିକାରୀ।

ସେପଟେ ଏ ନେଇ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଶରଥପୁର ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।ସରକାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମଙ୍କ ପାଇଁ ଭିନ୍ନ ଭିନ୍ନ ଭତ୍ତାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅସାଧୁ କର୍ମଚାରୀଙ୍କ ପାଇଁ ଏହି ଯୋଜନା ବାଟମାରଣା ହେଉଛି । ଏ ଦିଗରେ ଆବଶ୍ୟକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Leave A Reply

Your email address will not be published.