Latest Odisha News

BREAKING NEWS

ଇଂଲଣ୍ଡରୁ କୋହିନୂର ହୀରା ଫେରାଇ ଆଣିବା ଲାଗି ଜୋର୍ ଧରିଲା ଦାବି

ପୁରୀ: ଫେରିବ କି କୋହିନୂର ହୀରା ? ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇବ କି ଦୁର୍ମୂଲ୍ୟ କୋହିନୂର ହୀରା ? ସଫଳ ହେବ କି ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ? ବ୍ରିଟେନ୍ ରାଣୀଙ୍କ ଦେହାନ୍ତ ପରେ ଏବେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ । ତତ୍କାଳୀନ ପଞ୍ଜାବ ମହାରାଜା ରଣଜିତ୍ ସିଂହ ତାଙ୍କ କୌଳିକ ପଣ୍ଡାଙ୍କ ମାଧ୍ୟମରେ ଏବେ ବ୍ରିଟେନରେ ଥିବା କୋହିନୂର ହୀରାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ ।

କିନ୍ତୁ ଭାରତରେ ଶାସନ କରୁଥିବା ଗୋରା ସୈନିକ ତାହାକୁ ତାଙ୍କ ଗଭର୍ଣ୍ଣର ଜେନେରାଲଙ୍କ ପାଇଁ ଇଂଲଣ୍ଡ ନେଇ ଯାଇଥିଲେ । ସେବେଠୁ ଇଂଲଣ୍ଡରେ ରହିଛି ଏହି ଦୁର୍ଲଭ କୋହିନୂର ହୀରା । ଏବେ ରାଣୀଙ୍କ ମୃତ୍ୟୁ ପରେ ଗବେଷକ, ସେବାୟତ, ଐତିହ୍ୟ ବିଶାରଦ ଓ ଅଗଣିତ ଜଗନ୍ନାଥ ପ୍ରେମୀ କୋହିନୂର ହୀରା ଫେରି ପାଇବା ନେଇ ଆଶାବାଦୀ ଅଛନ୍ତି ।

କୋହିନୂର ହୀରା ଇଂଲଣ୍ଡରୁ ଫେରାଇ ଆଣିବା ପାଇଁ ଅନେକ ସଂଗଠନ ଆନ୍ଦୋଳାନତ୍ମକ ପନ୍ଥା ଗ୍ରହଣ କରିବା ସହ ସର୍ବୋଚ୍ଚ ଅଦାଲତର ଆଶ୍ରୟ ନେଇଛନ୍ତି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାଭ ଯୋଗୁଁ ସେହି ଓଡ଼ିଶା ଫେରାଇ ଅଣାଯାଇ ପାରୁ ନାହିଁ କୋହିନୂର ହୀରା । ଏବେ ମଧ୍ୟ କୋହିନୂର ହୀରାକୁ ନେଇ ବ୍ରିଟିଶ ସରକାର ନିଜର ମାଲିକାନା ସତ୍ତ୍ୱ ଜାହିର୍ କରି ଚାଲିଛନ୍ତି । ୭ ବର୍ଷ ପୂର୍ବେ ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା ସୁପ୍ରିମକୋର୍ଟରେ କୋହିନୂର ହୀରାକୁ ଫେରାଇ ଆଣିବା ଲାଗି ପିଟିସନ ଦାଏର କରିଥିଲେ ।

ଶ୍ରୀଜଗନ୍ନାଥ ସେନା ଆବାହକ ମଧ୍ୟ କୋହିନୂର ହୀରା ଫେରାଇ ଦେବାପାଇଁ ବ୍ରିଟିଶ୍ ରାଣୀଙ୍କୁ ଚିଠି ଲେଖିଥିଲେ । ଗତବର୍ଷ ରାଣୀ ଜଗନ୍ନାଥ ସେନାକୁ ଚିଠିର ଉତ୍ତର ଦେବା ପରେ ଆଶା ସଞ୍ଚାର ହୋଇଥିଲା । କିନ୍ତୁ ସରକାରୀ ସ୍ତରରେ ଏହାକୁ ନେଇ ନିଷ୍କ୍ରିୟତା ରହିଥିବାରୁ ସରକାର ପଦକ୍ଷେପ ନେବାକୁ ଦାବି ହେଉଛି ।

ବ୍ରିଟିଶ ଅଧିନରୁ ଭାରତ ୭୬ ବର୍ଷ ହେଲା ସ୍ୱାଧୀନ ହେଲାଣି । ତଥାପି କୋହିନୂର ହୀରା ଫେରି ପାଇବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟାର ଅଭାବ ରହିଛି । କୋହିନୂର ହୀରା ଫେରାଇ ଆଣିବା ଲାଗି ପଦକ୍ଷେପ ନିଆ ନଗଲେ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହେବ ବୋଲି କହିଛି ଜଗନ୍ନାଥ ସେନା ।

Leave A Reply

Your email address will not be published.