Latest Odisha News

କମୁଛି ଶୀତ, ୩ ଦିନ ଘନ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର: ମଧ୍ୟ ଭାରତରେ ସକ୍ରିୟ ରହିଥିବା ଗୁରୁଚାପ ବଳୟ ଏବେ ପୂର୍ବ ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଛି । ଫଳରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବା ସହ ଶୀତ କମୁଛି । ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ସହିତ ଆସନ୍ତା ୩ ଦିନ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି ।

ସେପଟେ ଆଜି ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଘୁ. ଉଦୟଗିରିରେ ସର୍ବନିମ୍ନ ୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ସେମିଳିଗୁଡ଼ାରେ ପାରଦ ୬.୪ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୭ ଡିଗ୍ରୀ, କୋରାପୁଟରେ ୭.୫ ଡିଗ୍ରୀ, ରାଉରକେଲାରେ ୭.୮ ଡିଗ୍ରୀ, କିରେଇରେ ୮ ଡିଗ୍ରୀ, ଦାରଙ୍ଗିବାଡ଼ିରେ ୮.୫ ଡିଗ୍ରୀ ରେକର୍ଡ କରାଯାଇଛି ।

୧୩ ତାରିଖରେ ଘନ କୁହୁଡ଼ି ନେଇ ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ୧୪ ତାରିଖରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ ଏବଂ ୧୫ ତାରିଖରେ ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆଗାମୀ ୨ ଦିନରେ ସ୍ୱାଭାବିକ ରାତି ତାପମାତ୍ରା ୨ରୁ ଡିଗ୍ରୀ ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏହାପରେ ତାପମାତ୍ରାରେ ବିଶେଷ କିଛି ବଡ଼ ପରିବର୍ତ୍ତନ ହେବ ନାହିଁ ।

Leave A Reply

Your email address will not be published.