ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

କେଦାର ମିଶ୍ର

ସ୍ୱାଧୀନତା ଆନ୍ଦୋଳନ ସମୟରେ କେବଳ ଏକ ରାଜନୈତିକ ସଂଘର୍ଷ ଆମେ କରିନଥିଲୁ । ସ୍ଵାଧୀନତା ଆନ୍ଦୋଳନ ସହିତ ଦେଶର ବିଭିନ୍ନ ପ୍ରାନ୍ତରରେ ଏକ ବୌଦ୍ଧିକ ମନ୍ଥନ ମଧ୍ୟ ସମାନ୍ତରାଳରେ ଚାଲିଥିଲା । ଏହି ବୌଦ୍ଧିକ ମନ୍ଥନର ଏକ ସୁନ୍ଦର ଅଧ୍ୟାୟ ହେଉଛି କବିଗୁରୁ ରବୀନ୍ଦ୍ରନାଥ ଓ ମହାତ୍ମା ଗାନ୍ଧିଙ୍କ ଭିତରେ ଜାତୀୟତା ତଥା ମାନବବଦାକୁ ନେଇ ବିତର୍କ । ବାପୁ ଭାରତୀୟତା ଏବଂ ଜାତୀୟତାର ରାଜନୈତିକ ସୂତ୍ର କଥା କହୁଥିବାବେଳେ କବିଗୁରୁ ଜାତୀୟତାକୁ ମଣିଷ ସମାଜ ପାଇଁ ସଂକୀର୍ଣ୍ଣତାର ମାନଚିତ୍ର ବୋଲି କହୁଥିଲେ । କବିଗୁରୁ ବିଶ୍ୱକୁ ଗୋଟିଏ ମାନଚିତ୍ର ଓ ମଣିଷକୁ ମାନବିକତାର ପରିଚୟରେ ଦେଖିବା ପାଇଁ ଚାହୁଁଥିଲେ । ତାଙ୍କ ପାଇଁ ଭାରତ ଥିଲା ମହା ମାନବର ସାଗର ତଟ । ଏହା କେବଳ ଏକ ଦେଶ ନୁହେଁ, ବିଶ୍ୱ ମାନବିକତା ପାଇଁ ଭାରତ ହେଉଛି ଏକ ସଙ୍ଗମ ଭୂମି । ଗାନ୍ଧି ଏବଂ କବିଗୁରୁଙ୍କ ଲକ୍ଷ୍ୟ ବିନ୍ଦୁରେ ମଣିଷ ଥିବାବେଳେ ଉଭୟଙ୍କର ମାଧ୍ୟମ ଥିଲା ଅଲଗା । କବିଗୁରୁ କବିତାକୁ ମାନବିକତାର ମୁକ୍ତି ମାଧ୍ୟମ ବୋଲି ବିଚାର କରୁଥିଲେ । ହେଲେ ଗାନ୍ଧିଙ୍କ ମତରେ ରାଜନୀତି ଥିଲା ମଣିଷ ସମାଜକୁ ବଦଳାଇବାର ଏକମାତ୍ର କ୍ଷେତ୍ର । ଉଭୟଙ୍କର ବିଚାର ମୌଳିକ ଓ ଏହି ବିଚାରକୁ କାର୍ୟ୍ୟକାରୀ କରିବାର ମାଧ୍ୟମ ମଧ୍ୟ ପ୍ରଭାବଶାଳୀ । ଶିକ୍ଷା ଓ ସାହିତ୍ୟକୁ କବିଗୁରୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଶିକ୍ଷା ଓ ସାହିତ୍ୟ ମାଧ୍ୟମରେ ଦୋଷ ତଥା ଦ୍ଵେଷହୀନ ମାନବ ନିର୍ମାଣ କରାଯାଇପାରିବ ବୋଲି ତାଙ୍କର ଲକ୍ଷ୍ୟ ଥିଲା । ସେଥିପାଇଁ ଶାନ୍ତିନିକେତନ ମଣିଷ ଜୀବନର ଉତ୍କର୍ଷ କେନ୍ଦ୍ର ଭାବରେ ଗଢିବା ପାଇଁ ସେ ପ୍ରୟାସ କରିଥିଲେ । ସେଠି ବୃତ୍ତି ଅପେକ୍ଷା ପ୍ରବୃତ୍ତି ଥିଲା ଗୁରୁତ୍ୱପୂର୍ଣ୍ଣ । ଜାତୀୟ ଆନ୍ଦୋଳନ ସହ ଶାନ୍ତିନିକେତନର ସମ୍ପୃକ୍ତି ଥିଲା ଓ ତା’ ବାହାରେ ପୃଥିବୀର ମଣିଷ ହେବାକୁ ଆଗ୍ରହ ମଧ୍ୟ ଥିଲା । ସେଥିପାଇଁ ଗାନ୍ଧି ଓ କବିଗୁରୁଙ୍କର ବିତର୍କକୁ ଆମେ ଏକ ବୌଦ୍ଧିକ ପୃଷ୍ଠଭୂମି ଭାବରେ ନେଇ ନୂଆ ଭାରତର ସ୍ଵପ୍ନ ଦେଖିବା ଆରମ୍ଭ କରିଥିଲୁ ।

ସ୍ୱାଧୀନତାର ୭୦ ବର୍ଷ ପରେ ଆଜି ଗାନ୍ଧି ନାହାନ୍ତି, କବି ଗୁରୁ ମଧ୍ୟ ନାହାନ୍ତି । ଉଭୟଙ୍କର ବୈଚାରିକ ଉତ୍ତରାଧିକାର ଏକପ୍ରକାର ଅନ୍ଧାରରେ । ସ୍ୱାଧୀନତା ପରେ ଆମର ରାଜନୀତି, ଜାତୀୟତା, ବିଚାର ଓ ଦର୍ଶନ ଏତେ ପରିମାଣରେ ସୀମିତ ହୋଇଯାଇଛି ଯେ ସେଠି ବୌଦ୍ଧିକ ମନ୍ଥନ ଆଉ ସମ୍ଭବ ନୁହେଁ । ଆମର ରାଜନୀତିର ଭାଷା ଭୟଙ୍କର ଭାବରେ ପୀଡ଼ିତ । ଅସହିଷ୍ଣୁତା, ଈର୍ଷା, ଦ୍ୱେଷ, ହିଂସା ଓ ପ୍ରତିପକ୍ଷକୁ ଘୃଣା କରିବାର ଏକ ଭୟଙ୍କର ରାଜନୀତି ଆମେ ତିଆରି କରି ଚାଲିଛୁ । ଗାନ୍ଧିଙ୍କ ବିଚାରରେ ଯେଉଁ ଜାତୀୟତାକୁ ହିଂସା ଓ ପ୍ରତିପକ୍ଷକୁ ଘୃଣା କରିବାର ଏକ ଭୟଙ୍କର ରାଜନୀତି ଆମେ ତିଆରି କରି ଚାଲିଛୁ । ଗାନ୍ଧିଙ୍କ ବିଚାରରେ ଯେଉଁ ଜାତୀୟତାକୁ କବିଗୁରୁ ମାନବିକତା ତଥା ଆନ୍ତର୍ଜାତିକବାଦ ପାଇଁ ଏକ ଆହ୍ୱାନ ବୋଲି କହୁଥିଲେ, ସେହି ଜାତୀୟତା ଗାନ୍ଧିଙ୍କ ଜାତୀୟତା ତୁଳନାରେ ଲକ୍ଷେ ଗୁଣ ବିଷାକ୍ତ ।

ଏବେ ଜାତୀୟତା ନାମରେ ଏକ ଭୟଙ୍କର ଚେତନାର ବିସ୍ତାର ଘଟି ଚାଲିଛି । ଏହି ଜାତୀୟତା ପଛରେ ରହିଛି ସଂକୀର୍ଣ୍ଣ ଗୌରବେବାଧ । ଆମେ ହିଁ ଶ୍ରେଷ୍ଠ । ବିଂଶ ଶତାବ୍ଦୀରେ ଗାନ୍ଧିଙ୍କଠୁ ଆରମ୍ଭ କରି ଫୁକୁୟାମା, ନେଲସନ୍ ମାଣ୍ଡେଲା ଓ ମାର୍ଟିନ୍ ଲୁଥର କିଙ୍ଗଙ୍କ ପର୍ଯ୍ୟନ୍ତ ଜାତୀୟତାର ନବନିର୍ମାଣ ଘଟିଥିଲା । ଏମାନଙ୍କ ମତରେ ଆମେ ଶ୍ରେଷ୍ଠ କିନ୍ତୁ ଆମ ସହ ସାରା ମଣିଷ ଜାତି ମଧ୍ୟ ଶ୍ରେଷ୍ଠ । ଏହି ଭାବନା ରହିଥିଲା । ବର୍ତ୍ତମାନର ଜାତୀୟତା ଭୟଙ୍କର ଭାବରେ ସଂକୀର୍ଣ୍ଣ । ଏଠି ଦେଶ ବହୁ ଭାବରେ ବିଭାଜିତ । ଦେଶକଥା କହିଲାବେଳେ ସବୁଠୁ ଅଧିକ ଲୋକ ବିଶ୍ୱାସ କରୁଥିବା ଧର୍ମକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ସଂଖ୍ୟା ଗରିଷ୍ଠତାର ଅହଙ୍କାର ଜାତୀୟତାକୁ ପ୍ରଦୂଷିତ କରେ । ସେଥିପାଇଁ ଗାନ୍ଧି ସବୁବେଳେ ଧର୍ମ ମତରେ ସଂଖ୍ୟାଲଘୁ ମତକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଧର୍ମ, ଜାତି, ବର୍ଣ୍ଣ, ଅର୍ଥନୈତିକ ଶ୍ରେଣୀ ଓ ବୌଦ୍ଧିକ ପୁଞ୍ଜିକୁ ନେଇ ଜାତୀୟତା ନିଜର ପ୍ରଭାବ ବଢାଇ ଚାଲିଛି । ଏପ୍ରକାର ଜାତୀୟତା ମଣିଷ ପାଇଁ ସବୁଠୁ ବଡ଼ ଶତ୍ରୁ । ଗାନ୍ଧି ଓ କବିଗୁରୁଙ୍କ ଭୂମିରେ ଏକ ବିଷାକ୍ତ ଜାତୀୟତାର ନିର୍ମାଣ ଏକବିଂଶ ଶତାବ୍ଦୀ ପାଇଁ ସବୁଠୁ ବଡ଼ ଆହ୍ୱାନ ।

୧୯୫୦ ପୂର୍ବରୁ ଆମେ ଜାତୀୟତାକୁ ମୁକ୍ତିର ଭୂମି ବୋଲି ବିଚାର କରୁଥିଲେ । ୧୯୫୦ ପରେ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ନେତୃତ୍ବରେ ଆମ ପାଇଁ ଜାତୀୟତା ଆଉ ଏକ ନୂଆ ଭୂମି ନିର୍ମାଣ କଲା । ସେ ଭୂମିର ନାଁ ଥିଲା ଗଣତନ୍ତ୍ର । ଭାରତୀୟ ଜାତୀୟତାର ପରିଧିରେ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ଶକ୍ତିଶାଳୀ କରି ଗଢି ତୋଳିବା ପାଇଁ ପଣ୍ଡିତ ନେହେରୁ ପ୍ରୟାସ କରିଥିଲେ । ତାଙ୍କରି ଦୃଢ ନେତୃତ୍ୱ ଓ ଇଚ୍ଛାଶକ୍ତି ଯୋଗୁଁ ଭାରତ ଏକ ଶକ୍ତିଶାଳୀ ଗଣତନ୍ତ୍ର ଭାବରେ ନିଜର ପରିଚୟ ତିଆରି କଲା । ଗତ ୭୦ ବର୍ଷ ଧରି ଗଣତାନ୍ତ୍ରିକ ଭିତ୍ତିଭୂମି ଗଢିବାର ସବୁ ଶ୍ରେୟ ପଣ୍ଡିତ ନେହେରୁଙ୍କ ପାଖକୁ ଯିବ । ଦେଶର ପ୍ରଥମ ତିନୋଟି ସାଧାରଣ ନିର୍ବାଚନରେ ତାଙ୍କର ସମକକ୍ଷ ଜାତୀୟ ନେତା ନଥିଲେ । ସେହିପରି କଂଗ୍ରେସର ବିରୋଧୀ ଶକ୍ତି ମଧ୍ୟ ସେତେବେଳେ ବେଶ୍ ଦୁର୍ବଳ । କିନ୍ତୁ ପଣ୍ଡିତ ନେହେରୁ କ୍ଷମତା ବଳୟରେ ପ୍ରତିପକ୍ଷକୁ ସମାନ ସୁଯୋଗ ଦେବାର ଏକ ଗଣତାନ୍ତ୍ରିକ ପରମ୍ପରା ଆରମ୍ଭ କରିଥିଲେ । ତେଣୁ ତାଙ୍କର ମନ୍ତ୍ରିମଣ୍ଡଳରେ ତାଙ୍କର କଠୋର ବିରୋଧୀ ମଧ୍ୟ ସହଯୋଗୀ ଭାବରେ କାମ କରିବାର ସୁଯୋଗ ପାଇଛନ୍ତି । ନେହେରୁ ସମାଜବାଦୀ ବିଚାରଧାରାର ହୋଇଥିବାବେଳେ ଦକ୍ଷିଣପନ୍ଥୀ ଶ୍ୟାମପ୍ରସାଦ ମୁର୍ଖାଜୀ ତାଙ୍କ ସହଯୋଗୀ ହୋଇଥିଲେ । ସବୁପ୍ରକାର ବିଚାରକୁ ଗୋଟିଏ ରାଜନୈତିକ ଭୂମି ଦେବା ପାଇଁ ତାଙ୍କର ଉଦ୍ୟମ ଫଳରେ ଆମର ଗଣତନ୍ତ୍ର ବଞ୍ଚି ରହିଲା ।

କବିଗୁରୁ, ଗାନ୍ଧି ଓ ନେହେରୁଙ୍କ ଯୁଗ ପରେ ଆମେ ଏମିତି ଏକ ଯୁଗରେ ପହଞ୍ଚିଛୁ ଯେଉଁଠି ଜାତୀୟତା ଏକ ବିଚିତ୍ର ସ୍ଥିତିରେ ପହଞ୍ଚିଛି । ଯୋଗାଯୋଗର ବୈପ୍ଳବିକ ପରିବର୍ତ୍ତନ ପରେ ପୃଥିବୀ ଅଧିକ ନିକଟତର ହୋଇଛି, ହେଲେ ପୃଥିବୀର ମଣିଷମାନେ ପରସ୍ପରଠାରୁ ଅଧିକ ବିଚ୍ଛିନ୍ନ ଲାଗୁଛନ୍ତି । ଗୋଟେ ସମୟରେ ଆଫ୍ରିକାର ସଂଘର୍ଷ ସହ ଆମେ ଭାରତୀୟମାନେ ଏକାଠି ଠିଆ ହେଉଥିଲେ । ଆଜି ଭାରତ ବାହାରେ ନିଜ ପଡ଼ୋଶୀକୁ ଆମେ ଘୃଣା କରୁଛେ । ଜାତୀୟତାର ଏହି ପରିବର୍ତ୍ତନ ମଣିଷ ପାଇଁ ଏକ ଭୟଙ୍କର ଅନ୍ଧାର ସୃଷ୍ଟି କରିବ । ସେ ଅନ୍ଧାରରୁ ଆମକୁ ମୁକ୍ତି ମିଳୁ।

LEAVE A REPLY

Please enter your comment!
Please enter your name here