Latest Odisha News

BREAKING NEWS

ରାକ୍ଷୀ ପିନ୍ଧିଲେ ମହାପ୍ରଭୁ, ବଳଭଦ୍ର ମହାପ୍ରଭୁଙ୍କ ଜନ୍ମ ପାଇଁ ଶ୍ରୀମନ୍ଦିରରେ ହେଉଛି ସ୍ଵତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହୋଇଛି ରକ୍ଷା ବନ୍ଧନ ଓ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି । ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ସ୍ନେହ ଓ ବିଶ୍ୱାସର ଏହି ପର୍ବରେ ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଵିଶାଳ ଓ ସ୍ୱତନ୍ତ୍ର ରାକ୍ଷୀକୁ ବଡ଼ ଭାଇ ବଳଭଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କ ବାହୁରେ ବାନ୍ଧିଛନ୍ତି ମାଆ ସୁଭଦ୍ରା । ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ସିଂହାରୀ ସେବକଙ୍କ ଦ୍ୱାରା ରକ୍ଷା ବନ୍ଧନ ନୀତି ସମ୍ପାଦିତ ହୋଇଛି । ଏହାପରେ ମାର୍କଣ୍ଡ ପୁଷ୍କରିଣୀରେ ପ୍ରଭୁ ବଳଭଦ୍ର ଜନ୍ମନୀତି କରାଯାଇଛି ।

ରକ୍ଷାବନ୍ଧନ ଅବସରରେ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ସର୍ବାଙ୍ଗ ଓ ନୂଆ ଲୁଗା ଲାଗି କରାଯିବା ସହ ମହାପ୍ରଭୁଙ୍କ ଶ୍ରୀ ହସ୍ତରେ ସିଂହାରୀ ସେବକ ମାନେ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରଦତ୍ତ ଚାରିଗୋଟି ରାକ୍ଷୀ ଓ ଚାରୋଟି ଗୁଆ ମାଳ ପିନ୍ଧାଇଥିଲେ । ସ୍ୱତନ୍ତ୍ର ଭାବେ ନିର୍ମିତ ଏହି ରାକ୍ଷୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ସଂସାରର ମଙ୍ଗଳ ଓ ସୁରକ୍ଷା କାମନା କରି ଦେବୀ ସୁଭଦ୍ରା ଭାଇ ମାନଙ୍କୁ ବାନ୍ଧିଥାନ୍ତି ରାକ୍ଷୀ ।

ସେହିପରି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କ ଜନ୍ମ ନୀତି ପାଳିତ ହୋଇଯାଇଛି । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ସୁଦର୍ଶନ ମହାପ୍ରଭୁ ଚଉ ଦୋଳରେ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରିବା ସହ ସେଠାରେ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଏହି ସ୍ୱତନ୍ତ୍ର ନୀତି କରାଯାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି କରିଛନ୍ତି । ଗହ୍ମା ପୂର୍ଣ୍ଣମୀରେ ସିଂହ ଦ୍ୱାର ସମ୍ମୁଖରେ ମୁରୁଜରେ ରାକ୍ଷୀ ତିଆରି କରି ମହାପ୍ରଭୁଙ୍କୁ ସମର୍ପଣ କରିଛନ୍ତି ଜଣେ ଭକ୍ତ । ଏହି ସୁନ୍ଦର ରାକ୍ଷୀକୁ ଦେଖିବାକୁ ସିଂହ ଦ୍ବାର ସମ୍ମୁଖରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

Leave A Reply

Your email address will not be published.