ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁଣି ନୂଆ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ଏହି ଧାଡ଼ି ଦର୍ଶନ ଜାନୁଆରୀ ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଫେବୃଆରୀ ପହିଲାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ ।
ତେବେ ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ପାଇଁ ଧାଡି ଦର୍ଶନ ପ୍ରକ୍ରିୟା ବିଳମ୍ବ ହେଉଛି । ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ କିଛି ଅନୁମତି ଆବଶ୍ୟକ ଅଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ କରାଯିବ । ତେଣୁ ଫେବୃଆରୀ ଏକ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଧାଡି ଦର୍ଶନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ । କାଠରେ ତିଆରି ବ୍ୟାରିକେଡରେ ଭକ୍ତ ପ୍ରବେଶ କରିବେ । ସେଥିରୁ ପ୍ରଥମ ଧାଡ଼ି ଦିବ୍ୟାଙ୍ଗ ଭକ୍ତ, ଦ୍ୱିତୀୟ ଧାଡିରେ ମହିଳା ଓ ଛୋଟପିଲା ଏବଂ ଗୋଟିଏ ଧାଡ଼ି ବରିଷ୍ଠ ନାଗରିକଙ୍କ ପାଇଁ ରହିବ । ସମସ୍ତ ଭକ୍ତ ବାହାର କାଠ ପାଖରେ ରାମ୍ପରେ ଚଢ଼ି ଠାକୁରଙ୍କୁ ଦର୍ଶନ କରିବେ । ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ଏବଂ ପୁରୁଷ ଭକ୍ତ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ ।
Comments are closed.