Latest Odisha News

BREAKING NEWS

‘ମୁଖ୍ୟମନ୍ତ୍ରୀ ହେବାକୁ ଯଦି ଇଚ୍ଛା ଧର୍ମେନ୍ଦ୍ର ରାଜ୍ୟ ବିଜେପିରେ ରୁହନ୍ତୁ’

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ଦିଲ୍ଲୀ ଯାଇ ଫେରିଛନ୍ତି ରାଜ୍ୟ ବିଜେପିର ପ୍ରମୁଖ ନେତା । ନିର୍ବାଚନ ଫଳାଫଳରେ ଶାସକ ଦଳ ବିଜେଡି ଆଗରେ ବିଜେପି ମୁଣ୍ଡ ନଟେକିପାରିବା ରାଜ୍ୟ ବିଜେପିର ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଛିଡା କରିଛି । ତେଣୁ ରାଜ୍ୟ ବିଜେପିର ନେତୃତ୍ୱ ଜଣେ ବଡ ଚେହେରା ହେଲେ ରାଜ୍ୟ ବିଜେପି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଚର୍ଚ୍ଚା ହୁଏ। ଏପରି ଚର୍ଚ୍ଚା ଭିତରେ ଶୀର୍ଷ ନେତୃତ୍ୱକୁ ଅବଗତ କରାଇବା ପାଇଁ ରାଜ୍ୟ ବିଜେପି ନେତା ଦିଲ୍ଲୀ ଯାଇଥିଲେ ବୋଲି ସୂଚନା ରହିଛି।

ଏହାରି ଭିତରେ କିନ୍ତୁ ରାଜ୍ୟ ରାଜନୀତିର ପୁରୁଖା ନେତା ତଥା ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଏକ ବଡ ବୟାନ ଦେଇଛନ୍ତି । ସେ ‘ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ ସମ୍ପାଦକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସିଧା ସିଧା କହିଛନ୍ତି, ରାଜ୍ୟ ବିଜେପି ସେତେବେଳେ ସୁଦୃଢ ହେବେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତୃତ୍ୱ ନେବେ ।

ରାଜ୍ୟ ରାଜନୀତିରେ ଯେଉଁ କିଛି ଜଣ ରୋକଠୋକ୍ ଜବାବ ଦିଅନ୍ତି ସେମାନଙ୍କ ମଧ୍ୟରେ ଖାରବେଳ ସ୍ୱାଇଁ ଅନ୍ୟତମ । ସେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଆଗକୁ ନବଢିବା ପଛର ଅନେକ କାରଣ କହିଛନ୍ତି । ଆଉ ଦଳକୁ ମଜବୁତ କିପରି କରିହେବ ସେ ନେଇ ମଧ୍ୟ ଜବାବ ରଖିଛନ୍ତି । ସେ କହିଛନ୍ତି, ବିଜେପି ଯେଉଁ ସବୁ ରାଜ୍ୟରେ ସରକାର ଗଢ଼ିଛି ସେଠାରେ ମୁଖ୍ୟମନ୍ତ୍ରୀ ମାନେ ପ୍ରଥମେ ରାଜ୍ୟ ବିଜେପିର ସଭାପତି ହୋଇଛନ୍ତି । ତେଣୁ ଧର୍ମେନ୍ଦ୍ର ଯଦି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ତାହେଲେ ସେ ପ୍ରଥମେ ରାଜ୍ୟ ବିଜେପିର ସଭାପତି ହୋଇ ନେତୃତ୍ୱ ନିଅନ୍ତୁ ବୋଲି କହିଛନ୍ତି । ଉଦାହରଣ ଦେବାକୁ ଯାଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା, ଆସାମର ସର୍ବାନନ୍ଦ ସୋନଓ୍ୱାଲ, ତ୍ରିପୁରାର ବିପ୍ଳବ ଦେବଙ୍କ ଉଦାହରଣ ଦେଇଛନ୍ତି।

ଖାରବେଳ ସ୍ୱାଇଁ ଏପରି କହି ସେ ଧର୍ମେନ୍ଦ୍ରଙ୍କୁ ପରୋକ୍ଷରେ ନିର୍ବାଚନ ଲଢିବାକୁ କହିବା ସହିତ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟର ନେତୃତ୍ବ ଦେବାକୁ ଆହ୍ୱାନ କରିଛନ୍ତି । ତେବେ ସେ ଏଠିକାର ଦାୟିତ୍ୱ ନେଇ କେନ୍ଦ୍ରମନ୍ତ୍ରୀ ପଦରେ ରହିବେ କି ନାହିଁ ତାହା ତାଙ୍କର ନିଷ୍ପତ୍ତି ବୋଲି କହିଛନ୍ତି । କିନ୍ତୁ ବିଜେପିର ସାମ୍ବାଧାନିକ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିବେ । ଅର୍ଥାତ ଜଣେ କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ରାଜ୍ୟ ବିଜେପିର ସଭାପତି କିମ୍ବା ଆଉ କିଛି ବଡ ପଦରେ ରହିପାରିବେ ନାହିଁ ।

ବିଭିନ୍ନ ସମୟରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ହାରିବା ଭୟରେ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଉନାହାନ୍ତି ପ୍ରସଙ୍ଗରେ ଫୁଲଷ୍ଟପ ପକାଇବାକୁ ମଧ୍ୟ ଖାରବେଳ କହିଛନ୍ତି । ଏପରି ଜବାବ ରଖି ସେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦାହରଣ ଦେଇଛନ୍ତି। ଯୋଗୀ ତାଙ୍କ ସରକାରର ପ୍ରଥମ ପାଳିରେ ବିଧାନ ପରିଷଦରୁ ନିର୍ବାଚିତ ହୋଇଥିଲେ । କିନ୍ତୁ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ପ୍ରାର୍ଥୀ ହୋଇ ଗୋରଖପୁରରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ।

ସେ ଆହୁରି କହିଛନ୍ତି, ପଞ୍ଚାୟତ ନିର୍ବାଚନ ବେଳେ ମୋଦୀ ସଂସଦରେ ନବୀନଙ୍କୁ ପ୍ରଶଂସା କରିବା ଠିକ ହେଲାନି। ଏ ନେଇ ସେ କେନ୍ଦ୍ର ବିଜେପିକୁ ଅବଗତ କରାଇଛନ୍ତି । ସେହିପରି ୨୦୧୪ ପୂର୍ବରୁ ସେ ବିଜେପିରେ ମିଶି ବାଲେଶ୍ଵରରୁ ସାଂସଦ ଭାବେ ଲଢ଼ିଥାନ୍ତେ, କିନ୍ତୁ ବିଜେଡି ପୁରୀ ସାଂସଦ ପିନାକି ମିଶ୍ର ଗୌତମ ଆଦାନୀଙ୍କୁ ଧରି ମୋଦିଙ୍କ ସହ କଥା ହୋଇ ତାଙ୍କ ଟିକେଟ କାଟିଥିଲେ ବୋଲି ଖାରବେଳ କହିଛନ୍ତି । ସେତେବେଳେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସରକାରକୁ ଆସିବେ କି ନାହିଁ ଆକଳନ କରିପାରିନଥିଲେ । ତେଣୁ ବାଜପେୟୀ ସରକାରରେ ସହଯୋଗୀ ଭାବରେ ଥିବା ଜୟଲଳିତାଙ୍କ ଏଆଇଏମଡିଏମକେ, ନବୀନ ପଟ୍ଟନାୟକଙ୍କ ଭଳି ନେତାଙ୍କ ସହିତ ନିର୍ବାଚନ ପରେ ମେଣ୍ଟ କରି ସରକାର ଗଢ଼ିବାକୁ ଚିନ୍ତା କରୁଥିଲେ । ତେଣୁ ତାଙ୍କ ଟିକେଟ କଟିିଥିଲା । ସେହିପରି ତାଙ୍କର ଉତ୍କଳ ଭାରତ ଦଳକୁ ସରପଞ୍ଚ ଲେବୁଲର ନେତା ବି ଆସିଲେନି। ଏହା ତାଙ୍କର ଏକ ବିଫଳ ପରିକଳ୍ପନା । ଦଳ ପାଖରେ ସମ୍ବଳ ସହିତ ଅନେକ କିଛି ଅଭାବ ଥିଲା ତେଣୁ ଉତ୍କଳ ଭାରତ ବିଫଳ ହୋଇଛି ବୋଲି ସେ କହିଥିଲେ । ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସେ ସମ୍ପର୍କରେ ଅଛନ୍ତି ଓ ତାଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ସମ୍ପର୍କରେ କି ଆଲୋଚନା ହୋଇଛି କିନ୍ତୁ ସେ କହିବେ ନାହିଁ ବୋଲି ସାକ୍ଷାତକାରରେ କହିଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ପରେ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଜାତୀୟ ରାଜନୀତିରେ ତାଙ୍କର ଅନେକ ପତିଆରା ରହିଛି । ୟୁପିରେ ବିଜେପି ବିଜୟୀ ହେବା ଏବଂ ପଶ୍ଚିମବଙ୍ଗରେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ହରାଇବା, ବିଭିନ୍ନ ରାଜ୍ୟରେ ରାଜନୈତିକ ସଙ୍କଟ ବେଳେ ଧର୍ମେନ୍ଦ୍ରଙ୍କର ଗୋଟିଏ ବଡ଼ ଭୂମିକା ରହିଛି । ଅନ୍ୟପଟେ ମୋଦୀ-ଶାହାଙ୍କ ଗୁଡ ବୁକରେ ଥିବା ନେତା ହେଉଛନ୍ତି ଧର୍ମେନ୍ଦ୍ର ତେଣୁ ଖାରବେଳଙ୍କ ଆହ୍ୱାନକୁ କେନ୍ଦ୍ରମନ୍ତ୍ରୀ କେମିତି ଗ୍ରହଣ କରିବେ ତାହା ମଧ୍ୟ ଆଉ ଏକ ପ୍ରସଙ୍ଗ । ତେବେ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟ ବିଜେପିର ପରିବର୍ତ୍ତନ ହେବା ସହିତ ଶାସକ ଦଳ ବିଜେଡି ବିରୋଧରେ ବିଜେପି ପୁଣି ଆକ୍ରାମଣାତ୍ମକ ହେବ ବୋଲି ଖାରବେଳ ସ୍ୱାଇଁ କହିଛନ୍ତି।

 

 

Leave A Reply

Your email address will not be published.