Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ୬ ଜଣଙ୍କ ମୃତ୍ୟୁ

ରାୟଗଡ଼ା: ଝାଡ଼ାବାନ୍ତିରେ ଝରି ପଡ଼ୁଛି ଜୀବନ । ଦୁଇ ଦିନରେ ଗଲାଣି ୬ ପ୍ରାଣ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବ୍ଲକର ବିଭିନ୍ନ ଗାଁରେ ସଂଖ୍ୟାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଟିକିରି ଗାଁର ଧୋବା ମାଝୀ ଓ ଦୁଡୁକାବାହାଲ ଗାଁର ସବିତା ନାଏକଙ୍କ ମୃତ୍ୟୁ ହୋଇଥିଲା । ଆଜି ଟିକିରି ଗାଁର ସରୋଜିନୀ ଝୋଡ଼ିଆ, ଅଞ୍ଜ ଝୋଡ଼ିଆ, ରଜନୀ ଝୋଡ଼ିଆ ଓ କନେଇ ମାଝୀ ଆଖି ବୁଜିଛନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କୁ କାଶୀପୁର, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର ସହ ରାୟଗଡ଼ା ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତରଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଉଛି ।

ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡ଼ମାରିଭଟ୍ଟା, କାକୁଡ଼ିପଦର, ରାଉତଘାଟି ଭଳି ବିଭିନ୍ନ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ଷା ଋତୁ ଆରମ୍ଭରୁ କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ମେଡିକାଲ୍ ଟିମ୍ ବିଭିନ୍ନ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ପିଇବା ପାଣି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସଚେତନତା ସୃଷ୍ଟି ଲାଗି ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମଓ ।

ସେପଟେ ଝାଡ଼ାବାନ୍ତିରେ ଲୋକଙ୍କ ଜୀବନ ଯିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା । ମେଡିକାଲରେ ଡାକ୍ତର ଅଭାବ ଏବଂ ଦୂଷିତ ପାଣି ପାଇପ୍ ମାଧ୍ୟମରେ ଯୋଗାଣ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ୨୦୦୮ ମସିହାରେ ଜିଲ୍ଲାରେ ଡାଇରିଆରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨୦୧୦ ମସିହାରେ ବି ପୁଣି ଝାଡ଼ାବାନ୍ତି ଝଡ଼ାଇ ନେଇଥିଲୋ ଅନେକ ଜୀବନ । ଏବେ ପୁଣି ବର୍ଷା ଋତୁ ଆରମ୍ଭରୁ ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ।

Leave A Reply

Your email address will not be published.