Latest Odisha News

“ପଞ୍ଚାୟତ ଅଫିସରୁ ଚୋରି କଲେ ସରପଞ୍ଚ!”

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀ ସରପଞ୍ଚଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପଞ୍ଚାୟତ ଅଫିସରୁ ଜିନିଷ ଚୋରି କରି ବିକୁଛନ୍ତି ସରପଞ୍ଚ । ଚୋରି ଜିନିଷକୁ ସହଯୋଗୀଙ୍କ ଜରିଆରେ ବିକୁଛନ୍ତି ବୋଲି ଗ୍ରାମବାସୀ ଏବଂ ଅଫିସ ପିଅନ ଅଭିଯୋଗ କରିଛନ୍ତି ।

କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ! ଗ୍ରାମବାସୀ କହିଛନ୍ତି ଯେ, ସରପଞ୍ଚ ସହଯୋଗୀଙ୍କୁ ଲଗାଇ ଅଫିସ ଜିନିଷ ଚୋରି କରୁଛନ୍ତି ।

ଏହି ଘଟଣାର ପ୍ରମାଣ ପଞ୍ଚାୟତ ଅଫିସ ପିଅନଙ୍କ ନିକଟରେ ଥିବା ସେ କହିଛନ୍ତି । ସରପଞ୍ଚ ବସନ୍ତ ମହାନନ୍ଦ ଅଫିସ ଭିତର ପଟରୁ ତାଲା ପକାଇ ବହୁ ବର୍ଷ ରୁ ରହଥିବା ଏକ ଓଜନିଆ ଲୁହା ଟ୍ରେଜେରୀ ଓ ଏକ ଧାନ ପେସା ହଲର ମେସିନ କୁ ଭାଙ୍ଗି ବିକ୍ରି କରି ଦେଇଛନ୍ତି ।

ଘର ଢ଼ିଙ୍କି କୁମ୍ଭୀର ସ୍ୱରୂପ ସରପଞ୍ଚ ସହଯୋଗୀଙ୍କ ସହ ମିଶି ପଞ୍ଚାୟତ ଅଫିସକୁ ଲୁଟିବାରା ଲାଗିଛନ୍ତି । ଏହି ଘଟଣାରେ ଗ୍ରାମବାସୀ ବରପାଲି ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ରାଜନୈତିକ ଚାପ ଯୋଗୁଁ କିଛି କାର୍ଯ୍ୟାନୁଷ୍ଠାନ ହେଲାନି ବୋଲି ଅଭିଯୋଗକାରୀ କହିଛନ୍ତି । ଏବେ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଘଟଣାର ନିରପେକ୍ଷ ତଦନ୍ତ କରି ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ଗ୍ରାମବାସୀ । ଜିଲ୍ଲାପାଳ ମନୀଷା ବାନାର୍ଜୀ ଏହି ଅଭିଯୋଗର ତଦନ୍ତ କରୁଛନ୍ତି ଏବଂ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.