ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଆତଙ୍କ। ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ୨୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଗତ ଗୁରୁବାରରୁ ଗାଁରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗାଁରେ ଏପର୍ଯ୍ୟନ୍ତ ୨୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସାରିଲେଣି। ଯାହାକୁ ନେଇ ଗାଁରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି।
ପ୍ରାୟ ୧୦ ଆକ୍ରାନ୍ତଙ୍କୁ ପୁଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଅନ୍ୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଚିକିତ୍ସା ଦଳ କେନ୍ଦୁଘାଟରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଗାଁଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି। ଝାଡ଼ାବାନ୍ତିର ପ୍ରକୃତ କାରଣ କ’ଣ, କେଉଁ କାରଣରୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ କରାଯାଉଛି।
ସ୍ଥିତି ଗମ୍ଭୀର ହେବା ପରେ ପୂଜାରୀଗୁଡ଼ାରୁ ଏକ ମେଡିକାଲ ଟିମ୍ କେନ୍ଦୁଘାଟରେ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ଆଣୁଥିବା ସୂଚନା ମିଳିଛି। ତେବେ ନାବାଳକର ମୃତ୍ୟୁର ପ୍ରକୃତ କାରଣ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନାହିଁ। କେନ୍ଦୁଘାଟରେ ଏବେ ତୁରନ୍ତ ଚିକିତ୍ସା ଶିବିର, ଆକ୍ରାନ୍ତଙ୍କ ଚିହ୍ନଟ ଏବଂ ଆବଶ୍ୟକ ଚିକିତ୍ସା ସୁନିଶ୍ଚିତ କରିବା ଦାବି ଜୋର ଧରିଛି ।

