ଶ୍ରୀନଗର: କାଶ୍ମୀରର ସଂସ୍କୃତିର ପ୍ରତୀକ ଚିନାର ଗଛଗୁଡ଼ିକର ସଂରକ୍ଷଣ ଏବଂ ଯତ୍ନ ପାଇଁ ଏକ ଖାସ୍ ପଦକ୍ଷେପ ନିଆଯାଉଛି। ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ହଜାର ହଜାର ଚିନାର ଗଛର ଜିଓ-ଟ୍ୟାଗିଂ କରାଯାଉଛି।
ସହରୀକରଣ, ରାସ୍ତା ପ୍ରଶସ୍ତୀକରଣ ଏବଂ ରୋଗପୋକ ଯୋଗୁଁ ଗଛକୁ ହେଉଥିବା କ୍ଷତି ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ଜିଓ-ଟ୍ୟାଗିଂ ଅଧୀନରେ ପ୍ରତ୍ୟେକ ଚିନାର ଗଛରେ ଏକ କ୍ୟୁଆର କୋଡ୍ ଲଗାଯାଉଛି। ତେବେ ଏହି କୋଡରେ ଗଛର ସ୍ଥାନ, ବୟସ, ସ୍ୱାସ୍ଥ୍ୟ ଏବଂ ବଢିବା ଢାଞ୍ଚା ସମେତ ୨୫ ପ୍ରକାରର ସୂଚନା ରେକର୍ଡ କରାଯାଇଛି।
ଏହି କ୍ୟୁଆର କୋଡକୁ ଜନସାଧାରଣ ସ୍କାନ କରି ଗଛଗୁଡ଼ିକ ବିଷୟରେ ବିସ୍ତୃତ ସୂଚନା ପାଇପାରିବେ। ପ୍ରକଳ୍ପ ମୁଖ୍ୟ ସୟଦ ତାରିକଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୨୯,୦୦୦ ଚିନାର ଗଛକୁ ଜିଓ-ଟ୍ୟାଗିଂ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗୋଟିଏ ଚିନାର ଗଛକୁ ସମ୍ପୂର୍ଣ୍ଣ ଭାବରେ ବଢ଼ିବାକୁ ପ୍ରାୟ ୧୫୦ ବର୍ଷ ସମୟ ଲାଗିଥାଏ। ଏହା ୩୦ ମିଟର ଉଚ୍ଚ ଏବଂ ୧୦ରୁ ୧୫ ମିଟର ପରିଧି ପର୍ଯ୍ୟନ୍ତ ବଢ଼ିପାରେ। ଶ୍ରୀନଗରର ଉପକଣ୍ଠରେ ବିଶ୍ୱର ସବୁଠାରୁ ପୁରୁଣା ଚିନାର ଅବସ୍ଥିତ। ଯାହାର ବୟସ ପ୍ରାୟ ୬୫୦ ବର୍ଷ ବୋଲି କୁହାଯାଏ।
Comments are closed.