Latest Odisha News

ବିଜେପି ଛାଡ଼ିବାକୁ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଇଙ୍ଗିତ

ଭୁବନେଶ୍ୱର: ଓଡ଼ିଶା ବିଜେପିର ଦୁଇ ବରିଷ୍ଠ ନେତା ରାଉରକେଲାର ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ସେମାନଙ୍କ ପ୍ରତି ହେଉଥିବା ଦଳୀୟ ନେତୃତ୍ୱର ଚରମ ଉଦାସୀନତା ନେଇ ନିକଟରେ ଦେଇଥିବା ବୟାନରୁ ଦୁହେଁ ଖୁବ ଶିଘ୍ର ହେଉ କି ପରେ ଦଳରୁ ଇସ୍ତଫା ଦେବାର ଇଙ୍ଗିତ ପ୍ରଦାନ କରୁଛି ।

କୌଣସି ବିଜେପି ନେତାଙ୍କ ନାମ ନ’ନେଇ ଦିଲ୍ଲୀପ ରାୟ ରବିବାର ଦିନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି, ସେମାନେ ରାଉରକେଲାର ବିକାଶ ଚାହୁଁ ନାହାନ୍ତି । “ ଏସବୁ ବହୁତ ହୋଇଗଲାଣି, ରାଉରକେଲାର କିଛି ଉନ୍ନତି ହେଇ ଏମାନେ ଚାହୁଁନାହାନ୍ତି । ଗତଥର ନିର୍ବାଚନରେ ରାଉରକେଲା ଓ ସୁନ୍ଦରଗଡ଼ରେ ବିଜେପି ଯେଉଁ ଭୋଟ୍ ହାସଲ କରିପାରିଥିଲା ତାହା ଏଥର ଯେମିତି ନ’ହେବ ତାହା ମଧ୍ୟ ଜଣେ ପାୱାରଫୁଲ ନେତା ଚାହୁଁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ, ଏଥିରେ ମୁଁ କାଳେ ସବୁ କ୍ରେଡ଼ିଟ୍ ନେଇଯିବି ସେହି ଡ଼ର ତାଙ୍କର ରହୁଛି । ମୁଁ ଶେଷଥର ଲାଗି ଚେଷ୍ଟା କରିବି । ଯଦି କିଛି ନ’ହୁଏ ତେବେ ତିନି ଚାରି ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି । ମୁଁ ହଟିଗଲେ ରାଉରକେଲାର ଯଦି ଉନ୍ନତି ହୋଇପାରିବ ତେବେ ଭଲ କଥା,” ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ।

ସେ ଆହୁରି ମଧ୍ୟ କହିଛନ୍ତି, ରାଉରକେଲାରେ ୨ୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲର ଉନ୍ନୟନ ନିମେନ୍ତେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ, ସେ ରାଜ୍ୟର ଦଳୀୟ ନେତୃତ୍ୱ ତଥା କେନ୍ଦ୍ର ନେତୃତ୍ୱଙ୍କୁ ଏସମ୍ପର୍କରେ ବାରମ୍ଭାର ଅବଗତ କରି ଅନୁରୋଧ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଥିଲାଗି କୌଣସି କାର୍ଯ୍ୟ।।ନୁଷ୍ଠାନ ଗ୍ରହଣ କରାଗଲା ନାହିଁ । “ ଯଦି ସେମାନଙ୍କର ରାଉରକେଲାର ବିକାଶ ଲାଗି ପ୍ରକୃତରେ ଇଚ୍ଛା ରହିଛି ତେବେ ମୋର କିଛି ହେଲେ କହିବାର ନାହିଁ, ପରିଶେଷରେ ଏହି ପ୍ରସଙ୍ଗରେ ମୁଁ କାହା ସହିତ ଝଗଡ଼ା କରିବାକୁ ଚାହେଁ ନାହିଁ,” ବୋଲି କହିଛନ୍ତି ଦିଲ୍ଲୀପ ରାୟ ।

ସେ ବିଜେପିର ଜଣେ ବିଧାୟକ ହୋଇଥିବା ସତ୍ୱେ ତାଙ୍କୁ ଦଳୀୟ ସଭାସମିତି ବା ଦଳର କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି କ୍ୱଚିତ ଦେଖିବାକୁ ମିଳୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ତିକ୍ତ ସମ୍ପର୍କ ଅବଶ୍ୟ କାହାକୁ ଅଛପା ନୁହେଁ ।

ଇତିମଧ୍ୟରେ ତାଙ୍କର ଦଳୀୟ ସହଯୋଗୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କର ଏହି ବୟାନକୁ ସମର୍ଥନ କରି ସୋମବାର ଦିନ କହିଛନ୍ତି, ଦିଲ୍ଲୀପ ରାୟ ଉଠାଇ ଥିବା ଏହି ପ୍ରସଙ୍ଗ ସମ୍ପର୍କରେ ରାଜ୍ୟ ସରକାର, କେନ୍ଦ୍ର, ରାଜ୍ୟ ବିଜେପି ତଥା ଓଡ଼ିଶାର ଜନସାଧାରଣଙ୍କ ସମେତ ସମସ୍ତେ ଅବଗତ ଅଛନ୍ତି ।

“ ବିଜେପି ଏବଂ କେନ୍ଦ୍ର ସରକାର ତାଙ୍କର ଏହି ଦାବି ପ୍ରତି ବିଚାର କରିବା ଆବଶ୍ୟକ ରହିଥିଲା । ପ୍ରତ୍ୟେକ ନେତାଙ୍କର ବ୍ୟକ୍ତିଗତ ଭାବେ ନିଜର ରାଜନୈତିକ ନିର୍ଣ୍ଣୟ ନେବାର ଅଧିକାର ରହିଛି । ଯଦି କୌଣସି ବିଧାୟକଙ୍କ ପ୍ରତି ଉଦାସୀନତା ପରିଲକ୍ଷିତ ହୁଏ ବା ସେ ସମାଲୋଚିତ ହେଉଥାଆନ୍ତି ତେବେ ସେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥାଆନ୍ତି । ଯଦି ଦିଲ୍ଲୀପ ରାୟ ଏହି ପ୍ରସଙ୍ଗ ଉଠାଇଛନ୍ତି ତେବେ ଏଥିପ୍ରତି ଆଶ୍ଚର୍ଯ୍ୟଚକିତ ହେବା ଉଚିତ,” ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀପ ରାୟ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହିତ ଆଲୋଚନା କରିଥାଆନ୍ତି । ତେବେ ଦିଲ୍ଲୀପ ରାୟ ଦେଇଥିବା ଏହି ବୟାନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଜୟ ମହାପାତ୍ର କହିଛନ୍ତି, “ଏକ ବୈଠକ ପରେ ଆମେ ଦୁହେଁ ଗୋଟିଏ ନିଷ୍ପତ୍ତି ନେବୁ ।”

ଦିଲ୍ଲୀପ ରାୟଙ୍କ ପରି ରାଜ୍ୟ ବିଜେପି ନେତୃବର୍ଗଙ୍କ ସହିତ ବିଜୟ ମହାପାତ୍ରଙ୍କର ମଧ୍ୟ ସେଭଳି ଭଲ ତାଳମେଳ ନାହିଁ ।

Leave A Reply

Your email address will not be published.