Latest Odisha News

BREAKING NEWS

ବଦଳିବ ଡିପ୍ଲୋମା ପାଠ୍ୟକ୍ରମ, ବାଦ୍‌ ପଡ଼ିବ ଏକାଧିକ କୋର୍ସ

କଟକ: ଏଣିକି ବୈଷୟିକ ଶିକ୍ଷାରେ ବଦଳିବ ପାଠ୍ୟକ୍ରମ। ପରିବର୍ତ୍ତନ ହେବ ଡିପ୍ଲୋମା ପାଠ୍ୟକ୍ରମ। ଆଉ ବାଦ୍‌ ପଡ଼ିବ ଏକାଧିକ କୋର୍ସ। ଏଥିରେ ଯୋଡି ହେବ ଅନେକ ନୂଆ ପାଠ। ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମକୁ ଗୁରୁତ୍ୱ ଦେଇ ଚଳିତବର୍ଷ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେଉଛି । କିଛି କୋର୍ସକୁ ଏଥିରୁ ବାଦ୍ ଦିଆଯିବ ବୋଲି ଜଣାପଡ଼ିଛି ।

ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷରେ ସରକାରୀ ଓ ବେସରକାରୀ ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଜାରି ରହିଛି। ଏହି ପ୍ରକ୍ରିୟା ଗତ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖରେ ସରିବାକୁ ଯାଉଛି। ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇଂଜିନିୟରିଂ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଆବେଦନ କରୁଥିବା ବେଳେ ଚଳିତବର୍ଷ ଏଥିରେ ଅନେକ ପାଠ୍ୟକ୍ରମ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି ।

ଭୁବନାନନ୍ଦ ସ୍କୁଲ ଅଫ୍ ଇଞ୍ଜିନିୟରିଂ(ବୋସ୍) ଭଳି ସରକାରୀ ଶିକ୍ଷାନୁଷ୍ଠାନରେ ସିଭିଲ୍, ଇଲେକ୍ଟ୍ରିକାଲ୍, ମେକାନିକାଲ୍, ଇଲେକଟ୍ରୋନିକ୍ସ, ଆପ୍ଲାଏଡ୍ ଇଲେକଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ଅଟୋମୋବାଇଲ୍, ମେକାଟ୍ରୋନିକ୍ସ, ଡିଜିଟାଲ୍ ମାନୁଫ୍ୟାଚୁରିଂ ଟେକ୍ନୋଲୋଜି, ଅଟୋମେସନ୍ ଏବଂ ରୋବୋଟିକ୍ସ ଭଳି ୧୧ଟି ଟ୍ରେଡ୍ ରହିଛି । ଏହାମଧ୍ୟରୁ ବୋସ୍ ଶିକ୍ଷାନୁଷ୍ଠାନରେ ଏବେ ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଆଇଟି) ବିଭାଗ ବନ୍ଦ ରହିଛି । ତେବେ ପୂର୍ବରୁ ଅଣ ଇଞ୍ଜିନିୟରିଂ ଟ୍ରେଡରେ ଥିବା ବିୟୁଟି କଲଚର୍, ଫାର୍ମାସୀ, ଟୁରିଜିମ୍, ଅଫିସ୍ ମ୍ୟାନେଜ୍ମେଣ୍ଟ୍ ଭଳି କୋର୍ସର ଅଲଗା ନାମଲେଖା ହେଉଥିଲା । କିନ୍ତୁ ଏହି ବିଷୟଗୁଡ଼ିକର ନିଜସ୍ୱ ସ୍ୱତନ୍ତ୍ର ପାଠ୍ୟକ୍ରମ ରହିଛି।

ଏହାଛଡ଼ା ଇଞ୍ଜିନିୟରିଂ ପାଠ୍ୟକ୍ରମ ମଧ୍ୟରେ ଏହି ବିଷୟ ଆସୁ ନଥିବାରୁ ଚଳିତବର୍ଷ ଏହି କୋର୍ସକୁ ବାଦ୍ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ତେଣୁ ଏହି କୋର୍ସରେ ଆବେଦନ ପାଇଁ ପୋର୍ଟାଲ ବନ୍ଦ ରଖାଯାଇ ଥିବା କୁହାଯାଉଛି। କିନ୍ତୁ ପୋର୍ଟାଲ ବନ୍ଦ ସମ୍ପର୍କରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଛାତ୍ରଛାତ୍ରୀମାନେ ଅନ୍ଲାଇନରେ ଆବେଦନ ପାଇଁ ଉଦ୍ୟମ କରି ନିରାଶ ହୋଇଛନ୍ତି।

ଇଞ୍ଜିନିୟରିଂ ପାଠ୍ୟକ୍ରମର ସଫଳତା ନେଇ ଏକ ଆପେକ୍ସ କମିଟି ଦ୍ୱାରା ସମସ୍ତ ପାଠ୍ୟକ୍ରମର ଗତ ୫ ବର୍ଷର ସମସ୍ତ ତଥ୍ୟକୁ ଅନୁଧ୍ୟାନ କରାଯାଇଛି। ଏଥିରେ ନାମଲେଖା ସହ ଡ୍ରପ୍ଆଉଟ୍, ପାସ୍ ପ୍ରତିଶତ ଏବଂ ଭିତ୍ତିଭୂମିକୁ ଯାଞ୍ଚ୍ କରାଯାଇ ଯେଉଁ କୋର୍ସରେ ଅଧିକ ଡ୍ରପ୍ଆଉଟ୍, କମ୍ ପାସ୍ ପ୍ରତିଶତ ଏବଂ କମ୍ ନିଯୁକ୍ତି ଅଛି ସେହି କୋର୍ସକୁ ବନ୍ଦ କରାଯିବ। ଅନ୍ୟ,ଯେଉଁ କୋର୍ସର ଚାହିଦା ଏବଂ ନିଯୁକ୍ତି ସୁଯୋଗ ରହିଛି ସେହି କୋର୍ସର ଭିତ୍ତିଭୂମି ବଢ଼ାଯିବା ସହ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ। ଏହି ୪ଟି କୋର୍ସରେ ନିଯୁକ୍ତି ସୁଯୋଗ ନଥିବାରୁ ଏହାକୁ ବନ୍ଦ କରାଯିବ। ଡିପ୍ଲୋମା ଇଞ୍ଜିନିୟରିଂରେ ଆଉ କିଛି ନୂଆ କୋର୍ସ ଅନ୍ତର୍ଭୁକ୍ତ କରାଯିବା ପାଇଁ ଏଆଇସିଟିଇର ଅନୁମୋଦନ ପାଇଁ ଆବେଦନ କରାଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.