Latest Odisha News

BREAKING NEWS

ଗାନ୍ଧୀଙ୍କ ଚର୍ଚ୍ଚାରେ ମୁଖରିତ ହେଲା ‘ଅକ୍ଷର’ର ଷଷ୍ଠ ସନ୍ଧ୍ୟା…

ଭୁବନେଶ୍ୱର: ଅକ୍ଷରର ଷଷ୍ଠ ସନ୍ଧ୍ୟାରେ ଗାନ୍ଧୀଙ୍କୁ ନେଇ ଆଲୋଚନା ହୋଇଯାଇଛି । ରାମାୟଣ ଓ ଗୀତା ସମେତ କେତେକ ମହାଗ୍ରନ୍ଥ ଏବଂ ଉଲ୍ଲେଖଯୋଗ୍ୟ ଆଖ୍ୟାନରେ ଗାନ୍ଧିଜୀ ପ୍ରଭାବିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଆଉ କେତୋଟି ମୂଲ୍ୟବାନ ପୁସ୍ତକ ଅଧ୍ୟୟନ କରି ସେ ନିଜର ଜୀବନ ନିର୍ମାଣ କରିଥିଲେ । ଗାନ୍ଧିଜୀଙ୍କ ଜୀବନ ହେଉଛି ଅସଫଳତାର ସୋପାନରୁ ମହାତ୍ମାର ଶିଖରକୁ ଉତ୍ତରଣର ଘଟଣାବହୁଳ ଯାତ୍ରା । ମାନବଜାତି ପାଇଁ ସେ ଏକ ବିସ୍ତାରିତ ବାର୍ତ୍ତା । ଏପରି କି ତାଙ୍କର ବିରୋଧୀମାନେ ଆଜି ତାଙ୍କୁ ଜୀବନଦାୟୀ ପ୍ରେରଣା ଭାବରେ ଅଭିହିତ କରୁଛନ୍ତି ବୋଲି ପ୍ରଖ୍ୟାତ କଥାଶିଳ୍ପୀ ଓ ଗାନ୍ଧୀବାଦୀ ବିଦ୍ୱାନ ଦାଶ ବେନହୁର ପ୍ରକାଶ
କରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବଭାଗ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଷଷ୍ଠ ସନ୍ଧ୍ୟା ଗାନ୍ଧୀଚର୍ଚ୍ଚାରେ ମୁଖରିତ ହୋଇଥିଲା । ଶ୍ରୀ ଦାଶ ବେନହୁର ମୁଖ୍ୟବକ୍ତା ଭାବରେ ଯୋଗଦେଇ ସରକାରୀ ବିଭାଗ ଓ କେତେକ ଅନୁଷ୍ଠାନର ସହଯୋଗରେ ଆୟୋଜିତ ଏହି ପୁସ୍ତକ ମେଳାକୁ ଗାନ୍ଧୀପଣ ବା ସହବୋଧର ପ୍ରମାଣ ଭାବରେ ବର୍ଣ୍ଣନା କରିଥିଲେ । ସେ ଗାନ୍ଧୀଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା
କରିଥିଲେ ।

ବିଶିଷ୍ଟ ଗାନ୍ଧୀବାଦୀ ବିଦ୍ୱାନ  ପ୍ରହ୍ଲାଦ କୁମାର ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଗାନ୍ଧିଜୀ ଜାତୀୟ ସ୍ତରରେ ଓଡ଼ିଶାକୁ ରାଜନୈତିକ ପରିଚିତି ଦେବା ସହ ମୌଳିକ ଶିକ୍ଷାରେ ମାତୃଭାଷାର ଗୁରୁତ୍ୱ ଆରୋପ କରିଥିଲେ । ୧୯୧୫ରେ ଭାରତ ଫେରୁ ଫେରୁ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ପର୍ବ ଓ ସାମ୍ବାଦିକ ସମ୍ମିଳନୀରେ ସେ ମାତୃଭାଷା ବ୍ୟବହାର କରି ଆଦୃତ ହୋଇଥିଲେ । ନିଶା, ଆଳସ୍ୟ ଓ ଜଡ଼ତା ହେଉଛି ଓଡ଼ିଶାର ଅନଗ୍ରସରତାର ପ୍ରମୁଖ କାରଣ ବୋଲି ଗାନ୍ଧୀ ହୃଦୟଙ୍ଗମ କରିଥିଲେ । ଶ୍ରୀ ସିଂହ କହିଲେ ଯେ ସ୍ୱାଧୀନତା ସମୟରେ ଘୋଷିତ ପ୍ରତିଶ୍ରୁତିଗୁଡ଼ିକ ଠିକଣା ଭାବରେ ପରିପାଳିତ ନହେବା ପର୍ୟ୍ୟନ୍ତ ଗାନ୍ଧିଜୀ ଆମ ପାଖରେ ପ୍ରାସଙ୍ଗିକ ହୋଇ ରହିବେ ।

ସମ୍ମାନନୀୟ ବକ୍ତା ଭାବରେ ଯୋଗଦେଇ ଯଶସ୍ୱୀ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା କହିଲେ ଗାନ୍ଧୀଙ୍କୁ ପଢ଼ିବା ଓ ବାଖ୍ୟା କରିବାରେ ବର୍ତ୍ତମାନ ସମସ୍ୟା ଦେଖାଦେଇଛି । ୫ ଫୁଟ ୪ ଇଞ୍ଚର ଦେହ ଓ ୪୭ କିଲୋଗ୍ରାମ ଓଜନର ଜଣେ କ୍ଷୀଣକାୟ ମଣିଷ ଭାବରେ ଗାନ୍ଧୀ ହୁଏତ ପ୍ରାସଙ୍ଗିକ ନୁହେଁ । ମାତ୍ର ତାଙ୍କ ବିଚାର ଓ ଦର୍ଶନ ଚିରକାଳ ପ୍ରାସଙ୍ଗିକ ହୋଇ ରହିବ । ଶ୍ରୀ ପରିଡ଼ା କହିଲେ ଯେ ସର୍ବଧର୍ମ ସମନ୍ୱୟ, ଅହିଂସା, ଗ୍ରାମସ୍ୱରାଜ୍ୟ, ବିଶ୍ୱଶାନ୍ତି, ଅସହଯୋଗ, ନିଶାନିବାରଣ ଓ ନାରୀ ସୁରକ୍ଷା ଉପରେ ଗାନ୍ଧୀଙ୍କ ବିଚାରଗୁଡ଼ିକ ସବୁବେଳ ପାଇଁ ଉପାଦେୟ । ସତ୍ୟ, ତ୍ୟାଗ ଓ ନିର୍ଭୀକତାରେ ଗାନ୍ଧୀ ଅହିଂସାର ବିଶ୍ଳେଷଣ କରି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ତଥା ବିଭାଗୀୟ ଅତିରିକ୍ତ ଶାସନ ସଚିବ  ରାମକୃଷ୍ଣ ସାହୁ କାର୍ୟ୍ୟକ୍ରମରେ ପୌରୋହିତ୍ୟ କରିଥିବାବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ଓ  ଗଣେଶରାମ ନାହାକଙ୍କ ରଚିତ ‘ସାହିତି୍ୟକ ବ୍ରଜମୋହନ ପଣ୍ଡା’ ଓ ସମ୍ମାନନୀୟ ବକ୍ତା  ପରିଡ଼ାଙ୍କ ରଚିତ ‘ମହାତ୍ମାଙ୍କ ମନକଥା’ ଲୋକାର୍ପିତ ହୋଇଥିଲା । ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର କାର୍ୟ୍ୟକାରୀ ସଭାପତି  ଗଙ୍ଗାଧର
ତି୍ରପାଠୀ ମଧ୍ୟ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଇଂ. ଶ୍ରୀନିବାସ ଘଟୁଆରୀ (ମିଲନ୍‌)ଙ୍କ ସଂଯୋଜିତ ଏହି କାର୍ୟ୍ୟକ୍ରମରେ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ  ଅନନ୍ତ ବିଜୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.