(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)
କାଶ୍ମୀରର ସେଓ ବାଗାନରେ ଦିନ ମଜୁରିଆ ଭାବେ କାମ କଲାବେଳେ ବଡ଼ ଆନନ୍ଦ ମିଳୁଥିଲା । ଜୀବନରେ ଥରେ ଅଧେ କେବେ ଯଦି କୌଣସି ପୂଜାପର୍ବାଣୀରେ ସେଓ ଖଣ୍ଡେ କିଏ ଦେଇଥିବ, ତାକୁ ଖାଇଥିବ ସେ । ହେଲେ ଏବେ ଆଖି ଆଗରେ ପାହାଡ଼ ଭଳି ଗଦା ହୋଇଛି ସେଓ । ମାଲିକର ତାଗିଦ୍, ଯେତେ ଖାଇବାର ଅଛି ଖାଇଯା । କିନ୍ତୁ ନେଇପାରିବୁନି । ତେବେ ସେଓ ଖାଇ ଖାଇ ବା କେତେ ଖାଇବ ସେ ? ଚଉଦ ବର୍ଷର ତରୁଣ ରାଜରମଣ । ଜୀବନରେ ପ୍ରଥମ ଥର ପାଇଁ କାଶ୍ମୀର ଆସିଛି । ବାପା ଅଜା କାଳେ ଏତେ ଶୀତ କେବେ ଦେଖିନି ସେ ।
ସମୁଦ୍ର କୂଳିଆ ଗାଁ ପିଲା ସିଏ । ସେଇଠି ବରଫ ତ ସ୍ୱପ୍ନ । ଶୀତ ଆଦୌ ନାହିଁ କହିଲେ ଚଳେ । ହେଲେ କାଶ୍ମୀରର ଏ ହାଡ଼ଭଙ୍ଗା ଥଣ୍ଡାରେ ଗୋଟାତୁଲେ ଥରି ଯାଉଛି ସେ । କିନ୍ତୁ କରିବ କଣ । କାମ କରିବାକୁ ତ ପଡ଼ିବ । ନହେଲେ ମଜୁରି ମିଳିବନି । ମଜୁରି ନ ମିଳିଲେ ଖାଇବ କଣ? ନ ଖାଇଲେ ବଞ୍ଚିବ କେମିତି? ଏମିତି ଅନେକ ଅସମାହିତ ପ୍ରଶ୍ନ ତାକୁ ବାରମ୍ବାର ଦଂଶନ କରୁଥିଲା । ଏଣେ ଶୀତର ମୁକାବିଲା ପାଇଁ ପାଖରେ ଭଲ ହଳେ ଶୀତଲୁଗା ବି ନାହିଁ । ଏମିତି ସ୍ଥଳେ ତା ସାଙ୍ଗରେ କାମ କରୁଥିବା ଅନ୍ୟ ତିନି ଚାରି ଜଣ ମଜୁରିଆ, ଯେଉଁମାନେ କି ତାଠାରୁ ବୟସରେ ବଡ଼ ସେଇମାନଙ୍କ ଭିତରୁ ଜଣେ ରାଜରମଣ ହାତକୁ ବଢ଼ାଇ ଦେଲା ବିଡ଼ି ଖଣ୍ଡିଏ । ଜୀବନରେ କେବେ ବିଡ଼ି ପିଇନଥିଲା ସେ । ହେଲେ ସାଥୀ ମଜୁରିଆମାନେ କହିଲେ, ଯଦି ବିଡ଼ି ଖଣ୍ଡେ ପିଇଦେବୁ, ତାହେଲେ ଶୀତଟା ପୂରା ଛାଡ଼ିଯିବ । ସେଇମାନଙ୍କ କଥା ଶୁଣି ରାଜରମଣ ପ୍ରଥମ ଥର ପାଇଁ ଓଠରେ ବିଡ଼ିଟାକୁ ଲଗାଇ ଗୋଟିଏ ପୁଳା ଟାଣିଛି କି ନାହିଁ ଧୁଆଁ ସିଧା ତାଳୁକୁ ଉଠିଲା । କାଶି କାଶି ନୟାନ୍ତ । ତା ନିଃଶ୍ୱାସ ଆଉ ଘର ଧରିଲାନି । ତେବେ କେମିତି କଣ ହୋଇ ଟିକିଏ କାଶଟା ଥମିଲା ବେଳକୁ ତାର ଗମ୍ ଗମ୍ ଝାଳ ବୋହୁଥାଏ । ସିଏ ବୁଝିଗଲା ଯେ, ଗୋଟିଏ ପୁଳାରେ ଯଦି ଶରୀରଟା ଏତେ ଗରମ ହୋଇଯାଉଛି, ତାହେଲେ ଗୋଟିଏ ବିଡ଼ି ପୂରା ପିଇଦେଲେ କେତେ ଗରମ ଲାଗିବ । ଧୀରେ ଧୀରେ ବିଡ଼ି ପିଇବା ତାର ଅଭ୍ୟାସରେ ପରିଣତ ହୋଇଗଲା । ଦିନକୁ ଖଣ୍ଡେ ଦି ଖଣ୍ଡ ବିଡ଼ି ପିଇବାରୁ ଆରମ୍ଭ ହୋଇଥିଲା ଯେ, ଏବେ ଦିନକୁ ଦି କାଟା ଦରକାର ପଡୁଛି । କହିବାକୁ ଗଲେ, ବିଡ଼ି ପାଲଟିଯାଇଛି ରାଜରମଣ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ।
ଏଣେ ତା ଗାଁ ଗୋବିନ୍ଦପୁରରେ ଖୋଜା ପଡ଼ିଛି କୁଆଡ଼େ ଗଲା ପୁଅ ରାଜରମଣ ? କାହା ପାଖରେ କିଛି ଖବର ନାହିଁ । ଦି ଦିନ ତଳେ ତା ବାର୍ଷିକ ପରୀକ୍ଷାର ରେଜଲ୍ଟ ବାହାରିଥିଲା । ନବମ ଶ୍ରେଣୀ ପାସ କରିବା ପରେ ଦଶମକୁ ଯାଇଥାନ୍ତା ସିଏ । ହେଲେ ପରୀକ୍ଷା ଫଳ ଦେଖିବା ପାଇଁ ସ୍କୁଲକୁ ନଯାଇ ସେ ପଚାରି ଦେଇଥିଲା ତା ଗାଁର ଅନ୍ୟ ଦୁଇଜଣ ସାଙ୍ଗ ପିଲାଙ୍କୁ । ଶ୍ରେଣୀରେ ଅନ୍ୟମାନଙ୍କ ଅପେକ୍ଷା ଭଲ ପଢୁଥିବା ରାଜରମଣ ପ୍ରତି ଅନ୍ୟମାନଙ୍କ ଈର୍ଷା ଥିଲା । ଏମିତି ସ୍ଥଳେ ସେହି ପିଲା ଦୁଇଜଣ କହିଲେ, ତୁ ନବମରେ ଫେଲ୍ ହୋଇଯାଇଛୁ । ବାସ୍, କଥାଟା କେତେ ଦୂର ସତ, ବା ପ୍ରକୃତରେ ପରୀକ୍ଷା ଫଳ କଣ ହୋଇଛି, ସେକଥା କିଛି ନଖୋଜି ନବୁଝି ସିଏ ରାତାରାତି ଘରଛାଡ଼ି ଗାଏବ । ମନରେ ଗୋଟିଏ ଭୟ, କଲେଜରେ ପଢୁଥିବା ତାର ବଡ଼ଭାଇ ଯଦି ତାର ପରୀକ୍ଷାଫଳ ଜାଣନ୍ତି, ତା ହେଲେ କଣ ହେବ? ସିଏ ନବମରେ ଫେଲ୍ ମାନେ, କାହାରିକୁ ମୁହଁ ଦେଖାଇବା ଅବସ୍ଥା ଆଉ ନାହିଁ । ଚଉଦ ବର୍ଷର ଜଣେ ତରୁଣର ଏ ମାନସିକ ସ୍ଥିତିକୁ ବୁଝିବା ପାଇଁ, ବା ସେ ସମ୍ପର୍କରେ ଅନୁମାନ କରିବା ପାଇଁ ବି କେହି ଭାବି ପାରିଲେ ନାହିଁ । ଫଳରେ ତାକୁ ଭୟବଶତଃ ଘର ଛାଡ଼ିବାକୁ ପଡ଼ିଲା।
ଗାଁଠୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଜାତୀୟ ରାଜପଥ । ରାତାରାତି ସେହି ରାଜପଥରେ ପହଞ୍ଚିଲା ପରେ, ସେଠାରୁ ଗୋଟିଏ ପଞ୍ଜାବୀ ଟ୍ରକରେ ବସି ସେ ପହଞ୍ଚିଥିଲା ଜମ୍ମୁରେ । ସେଠାରୁ ଦୁଇ ତିନି ଜଣ ଓଡ଼ିଆ ସାଙ୍ଗ ମିଳିଯିବା ପରେ, ସେମାନଙ୍କ ସାଙ୍ଗରେ ସେ ପହଞ୍ଚିଛି ଶ୍ରୀନଗରରେ । ତାପରେ କେହି ଜଣେ କାଶ୍ମୀରୀ ମାଲିକର ଇସାରାରେ ଏବେ ଅନନ୍ତନାଗ ଜିଲ୍ଲାର ଏକ ଗାଁରେ ସେ ସେଓ ବାଗାନରେ ଦିନ ମଜୁରିଆ । ତେଣେ ଗାଁରେ ମାସେ ଦୁଇ ମାସ ପର୍ଯ୍ୟନ୍ତ ଖୋଜା ଖୋଜି କରି ଶେଷରେ ସମସ୍ତେ ନିରାଶ ହୋଇ ଅପେକ୍ଷା କରିଛନ୍ତି । କେତେବେଳେ ରାଜରମଣ ଘରକୁ ଫେରିବ, କେତେବେଳେ ପୁଣି ସ୍କୁଲ ଯିବ । ହେଲେ ତା ଭାଗ୍ୟରେ ଆଉ ସ୍କୁଲ ଦୁଆର ନଥିଲା ।
ସବୁଦିନ ସନ୍ଧ୍ୟାରେ ବସାକୁ ଫେରିବା ପରେ ରାଜରମଣକୁ ଭାରି ଏକାକୀ ଲାଗୁଥିଲା । ବାରମ୍ବାର ତାକୁ ମନେ ପଡୁଥିଲା ତାର ମାଆ, ବାପା, ସାନ ଭଉଣୀ, ଭାଇନା ଓ ସାନଭାଇଙ୍କ କଥା । ଖାଇବସିଲା ବେଳେ, କେମିତି ସେ ଅନ୍ୟମାନଙ୍କଠାରୁ ଆଗୁଆ ଏବଂ ଅଧିକ ଖାଇପାରିବ, ସେଥିପାଇଁ ପ୍ରତିଦ୍ୱନ୍ଦ୍ୱିତା ଚାଲୁଥିଲା । ଏହି ସବୁ କଥା ମନେପଡ଼ିଗଲେ ଭୋ ଭୋ ହୋଇ କାନ୍ଦି ଉଠୁଥିଲା ରାଜରମଣ। କିନ୍ତୁ ଘରକୁ କୌଣସି ଖବର ଦେଉନଥିଲା ସେ । କାରଣ, ତା ମନରେ ଭୟ ଥିଲା ଯେ, ଯଦି ସେ ସଂପର୍କ ରଖିବା ଆରମ୍ଭ କରିବ, ତାହେଲେ ଘରୁ କେହି ନା କେହି ଆସି ତାକୁ ଫେରାଇ ନେବେ । ସେହି ଭୟରେ ଘରକୁ ଚିଠି ବି ଲେଖିବାକୁ ସାହସ କରୁନଥିଲା । ଏହାରି ଭିତରେ ଦୁଇ ବର୍ଷ ବିତିସାରିଥିଲା । ତରୁଣ ରାଜରମଣ ଆଉ ଟିକିଏ ବଡ଼ ହୋଇଯାଇଥିଲା ଓ ବୁଦ୍ଧିମାନ ବି ।
ତା ମନକୁ କଣ ଆସିଲା କେଜାଣି, ଦିନେ ହଠାତ୍ ଘରକୁ ଚିଠି ଲେଖିଲା ସେ । ବାପା କିମ୍ବା ଭାଇନାଙ୍କୁ ଚିଠି ଲେଖିବା ବା ସମ୍ବୋଧନ କରିବା ପରିବର୍ତ୍ତେ, ସେ ଲେଖିଥିଲା ମାଆଙ୍କୁ ଚିଠି ।
ପୂଜନୀୟା ମାଆ,
ମୋର ପ୍ରଣାମ ନେବୁ । ବାପା ଓ ଭାଇନାଙ୍କୁ ମୋର ପ୍ରଣାମ । ଝିଅ ଆଉ ପୁଅକୁ ସ୍ନେହ । ଆଶା ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲ ଥିବ। ମାଆ ଦୁଃଖ କରିବୁନି । ମୁଁ ତୋର ଅଯୋଗ୍ୟ ପୁଅ । ଯେଉଁପିଲା ନବମ ଶ୍ରେଣୀରେ ପାସ୍ ହୋଇପାରିଲାନି, ସିଏ ତା ଜୀବନରେ ଆଉ କଣ କରିପାରିବ । ସେଥିପାଇଁ ମୁଁ ଘର ଛାଡ଼ି ପଳେଇ ଆସିଛି । ମାଆ ତୁ ଦୁଃଖ କରିବୁନି । ମୁଁ ଏଯାଏଁ ଭଲ ଅଛି । ନିଜେ ଯେତେବେଳେ ନିଜ ଗୋଡ଼ରେ ଠିଆ ହୋଇପଡ଼ିବି, ସେତେବେଳେ ଘରକୁ ଫେରିଯିବି । କ୍ଷମା କରିଦେବୁ ।
ଇତି
ତୋର ହତଭାଗ୍ୟ ପୁଅ
ରାଜୁ
ରାଜରମଣର ଚିଠିରେ କୌଣସି ସ୍ଥାନର ନାଁ ଲେଖାନଥିଲା । ତଥାପି ତା ବଡ଼ଭାଇ ସେହି ଚିଠିରେ ଲାଗିଥିବା ଷ୍ଟାମ୍ପ୍ କୁ ଅନୁଧ୍ୟାନ କରି କାଶ୍ମୀର ବାହାରିପଡ଼ିଲେ । ସେଇଠି ଏତେ ବଡ଼ ରାଜ୍ୟରେ ଖୋଜି ଖୋଜି କେତେ ବା ଖୋଜିବ । କୌଣସି ସ୍ଥାନରେ ତାକୁ ନପାଇ ଶେଷରେ ନିରାଶ ହୋଇ ଫେରିଲେ ରାଜରମଣର ବଡ଼ଭାଇ। ଏହାରି ଭିତରେ କାଶ୍ମୀରରୁ ମୁମ୍ବାଇ ଯାଇସାରିଥିଲା ରାଜରମଣ । ସେଠାରେ ଏକ ଘରୋଇ ନିର୍ମାଣ କମ୍ପାନିରେ ଡ୍ରାଇଭର ଭାବେ କାମ କରୁଥିଲା ସେ । ତେବେ ତାର ନିଷ୍ଠାପର ମନୋଭାବ, ସମୟାନୁବର୍ତ୍ତିତା, ନମ୍ରତା ଧୀରେ ଧୀରେ ସମସ୍ତଙ୍କୁ ପ୍ରଭାବିତ କରିବାରେ ଲାଗିଲା । ଏହା କମ୍ପାନି ମାଲିକର ବି ଦୃଷ୍ଟି ଆକର୍ଷଣ କରିଥିଲା । ସେଇଠୁ ଆରମ୍ଭ ହେଲା ରାଜରମଣ ଜୀବନରେ ଆଉ ଏକ ମୋଡ଼ । ଏଣିକି ସେ କମ୍ପାନିର ଡ୍ରାଇଭର ନୁହେଁ, ବରଂ ସେହି କମ୍ପାନି ମାଲିକଙ୍କ ଏକ ବିଶାଳକାୟ ବ୍ୟକ୍ତିଗତ କାରର ଡ୍ରାଇଭର ସେ । ଦରମା ଏବେ ପ୍ରାୟ ଦୁଇଗୁଣ । ହେଲେ ଏ ସବୁ ଭିତରେ ସକାଳେ ସଞ୍ଜେ ଦି ଖଣ୍ଡ ବିଡି ନ ପିଇଲେ ତାର ମାନସିକ ଯନ୍ତ୍ରଣା ଦୂର ହୋଇପାରୁନଥିଲା ।
ହଠାତ୍ ଦିନେ ସଞ୍ଜ ବେଳଟାରେ ମାଲିକକୁ ଅଫିସରୁ ନେଇ ଘରକୁ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେଠାରେ ହିଁ ଟଳି ପଡ଼ିଲା ରାଜରମଣ । ନିଜେ ମାଲିକ ଦୌଡ଼ି ଆସିଲେ । ତାର ଏ ଅବସ୍ଥା ଦେଖି ତାକୁ ହସ୍ପିଟାଲ ପହଞ୍ଚାଇଲେ । ଯାଞ୍ଚରୁ ଜଣାପଡ଼ିଲା ଫୁସଫୁସ୍ କର୍କଟ ରୋଗରେ ପୀଡ଼ିତ ରାଜରମଣ । କମ୍ପାନି ମାଲିକଙ୍କୁ ଗୋଟିଏ ଝଟକା ଭଳି ଅନୁଭବ ହେଲା । ଏତିକିବେଳେ ରାଜରମଣକୁ ଚେତା ଆସି ସାରିଥାଏ । ତେବେ ତାକୁ କିଏ କିଛି ନକହି, ଓଲଟା ଅଭିନନ୍ଦନ ଜଣାଇଲେ । କହିଲେ, ରାଜୁ .. ତମେ ନିଜ ଗାଁ ଆଡ଼େ ଟିକିଏ ବୁଲିଆସ । ପାଠ ପଢ଼ା ବୟସରେ ଯେତେ ଯାହା ଭଲ କାମ କରିବା କଥା, ସେ ସବୁ ଛାଡ଼ି ତମେ ଆଉ ଗୋଟିଏ ସ୍ଥାନକୁ ଯାଇଥିଲ । ଏବେ ଅନ୍ତତଃ ବାପା ମାଆଙ୍କ କଥା ଶୁଣିବ । ତା ପରଦିନ ଟ୍ରେନ ଧରି ସିଧା ଘରେ ପହଞ୍ଚି ଯାଇଥିଲା ରାଜରମଣ । ଗତ ଦୁଇ ବର୍ଷ ଭିତରେ ଋଷିକୁଲ୍ୟା ନଦୀରେ ଯେ କେତେ ପାଣି ଚାଲିଯାଇଥିଲା ତାର ହିସାବ ନାହିଁ । କିନ୍ତୁ ଘରେ ପହଞ୍ଚିବା ପରେ ତାକୁ ଲାଗିଲା ସତେ ଯେମିତି ସେ ସ୍ୱର୍ଗରେ କୌଣସି ଏକ କୋଠରୀରେ ଆବଦ୍ଧ । ପ୍ରଥମେ ମାଆକୁ ଭିଡ଼ିଧରି ଦୀର୍ଘ ସମୟ ପାଇଁ ପିଲାଙ୍କ ଭଳି କାନ୍ଦିବାରେ ଲାଗିଲା ରାଜରମଣ । ଗୋଟିଏ ସପ୍ତାହ ଭିତରେ ଧୀରେ ଧୀରେ ତା ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଲା । ଅନୁଭବ କରିହେଉଥିଲା ରାଜରମଣ ଆଖିରେ ନାଚି ଉଠୁଥିବା ମୃତ୍ୟୁର ଚିତ୍ର ।
ପ୍ରକୃତରେ କହିବାକୁ ଗଲେ, ରାଜରମଣ ଏ ରୋଗରେ ଅଧିକ ଆକ୍ରାନ୍ତ ହୋଇସାରିଥିଲା । ଘରେ କିନ୍ତୁ କାହାରିକୁ କିଛି ଜଣାନଥିଲା । ଏଣେ ଦିନେ ସକାଳୁ ଦେଖିଲା ବେଳକୁ ଚଳଚଞ୍ଚଳ ରାଜରମଣ ସଂପୂର୍ଣ୍ଣ ନୀରବ । ସବୁଦିନ ପାଇଁ ଆଖିବୁଜି ଦେଇଥିଲା ସେ । ଏତିକି ବେଳେ ତା ପାଖରେ ପହଞ୍ଚିଥିଲେ ତାର ନବମ ଶ୍ରେଣୀର ସେହି ଦୁଇ ସାଙ୍ଗ । ଉଭୟେ ଭୋ ଭୋ କାନ୍ଦୁଥିଲେ । ଆଉ ଏକ ଅପରାଧବୋଧ ସହ ତାକୁ କହୁଥିଲେ, କ୍ଷମା କରିଦେବୁ ରାଜୁ । ତୋତେ ମଜାରେ କହିଦେଇଥିଲୁ ତୁ ପରୀକ୍ଷାରେ ଫେଲ୍ ବୋଲି । ତୁ ଫେଲ୍ ନୁହେଁ, ତୁ ତ ଫାଷ୍ଟ ହୋଇଥିଲୁରେ । …
ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ।
ଫୋନ୍- ୯୯୩୭୨୫୨୪୬୪
Comments are closed.