Latest Odisha News

ଏମ୍‌କେସିଜିରେ ଅଚଳାବସ୍ଥା:୧୧୩ ଡାକ୍ତର ପଦବୀ ଖାଲି

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଉପରେ କେବଳ ଦକ୍ଷିଣ ଓଡ଼ିଶା ନୁହଁ, ବରଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଲୋକମାନେ ମଧ୍ୟ ନିର୍ଭର କରୁଛନ୍ତି । ହେଲେ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ଚିକିତ୍ସାଳୟରେ ଡାକ୍ତର ଅଭାବ ଯୋଗୁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ।

୪୨୬ଟି ଡାକ୍ତରୀ ପଦବୀ ଥିବା ବେଳେ ସେଥିରୁ ୧୧୩ଟି ପଦବୀ ଖାଲି ପଡ଼ିଛି । ରୋଗୀମାନଙ୍କୁ ଚିକିତ୍ସା ସୁବିଧା ମିଳିପାରୁନି । ପରିସ୍ଥିତି ଏମିତି ହେଲାଣି ଯେ, ଅନେକ ବିଭାଗରେ ଡାକ୍ତର ମଧ୍ୟ ନାହାନ୍ତି । ଯାହାକୁ ନେଇ ଗତ କିଛି ଦିନ ହେଲା ବିଭିନ୍ନ ସଂଗଠନ ତରଫରୁ ଆନ୍ଦୋଳନ ମଧ୍ୟ କରାଯାଉଛି । କିନ୍ତୁ ରାଜ୍ୟ ସରକାରଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ୁନାହିଁ । ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଏମ୍‌କେସିଜି ମେଡିକାଲ ପାଇଁ ୩୯ ପ୍ରଫେସର ପଦବୀ ମଞ୍ଜୁର ହୋଇଛି । ସେଥିରୁ ୪ ପ୍ରଫେସର ପଦବୀ ଖାଲି ପଡ଼ିଛି । ସେଗୁଡ଼ିକ ହେଲା ସିଟି ସର୍ଜରୀ, ସର୍ଜିକାଲ୍‌ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି, ମେଡିସିନ୍‌ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି ଏବଂ ଏମର୍ଜେନ୍ସି ମେଡିସିନ୍‌ ବିଭାଗ। ୨୦୨୧ ମାର୍ଚ୍ଚ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ନୂତନ ଭାବେ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଖୋଲାଯିବା ନେଇ ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ।

ଅପରପକ୍ଷେ ୮୧ଟି ଆସୋସିଏଟ୍‌ ପ୍ରଫେସର ପଦବୀ ରହିଛି । ସେଥିରୁ ୫୧ଜଣ କାର୍ଯ୍ୟ କରୁଥିବା ବେଳେ ୩୦ଟି ପଦବୀ ଖାଲି ପଡ଼ିଛି । ୧୬୨ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ରହିଛି । ସେଥିରୁ ୧୫୧ ଜଣ କାର୍ଯ୍ୟ କରୁଥିବା ବେଳେ ୧୧ଟି ପଦବୀ ଖାଲି ପଡ଼ିଛି ।

ଅନ୍ୟପଟେ ୪୦ଟି ଟ୍ୟୁଟର୍‌ ପଦବୀ ମଧ୍ୟରୁ ୨୩ଟି ଖାଲି ରହିଥିବା ବେଳେ ମାତ୍ର ୧୭ଜଣ କାର୍ଯ୍ୟ କରୁଛନ୍ତି । ୮୪ ସିନିୟର୍‌ ରେସିଡେଣ୍ଟ୍‌ ପଦବୀ ମଧ୍ୟରୁ ୪୧ଟି ପଦବି ଖାଲି ରହିଥିବା ବେଳେ ୪୩ଜଣ କାର୍ଯ୍ୟ କରୁଛନ୍ତି । ମଞ୍ଜୁର ୨ ମହିଳା ମେଡିକାଲ ଅଫିସର୍‌ ପଦବୀ ଖାଲି ରହିଛି । ୧୭ ଜୁନିୟର୍‌ ରେସିଡେଣ୍ଟ୍‌ ପଦବୀ ମଧ୍ୟରୁ ୨ଟି ଖାଲି ରହିଛି।

ଗତ କିଛି ମାସ ହେଲା ଲଗାତାର ଭାବେ ରାଜ୍ୟ ସରକାର ଜଣକ ପରେ ଜଣେ ବରିଷ୍ଠ ଡାକ୍ତରଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରୁଥିବା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି । ମାର୍ଚ୍ଚ ୧୧ତାରିଖରେ ବିଭିନ୍ନ ବିଭାଗର ୧୩ଜଣ ଅଭିଜ୍ଞ ଡାକ୍ତରଙ୍କୁ ବଦଳି କରାଯାଇଥିଲା । ସେସବୁ ସ୍ଥାନରେ ମାତ୍ର ୭ଜଣ ଡାକ୍ତର ଆସିଥିଲେ । ଏହାର ଆଉ କିଛି ଦିନ ପରେ ପୁଣି ଥରେ ୮ଜଣ ଡାକ୍ତରଙ୍କୁ ବଦଳି କରାଯାଇଥିଲା ।

ଏମ୍‌କେସିଜିରେ ଏବେ କେବଳ ବଡ଼ ବଡ଼ କୋଠା ରହିଛି । ହେଲେ ଡାକ୍ତର ନାହାନ୍ତି । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଉନ୍ନତିକରଣକୁ ରାଜ୍ୟ ସରକାର ଯେତିକି ଗୁରୁତ୍ବ ଦେଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲାରେ ଥିବା ଏମ୍‌କେସିଜିକୁ ସେତିକି ଗୁରୁତ୍ୱ ଦେଉନଥିବା ସାଧାରଣରେ ଆଲୋଚନା ହେଉଛି ।

ଏହାର ପ୍ରତିବାଦରେ ଗତ କିଛି ଦିନ ହେଲା ରାଜନୈତିକ ଦଳ, ସାମାଜିକ ସଂଗଠନ, ଏପରିକି ବ୍ରହ୍ମପୁରର ସାମ୍ବାଦିକମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଚିକିିତ୍ସା ସୁବିଧା ନ ପାଇ ରୋଗୀମାନେ ଭୁବନେଶ୍ୱର ଏବଂ ବିଶାଖାପାଟଣା ଯିବାକୁ ବାଧ୍ୟ ହେଉଛନ୍ତି।

Leave A Reply

Your email address will not be published.