ଶ୍ରୀମନ୍ଦିରରେ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରାରୁ ଅନ୍ୟତମ ଦୋଳଯାତ୍ରା ସାତଦିନ ଧରି ପାଳିତ ହୁଏ। ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମାର ପରଦିନ (ପ୍ରତିପଦ) ଶେଷ ହୁଏ। ଦଶମୀଠାରୁ ଚତୁର୍ଦ୍ଦଶୀ ମଧ୍ୟରେ ତିଥିକ୍ଷୟ ଥିଲେ ଫାଲଗୁନ ଶୁକ୍ଳ ନବମୀଠାରୁ ପାଳନ କରାଯାଏ। ସର୍ବତ୍ର ରାଧାକୃଷ୍ଣଙ୍କର ଦୋଳଯାତ୍ରାର ପ୍ରସିଦ୍ଧି ଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଦୋଳଗୋବିନ୍ଦଙ୍କ ଦୋଳଯାତ୍ରା ପରେ ଏକତ୍ରାବସ୍ଥାନ ଶ୍ରୀକ୍ଷେତ୍ରର ଓ ଶ୍ରୀମନ୍ଦିରର ମାହାତ୍ମ୍ୟ ପୃଥକ ଭାବେ ଚିହ୍ନାଇ ଦିଏ।
ଯତ୍ର ଶ୍ରୀଭଗବାନ୍ ଦେବୋ ଦୋଳାୟିତତରଃ ସ୍ୱୟଂ। ପଶ୍ୟତାଂ ସର୍ବଲୋକାନାଂ ଚତୁର୍ବର୍ଗଫଳପ୍ରଦଃ।।
ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ମୈଲମ ଓ ନାଲି ଲୁଗା ଲାଗି ପରେ ଶ୍ରୀଜୀଉମାନଙ୍କର ସର୍ବାଙ୍ଗ ବଢେ। ପରେ ଚାଚେରୀ ବେଶ ନିମନ୍ତେ ଶ୍ରୀଦେବୀ ଓ ଭୂଦେବୀ ସିଂହାସନରୁ ଦକ୍ଷିଣ ଘରଠାକୁ ବିଜେ ହୁଅନ୍ତି। ବିମାନରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ ହୁଅନ୍ତି। ସେଠାରେ ଭୋଗ ଓ ଜଉଡାବ ଖେଳ ପରେ ବାହୁଡା ବିଜେ କରନ୍ତି। ଏକାଦଶୀ ଦିନ ଜୟବିଜୟ ଦ୍ଵାରଠାରେ ଭୋଗ ବନ୍ଦାପନା (ଦୋଳଗୋବିନ୍ଦଙ୍କ) ସରିବା ପରେ ଦୁଇ ଦେବୀ ଭିତରକୁ ବିଜେ କରି ଆସି ଜୟବିଜୟ ଦ୍ଵାରଠାକୁ ଆସନ୍ତି। ତିନିଦିଅଁ ବିମାନରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରନ୍ତି। ଅନ୍ୟାନ୍ୟ ନୀତି ଫଗୁ ଦଶମୀ ପରି ହୁଏ। ଏହିପରି ଦ୍ୱାଦଶୀ ଓ ତ୍ରୟୋଦଶୀ ପର୍ୟ୍ୟନ୍ତ ନୀତି ହୁଏ।
ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ହୁଏ। ମଧ୍ୟାହ୍ନ ଧୂପ ପରେ ଚନ୍ଦନବିଜେ, ସର୍ବାଙ୍ଗ ଲାଗି ପରେ ଦୁଇ ଠାକୁରାଣୀ ଚାଚେରୀ ବେଶ ନିମନ୍ତେ ଦକ୍ଷିଣ ଘରଠାରେ ଖଟଶେଯ ଉପରକୁ ବିଜେ କରନ୍ତି। ଏମାନଙ୍କ ସହିତ ଦୋଳଗୋବିନ୍ଦ ମଧ୍ୟ ବେଶ ହୁଅନ୍ତି। ବେଶ ପରେ ମାଳଫୁଲ କର୍ପୂର ଲାଗି ହୁଏ।
ଧୋପଖାଳ ପରେ ପରେ ଚାଚେରୀ ଭୋଗ ଡକାଯାଏ। ଦକ୍ଷିଣ ଘର ଭୋଗ ପରେ ସେଠାରୁ ଦିଅଁମାନେ ଭିତରକୁ ବିଜେ କରନ୍ତି। ମୁଦିରସ୍ତଙ୍କ ପ୍ରସାଦ ଲାଗି ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ଭୋଗ କରନ୍ତି। ଧୋପଖାଳ ହେବା ପରେ ପଣ୍ଡା, ପତି, ମୁଦିରସ୍ତ ପରମ୍ପରା ଅନୁସାରେ ଚନ୍ଦନ ଫଗୁ ବିଜେ କରାଇ ଆଣି ତିନିବାଡ଼ରେ ଶ୍ରୀଅଙ୍ଗରେ ଲାଗି କରାନ୍ତି ଓ ବନ୍ଦାପନା କରନ୍ତି। ମୁଦିରସ୍ତ ସିଂହାସନ ତଳେ ଝିମିରି ଫଗୁ ଅଞ୍ଜଳି କରନ୍ତି ଓ ଶ୍ରୀଅଙ୍ଗରେ ଫଗୁମୁଣି ଲାଗି କରନ୍ତି। ଚାମର ଆଲଟ କରନ୍ତି।
ପୂଜାପଣ୍ଡା ଆଜ୍ଞାମାଳ ଦେଲାପରେ ମହାଜନମାନେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ହାତରେ ବିଜେ କରାଇନେଇ ଜୟବିଜୟ ଦ୍ଵାର ଓ ମୁକ୍ତିମଣ୍ଡପ ଦେଇ ଲକ୍ଷ୍ମୀଙ୍କ ମନ୍ଦିରଠାରେ ପଲଙ୍କରେ ବିଜେ କରାନ୍ତି ।ଏଠାରେ ଫଗୁଖେଳ ହୁଏ।
ପରେ ଲକ୍ଷ୍ମୀମନ୍ଦିରଠାରେ ଥିବା ବିମାନରେ ତିନିଦିଅଁ ବିଜେକରି ଦୋଳବେଦୀଠାରେ ଥିବା ଅଗ୍ନିଉତ୍ସବ ଘରକୁ ବିଜେ କରନ୍ତି। ସେଠାରେ ପୂଜାପଣ୍ଡା ହୋମ କରନ୍ତି। ହୋମ ପରେ ପ୍ରସାଦ ଲାଗି, ଶୀତଳ ଭୋଗ ମଣୋହି ହୋଇ ଚାମର ଆଲଟ ହୁଏ। ଅଗ୍ନି ଘରେ ନିଆଁ ଲଗାଯାଏ। ବିମାନ ଅଗ୍ନିଘର ଚାରିପଟେ ସାତଘେରା ବୁଲେ। ବାହୁଡ଼ାବିଜେ ପୂର୍ବଦିନମାନଙ୍କ ପରି ହୁଏ। ଏହା ପରେ ଭିତରେ ବଡ଼ସିଂହାର ଭୋଗ ହୋଇ ଅନ୍ୟାନ୍ୟ ନୀତି ହୁଏ।
ଜୟ ଜଗନ୍ନାଥ