Latest Odisha News

‘ହେବାକୁ ଦେବିନି ତୃତୀୟ ବିଶ୍ବଯୁଦ୍ଧ’, ଦ୍ବିତୀୟ ଇନିଂସ ପୂର୍ବରୁ ହୁଙ୍କାର ଭରିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ । ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଉପରେ ଏବେ ସାରା ବିଶ୍ବର ନଜର ରହିଛି । ଏହାରି ପୂର୍ବରୁ ଏବେ ସାରା ବିଶ୍ବକୁ ବଡ ବାର୍ତ୍ତା ଦେଇଛନ୍ତି ଟ୍ରମ୍ପ । ତୃତୀୟ ବିଶ୍ବଯୁଦ୍ଧ ସେ ହେବାକୁ ଦେବେନାହିଁ ବୋଲି ପ୍ରତିଶ୍ରୁତି ଦେଇଛି ।

ରାଷ୍ଟ୍ରପତି ଭାବରେ ନିଜର ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପୂର୍ବରୁ ଏବେଠୁ ବଡ ବଡ ପ୍ରତିଶ୍ରୁତି ଦେଇଛନ୍ତି ଟ୍ରମ୍ପ । ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ୱାଶିଂଟନ ଡିସିର କ୍ୟାପିଟାଲ ୱାନ ଆରେନାରେ ଏକ ବିଜୟ ରାଲିକୁ ସମ୍ବୋଧିତ କରି ତୃତୀୟ ବିଶ୍ବଯୁଦ୍ଧ ରୋକିବା ପାଇ ଶପଥ କରିଛନ୍ତି । ଖାଲି ସେତିକି ନୁହେଁ, ରାଲିରେ ଟ୍ରମ୍ପ କିଛି ଘଣ୍ଟା ମଧ୍ୟରେ ବାଇଡେନଙ୍କ ସମସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଏଥିସହିତ ପ୍ରବାସୀ ପ୍ରସଙ୍ଗ ଉପରେ ଟ୍ରମ୍ପ କହିଛନ୍ତି, ସମସ୍ତ ବେଆଇନ ଜବରଦଖଲକାରୀଙ୍କୁ ଯେକୌଣସି ଉପାୟରେ ସେମାନଙ୍କ ଘରକୁ ଫେରାଇ ଦିଆଯିବ । ଟ୍ରମ୍ପ କହିଛନ୍ତି, ଆମକୁ ଆମ ସମ୍ପତ୍ତି ପୁଣି ମିଳିବାକୁ ଯାଉଛି । ଆମ ସରକାର ଖୁବ୍ ଶୀଘ୍ର ଦେଶରେ ସୀମା ଉପରେ ପୁଣି ନିୟନ୍ତ୍ରଣ ରଖିବାକୁ ଯାଉଛି । ଆମେରିକା ଇତିହାସରେ ସବୁଠାରୁ ବଡ଼ ନିର୍ବାସନ ହେବାକୁ ଯାଉଛୁ । ଯେଉଁଥିରେ ହଜାର ହଜାର ଅବୈଧ ଶରଣାର୍ଥୀଙ୍କୁ ବାହାର କରାଯିବ । କିନ୍ତୁ ଏଥିପାଇଁ ଅନେକ ବର୍ଷ ଏବଂ ବହୁତ ଟଙ୍କା ଲାଗିପାରେ । ଆମେ ଆମେରିକୀୟ ମାଟିରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବେଆଇନ ବିଦେଶୀ ଗ୍ୟାଙ୍ଗ ସଦସ୍ୟ ଏବଂ ପ୍ରବାସୀ ଅପରାଧୀଙ୍କୁ ଖୋଜି ବାହାର କରିବୁ ।

Comments are closed.