ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ଭରିବେ । ଏହି ସମୟରେ ଉପସ୍ଥିତ ରହିବେ ବିଜେପିର ୧୦ ବିଧାୟକଙ୍କ ସହିତ ବିଜେଡିର ଦୁଇ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ। ଏହି ଦୁଇ କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ।
ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ବିଜେପି ସଭାପତି ଜେ. ପି ନଡ୍ଡା ତାଙ୍କ ସହ ଫୋନରେ କଥା ହୋଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ କହିଥିଲେ। ତେଣୁ ରାଜ୍ୟ ସରକାରର ଦୁଇ କ୍ୟାବିନେଟ ସହଯୋଗୀ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ରହିବେ। ଏଥିପାଇଁ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ରହିବେ।
ଗତକାଲି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହି ସମୟରେ ଦିଲ୍ଲୀ ଯିବା ପୂର୍ବରୁ ଏମସିଏଲ ଗେଷ୍ଟ ହାଉସରେ ଅଟକି ଥିଲେ। ସେଠାରେ ତାଙ୍କୁ ବିଜେପି ନେତା ଶୁଭେଚ୍ଛା ଜଣାଇଥିଲେ। ଦିଲ୍ଲୀ ଯିବା ବେଳେ ବିମାନ ବନ୍ଦରରେ ବିଜେଡି ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଆସିଥିଲେ। ଆଉ ଦ୍ରୈପଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଏବଂ ଜଗନ୍ନାଥ ସାରକା ଦ୍ରୌପଦୀଙ୍କ ସହ ଦିଲ୍ଲୀ ଯାଇଥିବା ସୂଚନା ରହିଛି।
ସେହିପରି ବିଜେପି ବିଧାୟିକା ତଥା ଆଦିବାସୀ ନେତ୍ରୀ କୁସୁମ ଟେଟେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ପ୍ରାର୍ଥୀ ଘୋଷଣା ବେଳେ ଓଡ଼ିଆ ମାଟିର କଥା ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି ବୋଲି ବିଜେପିର ଏହି ଆଦିବାସୀ ନେତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିବାରୁ ଧନ୍ୟବାଦ। ସର୍ବଦଳ ନିର୍ବିଶେଷରେ ସମର୍ଥନ କରିବାକୁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଅପିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ନିଜେ ଜଣେ ଆଦିବାସୀ ନେତ୍ରୀ ହୋଇଥିବାରୁ ସେ ମଧ୍ୟ ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ ବେଳେ ଉପସ୍ଥିତ ରହିବେ ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି, ଗୁରୁବାର ଦ୍ରୌପଦୀ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ଓଡ଼ିଶାର ୧୦ରୁ ଅଧିକ ବିଜେପି ବିଧାୟକ ଉପସ୍ଥିତ ରହିବେ। ରାଜ୍ୟ କଂଗ୍ରେସ ବିଧାୟକ ମଧ୍ୟ ସମର୍ଥନ କରିବା କଥା କିନ୍ତୁ ଦଳର କଥାମାନି ସମର୍ଥନ କରିପାରୁ ନାହାନ୍ତି ବୋଲି ଟେଟେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଅନେକ କଂଗ୍ରେସ ବିଧାୟକ ମଧ୍ୟ ଖୁସି ଜାହିର କରିଛନ୍ତି। ମହମ୍ମଦ ମୋକିମ ଏବଂ ସୁରେଶ ରାଉତରାୟ ଭଳି ନେତା ଦ୍ରୌପଦୀଙ୍କୁ ସମର୍ଥନ କରିଛନ୍ତି । ହେଲେ ଦଳର ନିର୍ଦ୍ଦେଶ ଅନୁଯାୟୀ ସେ ସମର୍ଥନ କରିବେ କି ନାହିଁ ଚିନ୍ତା କରିବେ ବୋଲି ଉଭୟ ନେତା ଗତକାଲି କହିଥିଲେ।