Latest Odisha News

BREAKING NEWS

ମୋବାଇଲ୍ ଚୋରି କରୁଥିବା ବେଳେ ଡ଼୍ରାଇଭରଙ୍କ ହାତରେ ଧରାପଡ଼ିଲା ଚୋର

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଦୋଛକି ଠାରେ ଆଇରନ ବୋଝେଇ ଟ୍ରକରୁ ମୋବାଇଲ୍ ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଧରି ନିର୍ଦ୍ଧୁମ ଛେଚିଲେ ଟ୍ରକ ଡ୍ରାଇଭର। ଦୁଇଜଣ ଯୁବକ ଏକ ଟ୍ରକରୁ ମୋବାଇଲ୍ ଚୋରି କରୁଥିବା ସମୟରେ କିଛି ସ୍ଥାନୀୟ ଟ୍ରକ ଡ୍ରାଇଭରଙ୍କ ନଜରରେ ପଡ଼ିଥିଲା । ଚୋରଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ଘଟଣା ସ୍ଥଳରୁ ଜଣେ ଚମ୍ପଟ ମାରିଥିବା ବେଳେ ଅନ୍ୟ ଜଣଙ୍କୁ ଧରି ନେଇଥିଲେ ଡ୍ରାଇଭର ମାନେ। ତାଙ୍କୁ ସେଠାରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିବା ପରେ ଯୁବକ ଜଣକୁ ଛାଡ଼ିଦେଇଥିବା ଜଣା ପଡ଼ିଛି। ମାଡ଼ ଖାଇଥିବା ଯୁବକ ଜଣକ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି।

ଯୁବକଙ୍କ ନାମ ଜଣା ପଡ଼ି ନ ଥିଲେ ମଧ୍ୟ ମାଡ଼ ଖାଇଥିବା ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଚିନ୍ତାର ବିଷୟ ଏହା ଯେ ଏହି ଭଳି ଘଟଣା ପାରାଦ୍ୱୀପରେ ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଅଭାବରୁ ଲୋକମାନେ ବାରମ୍ବାର ଆଇନକୁ ହାତକୁ ନେଉଥିବା ଦେଖିବାକୁ ମିଳୁଛି । ସେପଟେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବ୍ଲକ ଥାନା ଅଧିକାରୀ କହିଛନ୍ତି ।

ପ୍ରାପ୍ତ ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଯୁବକ ଏବଂ ତାଳଦଣ୍ଡା କେନାଲ କଡ଼ରେ ରହୁଥିବା ବସ୍ତିର କିଛି ଯୁବକଙ୍କ ସହ ମିଶି ନିୟମିତ ଏହିଭଳି ଚୋରି କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ଏହି ଯୁବକମାନେ ପାରାଦ୍ଵୀପକୁ ଆସୁଥିବା ସାଧାରଣତଃ ଆଇରନ ଟ୍ରକକୁ ଟାର୍ଗେଟ କରିଥାନ୍ତି । ସେପଟେ ଗାଡ଼ି ନମ୍ବର ପଡିବାରେ ବିଳମ୍ବ ହେଉଥିବାରୁ ଡ୍ରାଇଭର ମାନେ ଗାଡ଼ିରେ ଶୋଇ ପଡୁଛନ୍ତି ଏବଂ ଏହାର ସୁଯୋଗ ନେଇ ଏହି ଯୁବକମାନେ ସେମାନଙ୍କ ମୋବାଇଲ ଓ ଟଙ୍କା ଚୋରାଇ ନେଉଥିବା ଡ଼୍ରାଇଭର ମାନେ କହିଛନ୍ତି । ଏହି ଗାଡ଼ିଗୁଡ଼ିକ ସାଧାରଣତଃ ବାହାର ଜିଲ୍ଲାର ଗାଡ଼ି ହୋଇଥିବାରୁ ଡ୍ରାଇଭର ମାନେ ଥାନାରେ ଅଭିଯୋଗ କରୁନାହାଁନ୍ତି।

Leave A Reply

Your email address will not be published.