ଅନୁଗୁଳ: ଦୀର୍ଘ ତିନି ଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ ଶାସନ ସଚିବ ଗୁରୁବାର ଦିନ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନଙ୍କୁ ଡାକି ଆଲୋଚନା କରି ୩ ମାସ ମଧ୍ୟରେ ଦାବି ଗୁଡିକ ଉପରେ ଆଲୋଚନା କରାଯିବ ଏବଂ ସମାଧାନର ରାସ୍ତା ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଶୁକ୍ରବାର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ଏହି ଆନ୍ଦୋଳନ ଭିତରେ ସାମ୍ନାକୁ ଆସିଥିଲା ଏକ ଚର୍ଚ୍ଚିତ ନାଁ , ପ୍ରଶାନ୍ତ ମେଣ୍ଡୁଲି । ଯାହାକୁ ଗଣମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ଖୋଜି ବୁଲିଥିଲେ । ମୁଣ୍ଡରେ ଠେକା , ଦେହରେ ଡ୍ରାଇଭର ୟୁନିଫର୍ମ , ହାତରେ ବଳା ପନ୍ଧିଥିବା ଏହି ପ୍ରଶାନ୍ତଙ୍କ ସମ୍ପର୍କରେ ଜାଣିବାକୁ ସମସ୍ତେ ଆଗ୍ରହୀ ଥିଲେ। ଯାହାଙ୍କ ନିର୍ଦ୍ଦେଶକଙ୍କୁ ଲକ୍ଷାଧିକ ଡ୍ରାଇଭର ଅପେକ୍ଷା କରି ବସିଥିଲେ। ସେ ଯେତେବେଳେ ଯାହା ନିର୍ଦ୍ଦେଶ ଦେବେ ତାହା ହିଁ କରିବାକୁ ସତେ ଯେମିତି ସବୁ ଡ୍ରାଇଭର ସଂକଳ୍ପ ନେଇଥିଲେ । ତେବେ କିଏ ଏହି ପ୍ରଶାନ୍ତ ମେଣ୍ଡୁଲି ? କେତେ ପ୍ରଭାବଶାଳୀ ସେ ? ଯିଏ କି ସାରା ଓଡ଼ିଶାର ଡ୍ରାଇଭର ମାନଙ୍କୁ ଏକାଠି କରିବା ସହ ଏତେ ବଡ ଆନ୍ଦୋଳନ ଡାକରା ଦେବା ସହ ରାଜ୍ୟ ସରକାରଙ୍କୁ ନୁଆଁଇବାକୁ ଏକ ପ୍ରକାର ବାଧ୍ୟ କରିଦେଲେ ! ଏଭଳି ଅନେକ ପ୍ରଶ୍ନ ପ୍ରଶାନ୍ତଙ୍କୁ ନେଇ ଲୋକଙ୍କ ମନରେ ଆସିଛି ।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ , ମାଧପୁରର ବରଡ଼ାକଟା ଗାଁ । ଏକ ଗରିବ ପରିବାରରେ ପ୍ରଶାନ୍ତ ମେଣ୍ଡୁଲିଙ୍କ ଜନ୍ମ । ବାପା ରଙ୍କନିଧି ମେଣ୍ଡୁଲି ଜଣେ ଚାଷୀ ଓ ମା ଭଗବତୀ ମେଣ୍ଡୁଲି ଗୃହିଣୀ। ରଙ୍କନିଧି ଓ ଭାଗବତୀଙ୍କ ଦୁଇ ପୁଅ ମଧ୍ୟରୁ ପ୍ରଶାନ୍ତ ସାନ। ପ୍ରଶାନ୍ତ ଗାଁ ସ୍କୁଲରେ ଦଶମ ଶ୍ରେଣୀ ପାସ କରିବା ପରେ ଯୁକ୍ତ ଦୁଇ ଆଡମିଶନ କରିବା ପାଇଁ ଚାହିଁଥିଲେ। ହେଲେ ପାଠପଢାରେ ଅର୍ଥ ବାଧକ ସାଜିଥିଲା । କାରଣ ଯୁକ୍ତ ଦୁଇରେ ଆଡମିଶନ ପାଇଁ ତାଙ୍କ ପାଖରେ କିମ୍ବା ପରିବାର ଲୋକଙ୍କ ପାଖରେ ୧୫୦୦ ଟଙ୍କା ନଥିଲା । ଏହି ୧୫୦୦ ଟଙ୍କା ଯୋଗାଡିବା ପାଇଁ ସେ ମାଟି ବୋହିବା କାମ କରିଥିଲେ । ହେଲେ ଖରା ତରାରେ ମାଟି ଦୁଇ ଚାରିଦିନ ବୋହିବା ପରେ ସେ ଅସୁସ୍ଥ ହୋଇ ପଡିଲେ । ଫଳରେ ତାଙ୍କୁ ଏ କାମ ଛଡିବାକୁ ପଡିଥିଲା । ଏତିକି ବେଳେ ସେ ଶୁଣିଥିଲେ ଯେ ମାନଯୋର ପ୍ରୋଜେକ୍ଟଠାରେ କାମ କରୁଥିବା ଟ୍ରକରେ ହେଲପର କାମ କଲେ ମାସକୁ ୮୦୦ ଟଙ୍କା ମିଳିବ। ଏହା ଶୁଣି ପ୍ରଶାନ୍ତ ହେଲପର ହେବାକୁ ସ୍ଥିର କରି ଦୁଇ ମାସ କାମ କଲେ ଆଡମିଶନ ପାଇଁ ଟଙ୍କା ଯୋଗାଡିବାକୁ ଚେଷ୍ଟା କରିଥିଲେ । ସେଠାରେ ୩ ମାସ କାମ କରିବା ପରେ ଯେଉଁ ଗାଡ଼ିରେ ସେ କାମ କରୁଥିଲେ ସେହି ଗାଡି ମାନଯୋର ଛାଡି ଅନ୍ୟ ଜିଲ୍ଲାକୁ ପଳାଇଥିଲା । ହେଲେ ଯିବା ପୂର୍ବରୁ ପ୍ରଶାନ୍ତଙ୍କୁ ତାଙ୍କ ପାଉଣା ନ ଦେଇ ଚାଲି ଯାଇଥିଲେ ଚାଳକ ଓ ମାଲିକ । ବାଧ୍ୟ ହୋଇ ପ୍ରଶାନ୍ତ ଗାଡି ମାଲିକ ପାଖକୁ ଯାଇ କନ୍ଦାକଟା କରିବା ପରେ ତାଙ୍କୁ ଦୁଇ ମାସର ଦରମା ୧୮୦୦ ଟଙ୍କା ମିଳିଥିଲା । ତେବେ ସେତେବେଳକୁ ଆଡମିଶନ ସମୟ ପଳାଇ ଯାଇଥିଲା । ଫଳରେ ସେ ଆଉ ଅଧିକ ପାଠ ପଢ଼ି ପାରି ନଥିଲେ । ଆଉ ସେଇଠାରୁ ସେ ଆଉ ପାଠ ପ୍ରତି ଧ୍ୟାନ ନ ଦେଇ ଗାଡି ହେଲପର ହୋଇ ଗାଡି ଚଳାଇବା ଶିଖି ଯାଇଥିଲେ।
ଆଉ ୨୦୦୭ ମସିହାରେ ଡ୍ରାଇଭିଙ୍ଗ ଲାଇସେନ୍ସ ହାସଲ କରିବା ସହ ଡ୍ରାଇଭର ହୋଇ ଯାଇଥିଲେ । ସେତେବେଳେ ୨୨୦୦ ଟଙ୍କା ଦରମାରୁ ଡ୍ରାଇଭର ହୋଇ ଆଜି ଯାଏ ସେ ଗାଡି ଚଳାଇ ଆସୁଛନ୍ତି । ଯେଉଁଥିରୁ ସେ ତାଙ୍କ ପରିବାର କହିଲେ ସ୍ତ୍ରୀ ଆଉ ଗୋଟିଏ ପୁଅର ଭରଣପୋଷଣ କରୁଛନ୍ତି । ତେବେ କୋଭିଡ ମହାମାରୀ ସମୟରେ ଡ୍ରାଇଭର ମାନଙ୍କ ଅବସ୍ଥା ଦେଖି ସେ ସମସ୍ତଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିଥିଲେ । ହେଲେ ପ୍ରଥମେ ପ୍ରଥମେ କୌଣସି ଡ୍ରାଇଭର ତାଙ୍କ କଥାକୁ ଭ୍ରୁକ୍ଷେପ କରି ନଥିଲେ । ଅଳ୍ପ କିଛି ଡ୍ରାଇଭରଙ୍କୁ ଧରି ସବୁ ଜିଲ୍ଲା ବୁଲିଲେ । ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା ମଧ୍ୟ କଲେ । ହେଲେ ସଫଳତା ମିଳିଲା ନାହିଁ । ପରବର୍ତ୍ତୀ ସମୟରେ ଅସୁବିଧାରେ ପଡିଥିବା ଡ୍ରାଇଭରମାନଙ୍କୁ ସାହାଯ୍ୟ କରିବା , ରୋଗାକ୍ରାନ୍ତ ଡ୍ରାଇଭର ମାନଙ୍କ ପାଇଁ ଟଙ୍କା ଯୋଗାଡ କରି ଚିକିତ୍ସା କରାଇବା , ବାଟରେ ଖରାପ ହୋଇଥିବା ଗାଡି ଓ ଡ୍ରାଇଭର ସହାୟତା ଯୋଗାଇ ଦେଇଥିଲେ ସେ ଓ ତାଙ୍କ ସହଯୋଗୀ । ଏସବୁ କରିବା ଫଳରେ ଧୀରେ ଧୀରେ ସବୁ ଡ୍ରାଇଭର ମାନେ ଏକତା ହିଁ ବଳ ବୋଲି ବୁଝିଥିଲେ । ଆଉ ପ୍ରଶାନ୍ତ ରାଜ୍ୟର ୫ ଲକ୍ଷରୁ ଉର୍ଦ୍ଧ୍ବ ଡ୍ରାଇଭର ମାନଙ୍କୁ ଏକାଠି କରାଇବାରେ ସଫଳ ହୋଇଥିଲେ । ଆଉ କିଛି ଶିକ୍ଷିତ ବ୍ୟକ୍ତି ଏବଂ ଓକିଲଙ୍କ ପରାମର୍ଶ ପରେ ରାଜ୍ୟ ସରକାରଙ୍କ ଆଗରେ ୯ ଟି ଦାବି ଉପସ୍ଥାପନ କରିଥିଲେ । ଆଉ ଏବେ ପ୍ରଶାନ୍ତ ମେଣ୍ଡୁଲି ଓଡିଶା ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ।