Latest Odisha News

ଶକ୍ତିପୀଠର କାହାଣୀ: ତାଳଚେରର ଅଧିଷ୍ଟାତ୍ରୀ ଦେବୀ ଅଗ୍ନିସ୍ବରୂପା ମା ହେଙ୍ଗୁଳା

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା “ଶକ୍ତିପୀଠର କାହାଣୀ”

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ ପୂଜା । ଏହି ନବଦିନାତ୍ମକ ପୂଜାରେ ନଅ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବେ ଆଦିଶକ୍ତି ମାଆ ଦୁର୍ଗା । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ନଅ ଦିନ ମା’ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

ତାଳଚେରର ଅଧିଷ୍ଟାତ୍ରୀ ଦେବୀ ଅଗ୍ନିସ୍ବରୂପା ମା ହେଙ୍ଗୁଳା

ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶକ୍ତି ପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଅଲୌକିକ ଶକ୍ତି ପୀଠ ହେଉଛି ତାଳଚେରର ହେଙ୍ଗୁଳା ପୀଠ। ଏହି ଅଗ୍ନିସ୍ବରୂପା ମା’ ପରମବୈଷ୍ଣବୀ ନାରାୟଣୀ ଶମ୍ଭୁ, ନିଶମ୍ଭୁ, ସୁବଳ ଓ ଦୁନ୍ଦୁଭିକୁ ମାରିବାକୁ ଗଲାବେଳେ ତାଙ୍କ ସହିତ ଅଷ୍ଟମହାବିଦ୍ୟା ଯାଇଥିଲେ । ସେମାନଙ୍କ ମଧ୍ୟରେ ହେଉଛନ୍ତି ହିଙ୍ଗୁଳା ଅନ୍ୟତମ । ସମସ୍ତ ଦେବଦେବୀ ପୀଠରେ ପୂଜକଙ୍କ ମାଧ୍ୟମରେ ଭୋଗ ଲାଗିଥାଏ କିନ୍ତୁ ତାଳଚେର ହିଙ୍ଗୁଳା ପୀଠରେ ଭକ୍ତ ନିଜେ ନିଜ ହାତରେ ତା’ର ନୈବେଦ୍ୟ ଦେବୀଙ୍କୁ ଅର୍ପଣ କରିଥାଏ । ଏହା ଏକ ବ୍ୟତିକ୍ରମ, ହେଲେ ସୁଦ୍ଧା ଭକ୍ତ ମନରେ ଅପାର ଆନନ୍ଦ ଦେଇଥାଏ । ଭକ୍ତର ଅର୍ପିତ ସାମଗ୍ରୀ ଅଗ୍ନି ରୂପିଣୀ ମା’ହିଙ୍ଗୁଳା ଗ୍ରହଣ କରିଥାନ୍ତି । ଏଠି ଭକ୍ତ ଓ ଭଗବାନ ଏକାକାର ହୋଇଯାଆନ୍ତି ।

ଏହା ମଧ୍ୟ ପଢନ୍ତୁ

https://odishasambad.in/dussehra-2023-know-the-banki-maa-charchika-temple-importance/

ମାଆଙ୍କର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଚୈତ୍ର ଶୁକ୍ଳ ପକ୍ଷ ବିଷ୍ଣୁଦମନକ ଚତୁର୍ଦ୍ଦଶୀରେ ଅନୁଷ୍ଠିତ ହୋଇଥାଏ । ଅଗ୍ନି ସ୍ବରୂପା ହିଙ୍ଗୁଳାଙ୍କୁ ସାବରୀ ମନ୍ତ୍ରରେ ଆରାଧନା କରାଯାଏ। ରାଜ୍ୟରେ ଥିବା ଅନ୍ୟାନ୍ୟ ଶକ୍ତିପୀଠ ଭଳି ହିଙ୍ଗୁଳାଙ୍କର ପୀଠରେ ଦଶହରା ପର୍ବ ପାଳନ କରାଯାଏ । ଏହି ସମୟରେ ଦଶହରା ପଡିଆକୁ ଏକ ଭ୍ରାମ୍ୟମାଣ ‘ଆଲାମ’ ସୂଚନା ଆଡମ୍ବର ସହକାରେ ଆସିଥାଏ । କୁଟେଇସୁଣି ମଣ୍ଡପରେ ରୀତିନୀତି ସମ୍ପନ୍ନ ହେବା ସହ ଉତ୍ସବ ଆରମ୍ଭ ହୁଏ । ହିଙ୍ଗୁଳାଙ୍କ ପୂଜାରେ କନ୍ଧ ସଂପ୍ରଦାୟର ‘ନଖି’ ପରମ୍ପରା ପାଳନ କରାଯାଏ । ଗୋଟିଏ ଅଧୁଆ ହାଣ୍ଡିରେ ଅରୁଆ ଚାଉଳ, କ୍ଷୀର,ମହୁ, କନ୍ଦ ଆଦି ମିଶାଇ କ୍ଷୀରି ପ୍ରସ୍ତୁତ ହୁଏ। ଏହି ସମୟରେ ମା’ଙ୍କର ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୁଏ।

ଶ୍ରୀମନ୍ଦିର ସେବା ସହିତ ମା’ଙ୍କର ମଧ୍ୟ ସଂପର୍କ ରହିଛି । ଏକଦା ପୁରୀ ଗଜପତି ମହାରାଜାଙ୍କୁ ସ୍ବପ୍ନାଦେଶ ହେଲା ଯେ ଶ୍ରୀଜଗନ୍ନାଥଙ୍କ ଛପନ ଗୋଟି ଭୋଗ ସୁସ୍ବାଦୁ ହେବା ପାଇଁ ହିଙ୍ଗୁଳାଙ୍କୁ ଆଣିବାକୁ ହେବ । ଗଜପତି ମହାରାଜା ମାଆଙ୍କ ଶରଣାପନ୍ନ ହେଲେ । ଶବର ରାଜାଙ୍କ ପରାମର୍ଶ କ୍ରମେ ଦେବୀଙ୍କୁ ଶ୍ରୀକ୍ଷେତ୍ରକୁ ଅଣାଗଲା । ସେହିଦିନଠାରୁ ମହାପ୍ରସାଦ ପ୍ରସ୍ତୁତିକରଣ ପୂର୍ବରୁ ଅଗ୍ନି ସଂଯୋଗ ଅବସରରେ ମା’ ହିଙ୍ଗୁଳାଙ୍କର ପୂଜାର୍ଚ୍ଚନା କରାଯାଏ । ମା’ କାଳୀଙ୍କର ଅନ୍ୟ ରୂପ ହେଉଛି ହିଙ୍ଗୁଳା ।

Leave A Reply

Your email address will not be published.